• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବିଶ୍ୱବିଜୟୀ ଆଲେକଜାଣ୍ଡାର୍ ଓ ତାଙ୍କ ପ୍ରିୟ ଘୋଡ଼ା ବୁସେଫେଲାସରେ ସମ୍ପର୍କ ଭଳି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସହ ଡାକୋଟା ବିମାନର ସଂପର୍କ । ଯେତେବେଳେ ବି ବିଜୁ ପଟ୍ଟନାୟକଙ୍କ ବୀରତ୍ୱର ଗାଥା ସମ୍ପର୍କରେ ଚର୍ଚ୍ଚା ହୁଏ, ଆଗକୁ ଆସେ ଡାକୋଟା ବିମାନ । ବିଜୁବାବୁଙ୍କ କଳିଙ୍ଗ ଏୟାରଲାଇନ୍ସରେ ସାମିଲ ଥିବା ସେଇ ଭଳି ଏକ ଡାକୋଟା ବିମାନ ଏବେ ଭୁବନେଶ୍ୱର ପହଞ୍ଚିଯାଇଛି । ବହୁ ଦାବି ପରେ କୋଲକାତା ବିମାନବନ୍ଦରରେ ଅବହେଳିତ ଅବସ୍ଥାରେ ଥିବା ଡାକୋଟାକୁ ଖଣ୍ଡ ଖଣ୍ଡ କରି ତିନିଟି ଟ୍ରେଲର ଯୋଗେ ଭୁବନେଶ୍ୱର ଏୟାରପୋର୍ଟକୁ ଅଣାଯାଇଛି ।

ଗଲାକାଲି ରାତିରେ କୋଲକାତା ବିମାନବନ୍ଦରରୁ ତିନିଟି ଟ୍ରେଲରରେ ଲଦା ହୋଇ ବାହାରିଲା ଡାକାଟୋ । ଆଜି ସକାଳ ପ୍ରାୟ ୭ଟା ବେଳେ ବାଲେଶ୍ୱର ଲକ୍ଷ୍ମଣନାଥ ଗେଟ୍ ଦେଇ ଓଡ଼ିଶା ସୀମାକୁ ପ୍ରବେଶ କରିଥିଲା । ତେବେ ବିଜୁ ବାବୁଙ୍କ ପ୍ରିୟ ଡାକୋଟା ପାଇଁ ଜାତୀୟ ରାଜପଥରେ ଆଗ ପଛ ହୋଇ ଓଡ଼ିଶା ପୋଲିସ୍ ଏସ୍କଟରେ ଭୁବନେଶ୍ୱର ଅଭିମୁଖେ ଆସିଥିଲା । ବାଟ ସାରା କିଏ ବିମାନର ସେଲ୍ଫି ନେଉଥିଲେ, ପୁଣି କେଉଁଠି କେଉଁଠି ଟ୍ରେଲରକୁ ଅଟକାଇ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଦିଆଯାଉଥିଲା । ଦୀର୍ଘ ବର୍ଷର ଦାବି, ଓଟିଭିରେ ବହୁବାର ଖବର ପ୍ରସାରଣ ପରେ ଶେଷରେ ଡାକୋଟା ଓଡ଼ିଶା ଆସୁଥିବାରୁ ସମସ୍ତଙ୍କ ଭିତରେ ଥିଲା ଉତ୍ସାହ ।

ହେଲେ ଡାକୋଟା ବିମାନକୁ ଭୁବନେଶ୍ୱର ବିମାନ ବନ୍ଦରରେ ରଖାଯିବା ନିଷ୍ପତ୍ତିକୁ ନେଇ କିନ୍ତୁ କଟକରେ ଅସନ୍ତୋଷ । ବିମାନକୁ ବିଜୁବାବୁଙ୍କ ଜନ୍ମସ୍ଥାନ ଆନନ୍ଦ ଭବନରେ ରଖାଯିବା ଦାବିରେ କଟକ ବାଇମୁଣ୍ଡି ସଂଗଠନ ପକ୍ଷରୁ ଶିଖରକପୁର ଛକରେ ନିରବ ପ୍ରତିବାଦ କରାଯାଇଛି... ।

୧୯୪୭ ମସିହାରେ ପାକିସ୍ତାନୀ ଶତ୍ରୁ ବଳୟ ଭିତରେ ପଶି ଶ୍ରୀନଗରରେ ଭାରତୀୟ ସେନାଙ୍କୁ ଏୟାରଲିଫ୍ଟ କରିବା ହେଉ କି ସେନା ପାଇଁ ଗୋଳାବାରୁଦ ଓ ଔଷଧ ପରିବହନ ଅବା ଇଣ୍ଡୋନେସିଆର ପ୍ରଧାନମନ୍ତ୍ରୀଙ୍କୁ ଡଚଙ୍କୁ କବଳରୁ ଉଦ୍ଧାର । ଏ ସମସ୍ତ ଦୁଃସାହସିକ ଅଭିଯାନରେ ଦୁର୍ଦ୍ଦଶ ପାଇଲଟ୍ ବିଜୁ ପଟ୍ଟନାୟକଙ୍କ ସାଥୀ ଥିଲା ଡାକୋଟା ବିମାନ । କୁହାଯାଉଛି, ବିଜୁବାବୁଙ୍କ ପରିଚାଳିତ କଳିଙ୍ଗ ଏୟାରଲାଇନ୍ସରେ ସାମିଲ ଥିବା ପ୍ରାୟ ୧୪ଟି ଡାକୋଟା ବିମାନରୁ ଇଏ ବି ଗୋଟିଏ । ଐତିହାସିକ ତଥା ଗବେଷକ ଅନିଲ ଧୀରଙ୍କ ମତରେ ଏଇ ବିମାନକୁ ୨୭ ମାସ ଧରି ଉଡ଼ାଇଛନ୍ତି ବିଜୁ ବାବୁ । ହେଲେ ଏଇ ନିର୍ଦ୍ଦିଷ୍ଟ ବିମାନ କିନ୍ତୁ ଇଣ୍ଡୋନେସିଆ ଅପରେସନରେ ସାମିଲ ନଥିଲା... ।

ଭୁବନେଶ୍ୱର ପହଞ୍ଚିବା ପରେ ଏଇ ବିଶାଳକାୟ ଡାକୋଟାକୁ ବିଜୁ ପଟ୍ଟନାୟକଙ୍କ ନାଁରେ ନାମିତ ବିମାନ ବନ୍ଦରରେ ସ୍ମାରକୀ ଭାବେ ରଖାଯାଉଛି । ଐତିହାସିକଙ୍କ ମତରେ ୧୯୪୪ ଫେବ୍ରୁଆରୀରେ ପ୍ରଥମ ଉଡ଼ାଣ ଭରିଥିବା ଏଇ ଡାକୋଟା ବିମାନକୁ ଏବେ ୮୬ ବର୍ଷ ହେଲାଣି । ହେଲେ ବୈମାନିକ ଭାବେ ପ୍ରବାଦ ପୁରୁଷ ବହୁ ସ୍ମୃତିକୁ ଜାବୋଡ଼ି ଧରିଥିବା ଏଇ ବିମାନକୁ ଯତ୍ନରେ ରଖାଗଲେ ଆଗାମୀ ଶହେ ବର୍ଷ ପର୍ଯ୍ୟନ୍ତ ମଧ୍ୟ ତାହା ରହି ପାରିବ ।