Advertisment

ଷ୍ଟ୍ରାଇକରେ ବନ କର୍ମଚାରୀ, ଜନବସତି ମୁହାଁ ବଣୁଆ ହାତୀ

ଅନୁଗୁଳରେ ହାତୀ ଆକ୍ରମଣରେ ଦୁଇ ମୃତ। ସମ୍ବଲପୁରରେ ବି ଦୁଇ ଜଣଙ୍କୁ ଦଳିଦେଲା ଦନ୍ତା। ଆଉ ଭୁବନେଶ୍ୱରରେ ହାତୀଙ୍କ ଉପଦ୍ରବ। ବନ କର୍ମଚାରୀଙ୍କ ନୋ ପାଟ୍ରୋଲିଂ ଡାକରା ପରେ ଲଗାତାର ୩ ଦିନ ଧରି ସାମ୍ନାକୁ ଆସିଛି ଏଭଳି ଘଟଣା।

author-image
Chandan Shishu
Forest staff continue symbolic protest: Four killed in separate elephant attacks in Odisha

Forest staff continue symbolic protest: Four killed in separate elephant attacks in Odisha

ଷ୍ଟ୍ରାଇକରେ ବନ କର୍ମଚାରୀ, ଏଣେ ଜନବସତି ମୁହାଁ ହାତୀ। କେଉଁଠି ମଣିଷ ମାରିଲଣି, ତ କେଉଁଠି ଭାଙ୍ଗିଲଣି ଘରଦ୍ବାର। ରାଜ୍ୟରେ ବିଭିନ୍ନ ଅଞ୍ଚଳରେ ଏବେ ଦେଖିବାକୁ ମିଳୁଛି ହାତୀ ଉପଦ୍ରବ। ଦୁଇ ଦିନରେ ହାତୀ ଆକ୍ରମଣରେ ଗଲାଣି ୪ ଜୀବନ। ଶିମିଳିପାଳରେ ୨ ବନ କର୍ମଚାରୀଙ୍କୁ ଶିକାରୀଙ୍କ ଗୁଳି ପରେ, ଡ୍ୟୁଟିରେ ଥିଲେ ବି ପାଟ୍ରୋଲିଂକୁ ଯାଉନାହାନ୍ତି କର୍ମଚାରୀ। ତେଣେ ଶିମିଳିପାଳରେ ପହଞ୍ଚିଛନ୍ତି କେନ୍ଦ୍ରୀୟ ଟିମ୍।

Advertisment

ଅନୁଗୁଳରେ ହାତୀ ଆକ୍ରମଣରେ ଦୁଇ ମୃତ। ସମ୍ବଲପୁରରେ ବି ଦୁଇ ଜଣଙ୍କୁ ଦଳିଦେଲା ଦନ୍ତା। ଆଉ ଭୁବନେଶ୍ବରରେ ହାତୀଙ୍କ ଉପଦ୍ରବ। ବନ କର୍ମଚାରୀଙ୍କ ନୋ ପାଟ୍ରୋଲିଂ ଡାକରା ପରେ ଲଗାତାର ୩ ଦିନ ଧରି ସାମ୍ନାକୁ ଆସିଛି ଏଭଳି ଘଟଣା। ସମ୍ବଲପୁର ରେଢାଖୋଲ ବନଖଣ୍ଡ ଅଧୀନସ୍ଥ ଯୁଯୁମରା ରେଞ୍ଜର କନସର ଗାଁରେ ଥିବା ଏକ ଢାବା ମାଲିକଙ୍କୁ ଦଳି ଦେଇଛି ଦନ୍ତା। ସେହିପରି ବଡ଼ମାଳ ରେଞ୍ଜର ବୁଢିଖମର ଗାଁରେ ୫୨ ବର୍ଷୀୟ ବୃଦ୍ଧ ରଙ୍କ ଭୂଇନାଙ୍କର ମୃତ୍ୟୁ ବି ହାତୀ ଦଳାରେ ହୋଇଥିବା ଅଭିଯୋଗ ଆସିଛି।

