Advertisment

ଭବାନୀ ଶଙ୍କର ଚୟନୀଙ୍କୁ ହାଇକୋର୍ଟଙ୍କ 'ବାଲି' ଛାଟ, ସତ୍ୟପାଠ ସମ୍ପୂର୍ଣ୍ଣ ମିଥ୍ୟା ଦର୍ଶାଇ ହାଇକୋର୍ଟ କ୍ଷୁବ୍ଧ

କଟକର ପୂର୍ବତନ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କୁ ହାଇକୋର୍ଟଙ୍କ 'ବାଲି' ଛାଟ। ବାଲି ପରିବହନ ନେଇ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଦାଖଲ କରିଥିବା ସତ୍ୟପାଠ ମିଥ୍ୟା ବୋଲି କହିବା ସହିତ, ତତ୍କାଳୀନ ଜିଲ୍ଲାପାଳ ଚୟନୀଙ୍କ ଉପରେ ଭୀଷଣ କ୍ଷୁବ୍ଧ ହୋଇଛନ୍ତି ଉଚ୍ଚ ନ୍ୟାୟାଳୟ ।

author-image
Santosh Kumar Sahoo
Kathajodi sand mining

Kathajodi sand mining

ସତ୍ୟପାଠ ନାଁରେ ହାଇକୋର୍ଟରେ ଦାଖଲ ହୋଇଥିଲା 'ମିଥ୍ୟାପାଠ'। ଅନ୍ୟକେହି ନୁହେଁ, 'ମିଥ୍ୟାପାଠ' ଦେଇଥିଲେ ତତ୍କାଳୀନ କଟକ ଜିଲ୍ଲାପାଳ। ପୂର୍ବତନ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କୁ ହାଇକୋର୍ଟଙ୍କ ଶକ୍ତ 'ବାଲି' ଛାଟ। ବେଆଇନ ବାଲି ଉଠାଣ ଓ ପରିବହନକୁ ନେଇ ଏକ ଜନସ୍ୱାର୍ଥ ମାମଲାରେ ହାଇକୋର୍ଟଙ୍କୁ ମିଛ କହି ଅଡ଼ୁଆରେ ପଡ଼ିଛନ୍ତି କଟକର ପୂର୍ବତନ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ। ଲିଜ୍‌ଧାରୀଙ୍କ ପାଇଁ ପ୍ରଶାସନ, ଲୋକଙ୍କ ସ୍ୱାର୍ଥକୁ ଆଖି ବୁଜି ଦେଇଥିବା ଅଭିଯୋଗରେ ଦର୍ଶାଯାଇଥିଲା। ଏହାକୁ ନେଇ ହାଇକୋର୍ଟ ଜିଲ୍ଲା ପ୍ରଶାସନଠାରୁ ସତ୍ୟପାଠ ମାଗିଥିଲେ । ଜବାବରେ ପ୍ରଶାସନ ପକ୍ଷରୁ ଦର୍ଶାଯାଇଥିଲା ଯେ, ସେଭଳି କିଛି ହେଉନାହିଁ; ଯାହା କିଛି ଘଟିଛି, ତା'ର ଫାଇନ୍ ଆଦାୟ ହୋଇଛି। ତେବେ ଏହାକୁ ନେଇ କଟକର ତତ୍କାଳୀନ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କ ପ୍ରତି କ୍ଷୁବ୍ଧ ହୋଇଛନ୍ତି ହାଇକୋର୍ଟ ।

