• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସର୍ବସାଧାରଣଙ୍କ ପାଇଁ କାଲିଠାରୁ ଖୋଲିବ ଶ୍ରୀମନ୍ଦିର । ଏନେଇ SOP ଜାରି କଲା ଶ୍ରୀମନ୍ଦିର ପ୍ରଶାସନ । ଦୈନିକ ସକାଳ ୬ଟାରୁ ରାତି ୯ଟା ପର୍ଯ୍ୟନ୍ତ ଖୋଲା ରହିବ ଶ୍ରୀମନ୍ଦିର । ପୂର୍ବ ଭଳି ସାନିଟାଇଜେସନ ପାଇଁ ପ୍ରତି ରବିବାର ଶ୍ରୀମନ୍ଦିର ବନ୍ଦ ରହିବ । ଶ୍ରଦ୍ଧାଳୁମାନେ ସାଥିରେ ଆଧାର କିମ୍ବା ଭୋଟର କାର୍ଡ ଦେଖାଇ ଶ୍ରୀମନ୍ଦିରରେ ପ୍ରବେଶ କରିପାରିବେ ।

ଆଧାର କିମ୍ବା ଭୋଟର କାର୍ଡ ସହ ଡବଲ ଡୋଜ୍ ଟିକା ସାର୍ଟିଫିକେଟ ମଧ୍ୟ ଜରୁରୀ । ନଚେତ୍ ୯୬ ଘଣ୍ଟା ମଧ୍ୟରେ ହୋଇଥିବା ଆର୍‌ଟିପିସିଆର୍‌ ଟେଷ୍ଟ ନେଗେଟିଭ ରିପୋର୍ଟ ଦେଖାଇଲେ ଶ୍ରୀମନ୍ଦିରରେ ପ୍ରବେଶ ଅନୁମତି ମିଳିବ । ସବୁ ଶ୍ରଦ୍ଧାଳୁ ମାସ୍କ ବ୍ୟବହାର କରିବା ସହ ସାନିଟାଇଜର ବ୍ୟବହାର ଏବଂ ସାମାଜିକ ଦୂରତ୍ୱ ମାନିବାକୁ ବାଧ୍ୟ ।

ଫେବ୍ରୁଆରୀ ପହିଲାରୁ ଶ୍ରୀମନ୍ଦିର ଖୋଲିବା ନେଇ ଛତିଶା ନିଯୋଗ ବୈଠକ ପରେ ପୁରୀ ଜିଲ୍ଲାପାଳ ପ୍ରଥମେ ଏନେଇ ସୂଚନା ଦେଇଥିଲେ । ପୂର୍ବରୁ ଯେମିତି ପଶ୍ଚିମ ଦ୍ୱାର ଦେଇ ପୁରୀ ସହରବାସୀ ଶ୍ରୀମନ୍ଦିରରେ ପ୍ରବେଶ କରୁଥିଲେ, ଆଗାମୀ ଦିନରେ ମଧ୍ୟ ପୁରୀ ସହରବାସୀଙ୍କ ପାଇଁ ପଶ୍ଚିମଦ୍ୱାର ଖୋଲା ରହିବ । ଅନ୍ୟ ଶ୍ରଦ୍ଧାଳୁମାନେ ପୂର୍ବ ଦ୍ୱାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିବେ ।

ସେହି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ଅଧ୍ୟକ୍ଷତା କରିଥିଲେ । ଏଥିରେ ଜିଲ୍ଲାପାଳ ସର୍ଥ ବର୍ମା, ଜିଲ୍ଲା ଏସପି, ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ, ସମସ୍ତ ନିଯୋଗର କର୍ମକର୍ତ୍ତା ଓ ପରିଚାଳନା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । କୋଭିଡ୍ ସଂକ୍ରମଣ ବଢିବା ପରେ ଜାନୁଆରୀ ୧୦ରୁ ଜାନୁଆରୀ ୩୧ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ସର୍ବ ସାଧାରଣ ଦର୍ଶନ ବନ୍ଦ ରହିଥିଲା ।