• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ସ୍ମାର୍ଟସିଟି ରାଉରକେଲାକୁ ବିମାନ ସେବାର ଭବିଷ୍ୟତକୁ ନେଇ ଏବେ ନାନା ଶଙ୍କା । ହକି ବିଶ୍ୱକପକୁ ଦେଖି ଉଡାନ୍ ସ୍କିମରେ ଆରମ୍ଭ ହୋଇଥିବା ବିମାନସେବା ଏବେ ଧକଉଛି । ରାତିରେ ବିମାନ ଅବତରଣ ପାଇଁ ସୁବିଧା ନଥିବା ଏବଂ ଇନ୍‌ଷ୍ଟ୍ରୁମେଣ୍ଟ ଲାଣ୍ଡିଂ ସିଷ୍ଟମ-ଆଇଏଲଏସ ଭଳି ଜରୁରୀ ଭିତ୍ତିଭୂମୀ ଅଭାବରୁ ଗତ ସପ୍ତାହେ ହେଲା ବାତିଲ ହେବାରେ ଲାଗିଛି ବିମାନ ସେବା । ଏଭଳି ସ୍ଥିତିକୁ ଦେଖି ତୁରନ୍ତ ରାଉରକେଲା ସମେତ ଜୟପୁର ବିମାନବନ୍ଦର ଲାଗି ଆବଶ୍ୟକ ଭିତ୍ତିଭୂମି ପାଇଁ ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆକୁ ଚିଠି ଲେଖିଛନ୍ତି ରାଜ୍ୟ ପରିବହନ ସଚିବ ।

ରାଉରକେଲାକୁ ବନ୍ଦ ହୋଇଯିବ କି ଯାତ୍ରୀବାହୀ ବିମାନ ସେବା ? ହକି ବିଶ୍ୱକପ୍ ବେଳେ ୬ ମାସ ତଳର ବହୁ ଆଡମ୍ବର ଲଘୁକ୍ରିୟାରେ ପରିଣତ ହେବନି ତ ? ଏବେ ସ୍ଥାନୀୟ ଲୋକେ ଏମିତି ଆଶଙ୍କା କଲେଣି । କାରଣ ବର୍ଷା ଋତୁ ଆରମ୍ଭରୁ ରାଉରକେଲା ବିମାନବନ୍ଦରରେ ବାରମ୍ବାର ବିମାନସେବା ବାତିଲ୍ ହେଉଥିବାବେଳେ ଗତ ସପ୍ତାହେ ହେଲା ଭୁବନେଶ୍ୱରରୁ ରାଉରକେଲାକୁ ବିମାନ ସେବାରେ ଦେଖାଦେଇଛି ସାଂଘାତିକ ଅନିୟମିତତା । ଆରମ୍ଭରୁ ୭୦ ପ୍ରତିଶତ ଯାତ୍ରୀ ଯାତାୟାତ କରୁଥିଲେ, ଏବେ ସେହି ସଂଖ୍ୟା ୩୦ ପ୍ରତିଶତକୁ ଖସିଆସିଛି ।

ବାରମ୍ବାର ବିମାନ ବାତିଲ ହେଉଥିବାରୁ ଏଭଳି ସ୍ଥିତି ଉପୁଜିଥିବା କୁହାଯାଉଛି । ହକି ବିଶ୍ୱକପକୁ ଦେଖି ଗତ ଜାନୁୟାରୀ ୫ରେ ଉଡାନ୍ ସ୍କିମରେ ରାଉରକେଲା ସହରକୁ ପ୍ରଥମ କରି ଆରମ୍ଭ ହୋଇଥିଲା ଯାତ୍ରୀବାହୀ ବିମାନ ସେବା । କିନ୍ତୁ ଗତ ସପ୍ତାହେ ହେଲା କ୍ରମାଗତ ଭାବେ ବାତିଲ୍ ହେବାରେ ଲାଗିଛି ବିମାନ । ରାତିରେ ବିମାନ ଅବତରଣ ସୁବିଧା ନଥିବାରୁ ଏବଂ ଇନ୍‌ଷ୍ଟ୍ରୁମେଣ୍ଟ ଲାଣ୍ଡିଂ ସିଷ୍ଟମ ତଥା ILS ଭଳି ଭିତ୍ତିଭୂମି ବିକଶିତ ହୋଇନଥିବାରୁ ବିମାନ ସେବାର ଭବିଷ୍ୟତକୁ ନେଇ ଦେଖାଦେଇଛି ଆଶଙ୍କା ।

କେବଳ ରାଉରକେଲା ନୁହଁ, କୋରାପୁଟ ଜିଲ୍ଲା ଜୟପୁରକୁ ବି ଉଡ଼ାନ୍ ଯୋଜନା ଅନ୍ତର୍ଗତ ବିମାନସେବା ପ୍ରଭାବିତ ହୋଇଛି । ସପ୍ତାହକୁ କେବଳ ୩ ଦିନ ଚାଲୁଛି ଚଳିତ ମାସ ୧ ତାରିଖରୁ । ଆସନ୍ତା ୨୩ ତାରିଖ ପରେ ନିୟମିତ ଚାଲିବ ବୋଲି ଜୟପୁର ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ସୂତ୍ରରୁ ଜଣାପଡ଼ିଛି । ରାଉରକେଲା ଓ ଜୟପୁର ବିମାନବନ୍ଦରରେ ବିମାନସେବାରେ ଏଭଳି ଅନିୟମିତତାକୁ ଦେଖି ଭିତ୍ତିଭୂମିର ବିକାଶ ପାଇଁ ରାଜ୍ୟ ବାଣିଜ୍ୟ ଓ ପରିବହନ ସଚିବ ଉଷା ପାଢୀ ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆକୁ ଚିଠି ଲେଖିଛନ୍ତି ।

ଚିଠିରେ ଦର୍ଶାଇଛନ୍ତି, ଉଭୟ ରାଉରକେଲା ଓ ଜୟପୁର ବିମାନବନ୍ଦର ପାଇଁ ଏକ ବିସ୍ତୃତ ମାଷ୍ଟର ପ୍ଲାନ୍ ସମେତ, ଆବଶ୍ୟକୀୟ ଜମି ଏବଂ ନାଇଟ୍ ଲ୍ୟାଣ୍ଡି ଫାସିଲିଟି ସକାଶେ ଏକ ଡିଟେଲ୍ ପ୍ରୋଜେକ୍ଟ ରିପୋର୍ଟ- DPR ପ୍ରସ୍ତୁତ କରାଯାଉ । ତେବେ ଏନେଇ ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି ।

 

  • Reported by:
  • PAWAN TIWARI