Advertisment

ଦେଖନ୍ତୁ ହାଇକୋର୍ଟଙ୍କ ଏହି ଅର୍ଡର କପିକୁ। ଲେଖା ହୋଇଛି- ୨୦୨୩ ମସିହା ଜୁଲାଇ ୧୯ରେ ତତ୍କାଳୀନ କଟକ ଜିଲ୍ଲାପାଳଙ୍କ ଆଫିଡେଭିଟ୍ ମିଥ୍ୟା ସୂଚନା ଓ କପୋଳକଳ୍ପିତ ବୟାନ ଆଧାରିତ। ଏନକ୍ୱେରୀ ରିପୋର୍ଟ ଡକ୍ୟୁମେଣ୍ଟ ଆଧାରରେ ଏହା କହିଛନ୍ତି ହାଇକୋର୍ଟ। ଜଣେ ଦାୟିତ୍ୱ ସଂପନ୍ନ ଅଫିସରଙ୍କ ଦ୍ୱାରା ଏଭଳି ମିଛ ସତ୍ୟପାଠ ଅଗ୍ରହଣୀୟ। ହାଇକୋର୍ଟ ଏଭଳି ଘଟଣାକୁ ଗୁରୁତ୍ୱର ସହ ନେବା ସହିତ, ମିଥ୍ୟା ସତ୍ୟପାଠ ଦାଖଲକାରୀଙ୍କ ଉପରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ହେବା ଉଚିତ, ଯାହାଦ୍ୱାରା ଅନ୍ୟମାନେ ଚେତିବେ ବୋଲି କହିଛନ୍ତି।

କଟକ ସହର ଏବଂ ଆଖପାଖ ନଦୀପଠାରୁ ବେଆଇନ ବାଲି ଚାଲାଣ ହେଉଥିବା ବିଭିନ୍ନ ମହଲରୁ ବିଭିନ୍ନ ସମୟରେ ଅଭିଯୋଗ ହୋଇଆସୁଛି। ତେବେ ଏହି ଦୀର୍ଘଦିନର ସମସ୍ୟାକୁ ନେଇ ଆବେଦନକାରୀ ପ୍ରଶାନ୍ତ କୁମାର ଦାସ ହାଇକୋର୍ଟରେ ପିଆଇଏଲ୍ ଦାଖଲ କରିଥିଲେ । ଅଭିଯୋଗ ଆଣିଥିଲେ ଯେ, କାଠଯୋଡ଼ି ନଦୀପଠାରୁ ବେଆଇନ ଭାବେ ବହୁସଂଖ୍ୟକ ଏକ୍ସକାଭେଟରରେ ବାଲି ଉଠାଯାଉଛି। ମାତ୍ରାଧିକ ବାଲି ଉତ୍ତୋଳନ ଯୋଗୁଁ ନଦୀ ଉପରେ କୁପ୍ରଭାବ ପଡ଼ୁଛି। ଏଥିସହ ସରକାରଙ୍କୁ ବାର୍ଷିକ ୨୪୫ କୋଟିର ରାଜସ୍ୱ ହାନି ସହିବାକୁ ପଡ଼ୁଛି। ଆଇନ ଉଲ୍ଲଂଘନ କରି ଅନିୟନ୍ତ୍ରିତ ଭାବେ ବାଲି ପରିବହନ ହେଉଛି। ଯାହାଫଳରେ ବାୟୁ ପ୍ରଦୂଷଣ ବଢ଼ିବା ସହ ସଡ଼କ ଦୁର୍ଘଟଣା ବୃଦ୍ଧି ପାଉଛି। ତେବେ ଏହାକୁ ନେଇ ସେତେବେଳେ କଟକ ଜିଲ୍ଲା ପ୍ରଶାସନ ଦାଖଲ କରିଥିବା ସତ୍ୟପାଠ ମିଛ ବୋଲି ଅନୁଭବ କରିବା ପରେ, ଆସନ୍ତା ୧୫ ଦିନ ମଧ୍ୟରେ ସାନି ସତ୍ୟପାଠ ଦାଖଲ କରିବାକୁ ଅନୁମତି ଦେଇଛନ୍ତି ହାଇକୋର୍ଟ। ସେପଟେ ବେଆଇନ ବାଲି ଉଠାଣକୁ ନେଇ ବହୁ କଟକ ବାସିନ୍ଦା ମଧ୍ୟ ଉଦବେଗ ପ୍ରକାଶ କରିଛନ୍ତି ।

Advertisment
Cuttack Collector Cuttack Illegal Sand Mining Odisha
Advertisment
Advertisment