• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଜଙ୍ଗଲ ନିଆଁକୁ ନେଇ ରାଜ୍ୟ-କେନ୍ଦ୍ର ଦୋଷ ଠେଲାଠେଲି । ଚାରିଆଡ଼େ ଜଙ୍ଗଲ ହୁତ୍ ହୁତ୍ ହୋଇ ଜଳିବା ପରେ ଆଜି ବିଧାନସଭାରେ ବି ଏ ପ୍ରସଙ୍ଗ ଉଠିଥିଲା । ମୁଲତବୀ ନୋଟିସ୍ ଉପରେ ଜଙ୍ଗଲ ନିଆଁ ସରଗରମ ଆଲୋଚନା ବେଳେ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ଉଭୟ କଂଗ୍ରେସ ଓ ବିଜେପି ।

ଜଙ୍ଗଲ ମନ୍ତ୍ରୀ କହିଛନ୍ତି, ୯୮ ପ୍ରତିଶତ ନିଆଁକୁ ଆୟତ୍ତ କରାଯାଇଛି । କିନ୍ତୁ ଜଙ୍ଗଲ ନିଆଁ ପ୍ରଶମନ ନେଇ ପ୍ରତିବର୍ଷ କେନ୍ଦ୍ର ଅର୍ଥ କମାଇ ଚାଲିଛି ବୋଲି ସେ ପାଲଟା ଅଭିଯୋଗ ବି କରିଛନ୍ତି । ନିଆଁ ଜଙ୍ଗଲରେ, ତାତି ବିଧାନସଭାରେ। ‘ଲାଗିଛି ନିଆଁ ଜଙ୍ଗଲରେ, ସରକାର ଶୋଇଛନ୍ତି ମହାନିଦ୍ରାରେ’ ଏହି ଶୀର୍ଷକ ମୁଲତବୀ ପ୍ରସ୍ତାବ ଆଣି ସିଧା ସରକାରଙ୍କୁ ନିଶାନା କରିଛନ୍ତି ବିରୋଧୀ ।

ଜଙ୍ଗଲ ନିଆଁକୁ ନେଇ କେନ୍ଦ୍ର-ରାଜ୍ୟ ଦୋଷ ଠେଲା ଠେଲି ହୋଇଛନ୍ତି । ବିଜେପି କହିଛି, ଜଳୁଛି ଜଙ୍ଗଲ । ବଢ଼ୁଛି ତାପମାତ୍ରା । ନିଆଁ ଲିଭାଇବା ପାଇଁ ପଶ୍ଚିମା ଝଡ଼କୁ ଭରସା କରି ହାତ ଟେକି ବସିଛନ୍ତି ସରକାର । ଅଭିଯୋଗ କରିଛନ୍ତି ଦଲାଲଙ୍କୁ ସହାୟତା କରିବାକୁ ଯାଇ ବନ ବିଭାଗ କର୍ମଚାରୀ ହିଁ ଜଙ୍ଗଲରେ ଲଗାଉଛନ୍ତି ନିଆଁ । ସେପଟେ ଜଙ୍ଗଲରେ ନିଆଁ ଲଗେଇବା ଅଭିଯୋଗରେ ସରକାର କେତେ ଜଣଙ୍କୁ ଗିରଫ କରିଛନ୍ତି ବୋଲି ପ୍ରଶ୍ନ କରିଛି କଂଗ୍ରେସ ।

ଜଙ୍ଗଲ ଓ ପରିବେଶ ମନ୍ତ୍ରୀ କହିଛନ୍ତି ରାଜ୍ୟର ପ୍ରାୟତଃ ସମସ୍ତ ଜଙ୍ଗଲ ନିଆଁ ମନୁଷ୍ୟକୃତ । ବାହାର ନିଆଁ ଧାନ ଓ ମକା ଚାଷ ଅବଶିଷ୍ଟାଂଶ ଜାଳିବାରୁ ହୋଇଥାଏ । ମାର୍ଚ୍ଚ ୧୩ ସୁଦ୍ଧା ରାଜ୍ୟରେ ୨୨ ହଜାର ୭୮୬ଟି ସ୍ଥାନରେ ବନାଗ୍ନି ଚିହ୍ନଟ ହୋଇଥିବା ବେଳେ ସେଥିରୁ ୨୨ ହଜାର ୩୧୬ଟି ବା ୯୮ ପ୍ରତିଶତ ପ୍ରଶମନ କରାଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି । ପ୍ରତିବର୍ଷ କେନ୍ଦ୍ର ସରକାର ଜଙ୍ଗଲ ନିଆଁ ପ୍ରତିହତ ପାଇଁ ବଜେଟ୍ କମାଇ ଚାଲିଥିବା ପାଲଟା ଅଭିଯୋଗ ବାଢ଼ିଛନ୍ତି ଜଙ୍ଗଲ ମନ୍ତ୍ରୀ ।

ତେବେ ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୁଷ୍ଟ ହୋଇ ବିରୋଧୀ କକ୍ଷତ୍ୟାଗ କରିଥିଲେ । ୯୮ ପ୍ରତିଶତ ଜଙ୍ଗଲ ନିଆଁ ପ୍ରଶମନ ନେଇ ମନ୍ତ୍ରୀ ବିଧାନସଭାରେ ଉତ୍ତର ରଖୁଥିବା ବେଳେ ବାସ୍ତବ ଚିତ୍ର କିନ୍ତୁ ପୂରା ଓଲଟା । ନିଳଗିରିରୁ ଶିମିଳିପାଳ ସବୁଠି ଜଳୁଛି ଜଙ୍ଗଲ । ନୀଳଗିରି ରେଞ୍ଜର। ବନ ବିଭାଗ କର୍ମଚାରୀ ନିଆଁ ଲିଭାଇବାକୁ ପ୍ରୟାସ ଜାରି ରଖିଛନ୍ତି ।

୩ ଦିନ ପରେ ବି ଏଠି ବନାଗ୍ନି ନିୟନ୍ତ୍ରଣକୁ ଆସୁନି ବୋଲି କହିଛନ୍ତି ବନ କର୍ମଚାରୀ । ଆଉ ଏ ଚିତ୍ର ହେଉଛି, ଶିମିଳିପାଳ ପେଜଗଳାର । ଏଠି ବି ହୁତ୍ ହୁତ୍ ହୋଇ ଜଳୁଛି ଜଙ୍ଗଲ । ନିଆଁ ଲିଭାଇବା ପାଇଁ ବନ କର୍ମଚାରୀଙ୍କ ପ୍ରୟାସ ସତ୍ତ୍ୱେ ନିୟନ୍ତ୍ରଣକୁ ଆସୁନି ନିଆଁ। ଦୂର ପାହାଡ଼ରୁ ଉଠୁଛୁ ଧୂଆଁର ଆସ୍ତରଣ । ୧୦ ଦିନ ହେଲା ଏଠି ନିଆଁ ଲାଗିରହିଛି ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା ।