/odishatv-khabar/media/post_attachments/uploadimage/library/16_9/16_9_0/IMAGE_1663083131.jpg)
Good news for you who wanted to buy a house
ଘର କିଣିବାକୁ ଆଗ୍ରହୀ ଲୋକଙ୍କ ପାଇଁ ଖୁସି ଖବର। ଘରର ମୂଲ୍ୟାୟନରେ ରହିବ ସ୍ୱଚ୍ଛତା। ଜିଏସ୍ଟି, ସେବାକର, ସେସ୍ କିମ୍ବା ଡେଭଲପ୍ମେଣ୍ଟ ଫି ନାମରେ ଶୋଷଣ କରିପାରିବେନି ବିଲ୍ଡର। ଚୁକ୍ତି ସମୟରେ ଧାର୍ଯ୍ୟ ମୂଲ୍ୟ ହିଁ ହେବ ଘରର ଚୂଡ଼ାନ୍ତ ମୂଲ୍ୟ। ଏଥିଲାଗି ଓଡ଼ିଶା ରିଅଲ୍ ଇଷ୍ଟେଟ୍ ନିୟାମକ ଓ ବିକାଶ ନିୟମ-୨୦୧୭ରେ ସଂଶୋଧନ ଆଣିଛନ୍ତି ସରକାର।
ଓରେରା ସଂଶୋଧିତ ନିୟମ-୨୦୨୨ ନେଇ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରକାଶ ପାଇଛି ଗେଜେଟ୍ ନୋଟିଫିକେସନ୍। ବିଜ୍ଞପ୍ତି ଅନୁଯାୟୀ, ଯଦି କୌଣସି କାରଣରୁ ବାସଗୃହ ପ୍ରକଳ୍ପ ଧାର୍ଯ୍ୟ ସମୟଠୁ ଅଧିକ ବିଳମ୍ବ ହେଉଛି, ଏଥିଲାଗି ଅଧିକ ଅର୍ଥ ଦାବି କରିପାରିବ ନାହିଁ ବିଲ୍ଡର ସଂସ୍ଥା। ଏହାଛଡ଼ା ଆପାର୍ଟମେଣ୍ଟର ସର୍ବସାଧାରଣ ବ୍ୟବହୃତ ଅଞ୍ଚଳ ବା କମନ୍ ଏରିଆ ପଞ୍ଜିକରଣକୁ ନେଇ ଥିବା ଦ୍ୱନ୍ଦ୍ୱ ଦୂର କରିଛି ସଂଶୋଧିତ ନିୟମ। ଏଣିକି ବାସଗୃହ ପ୍ରକଳ୍ପର କମନ୍ ଏରିଆକୁ ପୃଥକ୍ ପୃଥକ୍ ବିକ୍ରି କରାଯାଇପାରିବ ନାହିଁ। କମନ୍ ଏରିଆ, ଆପାର୍ଟମେଣ୍ଟ୍ ସୋସାଇଟି ନାଁରେ ପଞ୍ଜିକୃତ ହେବ। ଆପାର୍ଟମେଣ୍ଟ୍ର ଅକ୍ୟୁପାନ୍ସି ସାର୍ଟିଫିକେଟ୍ ମିଳିବା ପରେ ହିଁ କମନ୍ ଏରିଆ ସୋସାଇଟି ନାମରେ ରେଜିଷ୍ଟ୍ରି ହେବ।
ଏପଟେ ଓରେରା ସଂଶୋଧିତ ନିୟମ-୨୦୨୨କୁ ଏକପାଖିଆ କହିବା ସହ ଏଥିରେ ଅନେକ ଅସଙ୍ଗତି ଥିବା କହିଛି ରିଅଲ୍ ଇଷ୍ଟେଟ୍ ସଂଘ। ସଂଘର ଯୁକ୍ତି, ବାସଗୃହ ଚୁକ୍ତି ପରେ ଜିଏସ୍ଟି କିମ୍ବା ଟିକସରେ ଯଦି କୌଣସି ବୃଦ୍ଧି ଘଟେ, ଏହାକୁ ବାସଗୃହ କ୍ରେତା ହିଁ ପଇଠ କରିବା ଉଚିତ। କିନ୍ତୁ ସରକାର ଏକପାଖିଆ ଭାବେ ବାସଗୃହ କ୍ରେତାଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏଭଳି ଟିକସକୁ ବିଲ୍ଡର ମୁଣ୍ଡରେ ଲଦି ଦେଇଛନ୍ତି। ସେହିଭଳି କମନ୍ ଏରିଆ ରେଜିଷ୍ଟ୍ରେସନ୍ ନେଇ ସଂଶୋଧିତ ନିୟମରେ ବି ଅନେକ ଦ୍ୱନ୍ଦ୍ୱ ରହିଛି, ଯାହାକି ବାସ୍ତବ କାର୍ଯ୍ୟକାରିତାରେ ବାଧା ସୃଷ୍ଟି କରିବ।
ଓରେରା ସଂଶୋଧିତ ନିୟମ-୨୦୨୨ ଘର କିଣିବାକୁ ଯୋଜନା ରଖିଥିବା ଲୋକଙ୍କ ଲାଗି କିଭଳି ଓ କେତେ ଫାଇଦା ଆଣୁଛି ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ।
(ରିପୋର୍ଟ : ଭୁବନେଶ୍ୱରରୁ କପିଳେନ୍ଦ୍ର ପ୍ରଧାନ)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)