• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ସାଥୀ ଖୋଜୁଛି ମହାରାଷ୍ଟ୍ରର ମହାବଳ । ଏ ଜଙ୍ଗଲରୁ ସେ ଜଙ୍ଗଲ ପଇଁତରା ମାରୁଛି ।ୟା ଭିତରେ ୭୫୦ କିଲୋମିଟର ପାର୍ ହୋଇସାରିଛି । ମହାରାଷ୍ଟ୍ର, ତେଲେଙ୍ଗାନା, ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶ ଭଳି ୪ ରାଜ୍ୟର ୨ ବ୍ୟାଘ୍ର ଅଭୟାରଣ୍ୟ ସହ ୧୦ରୁ ଅଧିକ ଘଞ୍ଚ ଜଙ୍ଗଲ ଡେଇଁ ଏବେ ଗଜପତି ଜଙ୍ଗଲରେ ନିଜ ପାଇଁ ସାଥୀ ଖୋଜୁଛି । ସାଥୀ ପାଇଲେ, ଗଢ଼ିବ ନିଜସ୍ୱ ଇଲାକା ।

ଏବେ ପ୍ରଶ୍ନ, ଏ ମହାବଳ ମହାରାଷ୍ଟ୍ରର ବୋଲି କେମିତି ଜଣାପଡ଼ିଲା ? ବନ୍ୟପ୍ରାଣୀ ପିସିସିଏଫ୍ କହିଛନ୍ତି, କିଛିଦିନ ତଳେ ଗଜପତିର ଅଁଳାବର ଜଙ୍ଗଲରେ କ୍ୟାମେରା ଟ୍ରାପରେ ଆସିଥିବା ମହାବଳର ଚିହ୍ନଟ ପାଇଁ ଫଟୋଗୁଡ଼ିକୁ ୱାଇଲ୍ଡଲାଇଫ୍ ଉନିଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆକୁ ପଠାଯାଇଥିଲା । ବାଘ ଶରୀରରେ ଥିବା ଷ୍ଟ୍ରାଇପ୍ ଆଧାରରେ ଏହା ମହାରାଷ୍ଟ୍ରର ମହାବଳ ବାଘ ବୋଲି ଚିହ୍ନଟ ହୋଇଛି । ୨୦୨୧ରେ ମହାବଳଟି ମହାରାଷ୍ଟ୍ର ଚନ୍ଦ୍ରପୁରୀ ଲ୍ୟାଣ୍ଡସ୍କେପ୍ ଅନ୍ତର୍ଗତ ବ୍ରହ୍ମପୁରୀ ବନଖଣ୍ଡରେ ଦେଖାଯାଇଥିଲା । ପରବର୍ତ୍ତୀ ସମୟରେ ଏହା ନିଜସ୍ୱ ଟେରିଟୋରି ସୃଷ୍ଟି ପାଇଁ ତଥା ସାଥୀ ଖୋଜିବା ଉଦ୍ଦେଶ୍ୟରେ ଏହା ଓଡ଼ିଶା ଆସିଥିବା ଅନୁମାନ କରାଯାଉଛି । ଅନ୍ୟପଟେ ଗଜପତି ଏସିଏଫ୍ କହିଛନ୍ତି, ବନ ବିଭାଗ ପକ୍ଷରୁ ୫ଟି ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ମହାବଳ ଉପରେ ନଜର ରଖାଯାଉଛି ।

ମହାରାଷ୍ଟ୍ରରୁ ଆସିଥିବା ଏ ମହାବଳଟି ଗତ ୫ ମାସ ହେଲା ଗଜପତି ଓ ଆନ୍ଧ୍ର ସୀମାନ୍ତରେ ଚଳପ୍ରଚଳ କରୁଛି । ଏବେ ପ୍ରଶ୍ନ ଉଠୁଛି, ମହାରାଷ୍ଟ୍ରର ଏ ମହାବଳ ଓଡ଼ିଶାକୁ ନିଜ ବାସସ୍ଥାନ ଭାବେ ବାଛି ସାରିଲାଣି କି ? ନା ଏହା ଅନ୍ୟ କୌଣସି ଜଙ୍ଗଲକୁ ଯିବାର ଆଶଙ୍କା ବି ରହିଛି ? ବନ୍ୟପ୍ରାଣୀ ବିଶେଷଜ୍ଞଙ୍କ ମତରେ, ବାଘ ସାଧାରଣତଃ ଭାବେ ନିଜ ପାଇଁ ଏକ ଉତ୍ତମ ବାସସ୍ଥାନ ଖୋଜିବାକୁ ଅଢ଼େଇରୁ ୩ ବର୍ଷ ସମୟ ନେଇଥା’ନ୍ତି । ଯେଉଁଠାରେ ନିଜ ପାଇଁ ଅନୁକୂଳ ପରିବେଶ ପାଆନ୍ତି, ସେମାନେ ସେଠାରେ ନିଜର ଇଲାକା ତିଆରି କରନ୍ତି । ଠିକ୍ ସେହିଭଳି ଏ ବାଘଟି ଏବେ ବି ନିଜ ପାଇଁ ଅନୁକୂଳ ବାସସ୍ଥାନ ଖୋଜୁଛି ।

ମହାରାଷ୍ଟ୍ରରୁ ଆସିଥିବା ଏ ମହାବଳ ଓଡ଼ିଶାରେ ନିଜ ସାଥୀ ଖୋଜି ପାଇବା ସହ ଟେରିଟୋରି ତିଆରି କରୁଛି ନା ନିରାଶ ହୋଇ ଫେରୁଛି, ତାହା ଦେଖିବାକୁ ବାକି ରହିଲା ।

ପାରଳାଖେମୁଣ୍ଡିରୁ ଆଦର୍ଶ ଦାସ ଓ ଭୁବନେଶ୍ବରରୁ କ୍ୟାମେରାପର୍ସନ ସରୋଜଙ୍କ ସହ କପିଳେନ୍ଦ୍ର ପ୍ରଧାନଙ୍କ ରିପୋର୍ଟ, ଓଟିଭି