ସେପଟେ ମଙ୍ଗଳବାର ଅନଗୁଳ ବନଖଣ୍ଡ ବନ୍ତଳା ବନାଞ୍ଚଳର ଅରାଡିହ ଗାଁର ଅରୁଣ ପ୍ରଧାନ ଏବଂ ସାନକନ୍ତକୂଳ ଗାଁରେ ଶ୍ରୀନିବାସ ସାହୁଙ୍କର ହାତୀ ଆକ୍ରମଣରେ ମୃତ୍ୟ ହୋଇଥିବା  ଅଭିଯୋଗ ଆସିଛି। ବିଶେଷ କରି ବନ କର୍ମଚାରୀଙ୍କ ଫୁଟ୍ ପାଟ୍ରୋଲିଂ ବନ୍ଦ ଫଳରେ ହାତୀ ଜଙ୍ଗଲ ଛାଡି ବାଟ ହୁଡୁଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା। ଅନ୍ୟପଟେ ରାଜଧାନୀ ଶିଖରଚଣ୍ଡୀରେ ମଧ୍ୟ ହାତୀ ଉପଦ୍ରବ ଦେଖିବାକୁ ମିଳିଛି। ଶିଖରଚଣ୍ଡୀ ପାଦଦେଶରେ ଥିବା ଗଣେଶ ବିହାରଠାରେ ୩ ହାତୀ ପଶି ପାଚେରୀ ଭାଙ୍ଗିବା ସହ କିଛି ଗଛ ମଧ୍ୟ ଭାଙ୍ଗିଥିଲେ। 

Advertisment

ତେବେ ଏଠି ପାଟ୍ରୋଲିଂ ଅଭାବ ସହ ପ୍ରଶାସନ ଶିଖରଚଣ୍ଡୀର ମୁଣ୍ଡିଆରେ ଗଛ କାଟିବା ସହ ପାହାଡ ଭାଙ୍ଗିବାରୁ ହାତୀ ଜନବସତିରେ ପଶିଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା। ନିକଟରେ ଶିମିଳିପାଳରେ ଶିକାରୀଙ୍କ ଗୁଳିରେ ଦୁଇ ବନ କର୍ମଚାରୀଙ୍କ ମୃତ୍ୟକୁ ନେଇ ଆନ୍ଦୋଳନ ଡାକରା ଦେଇଛନ୍ତି କର୍ମଚାରୀ। ଯେଉଁଥିପାଇଁ ଡ୍ୟୁଟିରେ ଥାଇ ବି ପାଟ୍ରୋଲିଂକୁ ଯାଉନାହାନ୍ତି। ଯାହାଫଳରେ ପାଟ୍ରୋଲିଂ ଅଭାବରୁ ହାତୀ ବାଟ ହୁଡୁଥିବା କୁହାଯାଉଛି। 

ହେଲେ ଚନ୍ଦକା ଡିଏଫଓ ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି, ପାଟ୍ରୋଲିଂ ପ୍ରଭାବିତ ହୋଇନି। ରେଞ୍ଜର ଏବଂ ଏସିଏଫଙ୍କ ନେତୃତତ୍ବରେ ସ୍କ୍ବାର୍ଡ ନିୟମିତ ପାଟ୍ରୋଲିଂ କରୁଛନ୍ତି। ସେପଟେ ବନ କର୍ମଚାରୀଙ୍କ ଦାବି ନେଇ ପିସିସିଏଫ୍ କହିଛନ୍ତି ଅନେକ ଦାବିକୁ ସରକାର ପୂରଣ କରିବା ପାଇଁ ପଦକ୍ଷେପ ନେଉଛନ୍ତି। ଆଉ କିଛି ପର୍ଯ୍ୟାୟ କ୍ରମେ ପୂରଣ ହେବ। 

ଅନ୍ୟପଟେ ଶିମିଳିପାଳରେ ପହଞ୍ଚିଛନ୍ତି କେନ୍ଦ୍ରୀୟ ଟିମ। ଭାରତ ସରକାରଙ୍କ ଡିଜି ଫରେଷ୍ଟଙ୍କ ଅଧ୍ୟକ୍ଷତାରେ ୪ ଜଣିଆ ଟିମ ପହଞ୍ଚିିବା ପରେ ଶୀଘ୍ର ଶିମିଳିପାଳ ଯାଇ ସ୍ଥିତି ଅନୁଧ୍ୟାନ କରିବେ। ଶିମିଳିପାଳ ପାଇଁ ଭାରତ ସରକାରଙ୍କ ପକ୍ଷରୁ କଣ ସାହାଯ୍ୟ ଯୋଗାଇ ଦିଆଯିବ ସେ ନେଇ ସ୍ଥିର କରାଯିବ ବୋଲି ସୂଚନା ଦେଇଛନ୍ତି ପିସିସିଏଫ୍।

Advertisment
Advertisment