• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସୁରକ୍ଷିତ ଅଛି ପୁରୀ ଶ୍ରୀମନ୍ଦିର । ପରିଚାଳନା କମିଟି ବୈଠକ ଶେଷ ହେବା ପରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ଗଜପତି ମହାରାଜ ଦିବ୍ୟସିଂହ ଦେବ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ମହାପ୍ରଭୁଙ୍କ କାର୍ଯ୍ୟ ହେଉଛି ସମସ୍ତଙ୍କ କାର୍ଯ୍ୟ । ଏଣୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟକୁ ସମସ୍ତେ ଆଗେଇ ନେବା ଉଚିତ୍‌ । ଏଥିରେ ବିରୋଧ କିମ୍ବା ବାଧା ଉଚିତ ନୁହେଁ ବୋଲି ସେ ସ୍ପଷ୍ଟ କରିଛନ୍ତି ।

ଯଦି ପରିକ୍ରମା ପ୍ରକଳ୍ପକୁ ନେଇ କୌଣସି କଥାରେ ଦ୍ୱନ୍ଦ୍ୱ ଅଛି, ତାହେଲେ ମିଳିତ ଭାବେ ତାର ସମାଧାନ କରିବା ଉଚିତ ବୋଲି ଗଜପତି ପରାମର୍ଶ ଦେଇଛନ୍ତି । ବୈଠକରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ୨୪୮ କୋଟି ଟଙ୍କାର ବଜେଟ ଅନୁମୋଦନ କରାଯାଇଛି ।

ସୂଚନାଯୋଗ୍ୟ, ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଗଜପତି ମହାରାଜାଙ୍କ ଅଧକ୍ଷତାରେ ଆରମ୍ଭ ହୋଇଥିଲା । ଶ୍ରୀମନ୍ଦିର ପରିକ୍ରମା ମାର୍ଗ ନିର୍ମାଣ ପ୍ରସଙ୍ଗରେ ଏଥିରେ ଆଲୋଚନା କରାଯାଇଥିଲା । ଚଳିତ ଆର୍ଥିକ ବର୍ଷ ୨୦୨୨-୨୩ର ଶ୍ରୀମନ୍ଦିର ବଜେଟ, ଗୁରୁକୂଳ ପ୍ରସଙ୍ଗ, ସେବାୟତ କଲ୍ୟାଣ, ଚନ୍ଦନ ଯାତ୍ରା ଓ ଅକ୍ଷୟ ତୃତୀୟାର ନୀତି ନୀର୍ଘଣ୍ଟ ଅନୁମୋଦନ ସହ ରଥଯାତ୍ରାର ପ୍ରସ୍ତୁତି ଓ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା ମଧ୍ୟ କରାଯାଇଥିଲା ।

ଗତ କିଛି ଦିନ ଧରି ଶ୍ରୀମନ୍ଦିରର ୧୦୦ ମିଟର ପରିଧିରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ଯାହାକୁ ନେଇ ବିବାଦ ଉପୁଜିଛି । ଏଏସ୍‌ଆଇର କୌଣସି ଅନୁମତି ବିନା ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ନିର୍ମାଣ କାର୍ଯ୍ୟ କରାଯାଉଛି । ଯାହାକୁ ବେଆଇନ୍‌ ବୋଲି କହିଛନ୍ତି ବିରୋଧୀ । କେବଳ ବିରୋଧୀ ନୁହେଁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମଧ୍ୟ ସେହି ନିର୍ମାଣ କାର୍ଯ୍ୟକୁ ବିରୋଧ କରାଯାଇଛି । ଶ୍ରୀମନ୍ଦିର ପ୍ରତି ଏହା ବିପଦ ବୋଲି କୁହାଯାଇଛି । ତେବେ ପରିଚାଳନା କମିଟି ବୈଠକ ପରେ ଗଜପତି ମାହାରାଜ ଦିବ୍ୟସିଂହ ଦେବ ସବୁ ଚର୍ଚ୍ଚା ଓ ଆଲୋଚନା ଉପରେ ବିରାମ ଲଗାଇବାକୁ ଚେଷ୍ଟା କରିଛନ୍ତି । ସେ କହିଛନ୍ତି ଶ୍ରୀମନ୍ଦିର ସୁରକ୍ଷିତ ଅଛି । ଶ୍ରୀମନ୍ଦିର ପ୍ରତି କୌଣସି ବିପଦ ନାହିଁ । ପରିକ୍ରମା ପ୍ରକଳ୍ପକୁ ବିରୋଧ କରିବା ଉଚିତ୍‌ ନୁହେଁ ।

ସେପଟେ ଆଜି ଶ୍ରୀମନ୍ଦିରରେ ପଇତା ଲାଗି ନୀତି । ଏଥିଲାଗି ଅପରାହ୍ନ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ବନ୍ଦ ରହିବ ସାଧାରଣ ଦର୍ଶନ । ପରମ୍ପରା ଅନୁଯାୟୀ, ଦ୍ୱିତୀୟ ଭୋଗ ମଣ୍ଡପ ଲାଗି ହେବା ପରେ ଶ୍ରୀଜୀଉମାନଙ୍କ ପଇତା ଲାଗି ନୀତି ଅନୁଷ୍ଠିତ ହେବ । ଏହି ପଇତା ଲାଗି ସେବା ଦଇତାପତି ସେବକ ମାନଙ୍କର ଏକ ଗୋଷ୍ଠୀଗତ ସେବା । ଏଠାରେ ଦୈନଦିନ ଲାଗି ହେଉଥିବା ଚନ୍ଦନର ସୁରକ୍ଷା ନିମନ୍ତେ ମହାପ୍ରଭୁଙ୍କ ପଇତା ଲାଗି କରାଯାଇଥାଏ ।