• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବାଲେଶ୍ୱର ଜିଲ୍ଲା ନୀଳଗିରିରେ ଅଭାବନୀୟ ଦୃଶ୍ୟ । ଆଇଟିଡିଏ ଅଫିସ ସାମ୍ନାରେ ଧାରଣା ଦେବାକୁ ଆସି ହୀନସ୍ତା ହୋଇଛନ୍ତି ଆନ୍ଦୋଳନକାରୀ । ସମସ୍ତଙ୍କ ଦେହ ସାରା କୁଣ୍ଡେଇ ହେବାରୁ ଅସ୍ତବ୍ୟସ୍ତ ହୋଇଥିଲେ ସମସ୍ତେ । ପୂର୍ବତନ ବିଧାୟକ ଚିତ୍ତରଂଜନ ଷଡ଼ଙ୍ଗୀଙ୍କ ସମେତ କିଛି ଲୋକ ନୀଳଗିରି ଆଇଟିଡିଏ ଅଫିସରେ ଦୁର୍ନୀତି ଅଭିଯୋଗ ଆଣି ଧାରଣା ଦେଇଥିଲେ । କିନ୍ତୁ କିଛି ସମୟ ପରେ ହିଁ ଆନ୍ଦୋଳନକାରୀଙ୍କ ହାତ ଗୋଡ଼ ସହ ସର୍ବାଙ୍ଗ କୁଣ୍ଡାଇ ହୋଇଥିଲା ।

ପରେ ଜଣାପଡ଼ିଥିଲା, ଅଫିସ ପାଚେରୀରେ ପରସ୍ତ ପରସ୍ତ ବାଇଡଙ୍କ ରହିଛି । ସେଠାରୁ ପବନରେ ଉଡ଼ି ଆସି ଲୋକଙ୍କ ଦେହରେ ଲାଗିଛି । ଏହା ଉପରେ କପଡ଼ା ଢାଙ୍କି ସମସ୍ତେ ପୁଣି ଧାରଣା ଜାରି ରଖିଥିବାବେଳେ କିଛି ଲୋକ ଆସି ସେମାନଙ୍କୁ ବିରୋଧ କରିବାରୁ ଉପୁଜିଥିଲା ମୁହାଁମୁହିଁ ପରିସ୍ଥିତି । ତେବେ ପୋଲିସ ପହଞ୍ଚି ସ୍ଥିତକୁ ନିୟନ୍ତ୍ରଣ କରିଥିଲା । ଧାରଣାକୁ ଭଣ୍ଡୁର କରିବା ଉଦ୍ଦେଶ୍ୟରେ ପାଚେରୀ ଉପରେ ଆଇଟିଡିଏ ଜେଇ ବାଇଡ଼ଙ୍କ ଲଗାଇଦେଇଥିବା ଅଭିଯୋଗ କରିଛନ୍ତି ପୂର୍ବତନ ବିଧାୟକ ଚିତ୍ତରଂଜନ ଷଡ଼ଙ୍ଗୀ । ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଜେଇ ରତିକାନ୍ତ ମଢ଼େଇ ।

ସେପଟେ ଦାବିପୂରଣ ପାଇଁ ଆଣ୍ଠେଇ କାନ ଧରି ପ୍ରତିବାଦ ମଧ୍ୟ ଦେଖିବାକୁ ମିଳିଛି । ୩ ଦଫା ଦାବି ନେଇ ଓଡ଼ିଶା ରାଜ୍ୟ କର୍ମଚାରୀ ଥଇଥାନ ଆଶାୟୀ ସଂଘ ଏମିତି ଅଭିନବ ପ୍ରତିବାଦ କରିଛି । ମୃତ କର୍ମଚାରୀ ପରିବାର ଥଇଥାନ ଯୋଜନା ୧୯୯୦ ବିଜ୍ଞପ୍ତି ଅନୁଯାୟୀ ନିଯୁକ୍ତି ଓ ୨୦୨୦ ବିଜ୍ଞପ୍ତି ତୁରନ୍ତ ବାତିଲ ଦାବିରେ ୪ ଦିନ ହେଲା ଧାରଣା ଦେଇଛି ସଂଘ । ଆଜି ଧାରଣାରତ ଜଣେ ଆଶାୟୀ ଅସୁସ୍ଥ ହୋଇପଡିବାରୁ ସ୍ଥିତି ଟିକେ ଉତ୍ତେଜନା ପୂର୍ଣ୍ଣ ହୋଇ ଉଠିଥିଲା । ଅନ୍ୟ ସଦସ୍ୟମାନେ ଉତ୍ତ୍ୟକ୍ତ ହୋଇ ବିଧାନସଭା ଆଡ଼କୁ ଅଗ୍ରସର ବେଳେ ପୋଲିସ ସେମାନଙ୍କୁ ବ୍ୟାରିକେଡ୍ ନିକଟରେ ଅଟକାଇଥିଲା । ଏ ସମୟରେ ପୋଲିସ ସହ ମୁହାଁମୁହିଁ ହୋଇଥିଲେ ଆନ୍ଦୋଳନକାରୀ ।