• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଶିମିଳିପାଳରୁ ନାରଙ୍ଗୀ ଭାୟା କୁଲଡିହା । ସବୁଠି ଜଳୁଛି ଜଙ୍ଗଲ । କେବଳ ଆଜି ଗୋଟିଏ ଦିନରେ ରାଜ୍ୟର ବିଭିନ୍ନ ଜଙ୍ଗଲର ୧୪୩ଟି ସ୍ଥାନରେ ଲାଗିଛି ବଡ଼ ଧରଣର ନିଆଁ । ଏପଟେ ପିସିସିଏଫ୍, ଜଙ୍ଗଲ ନିଆଁକୁ ମନୁଷ୍ୟକୃତ କହିବା ସହ ନିଆଁ ଖବର ପାଇବା ମାତ୍ରେ ତ୍ୱରିତପଦକ୍ଷେପ ନିଆଯାଉଥିବା କହିଛନ୍ତି ।

ନିଆଁର ଆଁ ଭିତରେ ରାଜ୍ୟର ଅମୂଲ୍ୟ ଜଙ୍ଗଲ ସମ୍ପଦ । କେଉଁଠି ହୁତୁହୁତୁ ହୋଇ ଜଳୁଛି, ତ ଆଉ କେଉଁଠି କୁହୁଳି କୁହୁଳି ବ୍ୟାପୁଛି ଜଙ୍ଗଲ ନିଆଁ । ମୟୂରଭଞ୍ଜର ଶିମିଳିପାଳ, ଗଜପତି ମୋହନାର ନାରଙ୍ଗୀ, ଖୋର୍ଦ୍ଧାର ବରୁଣେଇ, ବାଲେଶ୍ୱରର ସୋର ଏବଂ କୁଲଡିହା ପାହାଡ଼ । ରାଜ୍ୟର ଅଧିକାଂଶ ଜିଲ୍ଲାରେ ଖରାଦିନ ଆରମ୍ଭରୁ ଅଣାୟତ୍ତ ହେଲାଣି ଜଙ୍ଗଲ ନିଆଁ ।

ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆର ରିପୋର୍ଟ କହୁଛି, ଆଜି ଅପରାହ୍ଣ ସୁଦ୍ଧା ଦେଶରେ ବିଭିନ୍ନ ଜଙ୍ଗଲରେ ମୋଟ ୬୦୭ଟି ସ୍ଥାନରେ ବଡ଼ ଧରଣର ନିଆଁ ଲାଗିଥିବା ବେଳେ ସେ ଭିତରୁ ଓଡ଼ିଶାର ଜଙ୍ଗଲରେ ସର୍ବାଧିକ ୧୪୩ ସ୍ଥାନରେ ନିଆଁ ଲାଗିଛି । ରିପୋର୍ଟ ଅନୁସାରେ, ଗତ ସପ୍ତାହକ ମଧ୍ୟରେ ଓଡ଼ିଶାର ଜଙ୍ଗଲରେ ୩୪୧ଟି ସ୍ଥାନରେ ବଡ଼ ଧରଣର ନିଆଁ ଲାଗିଛି । ଯାହା ଜଙ୍ଗଲ ସନ୍ନିକଟ ବାସିନ୍ଦା, ପରିବେଶବିତ ଓ ବନ ବିଭାଗର ଚିନ୍ତା ବଢାଇ ଦେଇଛି ।

ଏପଟେ ରାଜ୍ୟର ପ୍ରଧାନ ମୁଖ୍ୟ ବନ ସଂରକ୍ଷକ କହିଛନ୍ତି, ଜଙ୍ଗଲ ନିଆଁ ସଂପୂର୍ଣ୍ଣ ମନୁଷ୍ୟକୃତ । ଅକ୍ଟୋବର ମାସରୁ ରାଜ୍ୟରେ ବର୍ଷା ହୋଇନି, ଏପଟେ ଗ୍ରୀଷ୍ମ ପ୍ରବାହ ବଢୁଛି । ଜାଣିଶୁଣି ହେଉ ବା ଲୋକଙ୍କ ଅସାବଧାନତା ଯୋଗୁଁ ଜଙ୍ଗଲ ନିଆଁ ବ୍ୟାପୁଥିବା କହିଛନ୍ତି PCCF । ତେବେ ନିଆଁ ସମ୍ପର୍କରେ ଖବର ପାଇବା ମାତ୍ରେ ବନ ବିଭାଗର ରେସ୍ପନ୍ସ ଟିମ୍ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ।

ସେପଟେ ବିଶେଷଜ୍ଞ କିନ୍ତୁ ଏଥିଲାଗି ରାଜ୍ୟରେ ବନ ବିଭାଗ କର୍ମଚାରୀଙ୍କ ଘୋର ଅଭାବକୁ ଦାୟୀ କରିଛନ୍ତି । ଜଣେ ଜଣେ କର୍ମଚାରୀ ୨-୩ଟି ଲେଖାଏଁ ବିଟ୍ ଦାୟିତ୍ୱରେ ରହୁଥିବାରୁ ସେମାନେ ସ୍ଥାନୀୟ ଲୋକଙ୍କ ସଂସ୍ପର୍ଶରେ ଆସିପାରୁନାହାନ୍ତି । ଏ ଦିଗରେ ସରକାର ତୁରନ୍ତ ବିଚାର କରିବା ଆବଶ୍ୟକ ।

୨୦୨୦-୨୧ରେ ୫୧ ହଜାର ୯୬୮ ଘଟଣା ସହ ଜଙ୍ଗଲ ନିଆଁରେ ୧ ନମ୍ବର ସ୍ଥାନରେ ଥିଲା ଓଡ଼ିଶା । ୨୦୨୧-୨୨ରେ ଏ ସଂଖ୍ୟା ୨୨ ହଜାର ତଳକୁ ଖସି ଆଶ୍ୱସ୍ତି ଆଣିଥିଲା ।କିନ୍ତୁ ଏ ବର୍ଷ ଆରମ୍ଭ ଜଙ୍ଗଲ ନିଆଁ ଯେଉଁ ରୂପ ନେଲାଣି, ଆଗକୁ ସ୍ଥିତି ଅଣାୟତ୍ତ ହେବା ଆଶଙ୍କା କରାଯାଉଛି ।