• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ରାସ୍ତା ମଝିରେ ଜଳିଗଲା ଚଳନ୍ତା ବସ୍ । ଅଳ୍ପକେ ବର୍ତ୍ତିଲେ ୩୦ରୁ ଅଧିକ ଯାତ୍ରୀ । ଏହି ଅଘଟଣ ଘଟିଛି କେନ୍ଦୁଝର କାଞ୍ଜିପାଣି ଘାଟିରେ । ଏହି ଘାଟି ଚଢୁଥିବା ବେଳେ ପାଢ଼ୀ ନାମକ ଏକ ଘରୋଇ ବସ୍‌ରେ ନିଆଁଲାଗି ଯାଇଥିଲା । ଏହା ପ୍ରାୟ ରାତି ୩ ଟା ବେଳର ଘଟଣା । ସାଙ୍ଗେ ସାଙ୍ଗେ ବସ୍‌ରୁ ସମସ୍ତ ଯାତ୍ରୀଙ୍କୁ ଓହ୍ଲାଇ ଦିଆଯାଇଥିଲା । ତେଣୁ ଏକ ବଡ଼ ଅଘଟଣରୁ ରକ୍ଷା ମିଳିଛି । ଧିରେ ଧିରେ ବସ୍‌ଟି ପୁରା ଜଳି ଯାଇଥିଲା । ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି ।

୩୦ ଜଣ ଯାତ୍ରୀଙ୍କୁ ନେଇ ରାଉରକେଲାରୁ କେନ୍ଦୁଝର ଅଭିମୁଖେ ଯାଉଥିଲା ବସ୍‌ । ଏହି ସମୟରେ କାଞ୍ଜିପାଣି ଘାଟି ନିକଟରେ ବସ୍‌ ଇଞ୍ଜିନରୁ ହଠାତ୍ ଧୂଆଁ ବାହାରିବାକୁ ଲାଗିଲା । ଧୂଆଁ ବାହାରୁଥିବା ଦେଖି ଡ୍ରାଇଭର ଗାଡ଼ି ରଖି ଦେଇଥିବା ବେଳେ ଯାତ୍ରୀମାନଙ୍କୁ ବସ୍‌ରୁ ଓହ୍ଲାଇବାକୁ କୁହାଯାଇଥିଲା । ତେବେ ଏହି ଘଟଣାରେ କୌଣସି ଜୀବନ ହାନୀ ହୋଇ ନଥିବା ଜଣାଯାଇଛି ।

ସେପଟେ ନୟାଗଡ଼ରେ ଜଳିଯାଇଛି ତେଲ ଟ୍ୟାଙ୍କର । ଏକ ତେଲ ଟ୍ୟାଙ୍କର ନୟାଗଡର ବଡପଣ୍ଡୁସର ବ୍ରିଜଠାରେ ଦୁର୍ଘଟଣାଗ୍ରସ୍ତ ହୋଇ ତଳକୁ ଖସି ପଡ଼ିଥିଲା । ଏହି ଘଟଣାରେ ୪ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ପ୍ରାଥମିକ ସୂଚନା ଅନୁସାରେ ମୃତକଙ୍କ ମଧ୍ୟରେ ୪ଜଣ ସ୍ଥାନୀୟ ଲୋକ ଥିବା କୁହାଯାଉଛି । ସେମାନେ ହେଲେ ପଙ୍କଜ ନାୟକ, ଦିପୁ ଖଟୁଆ, ସମୀର ନାୟକ ଓ ଚନ୍ଦନ ଖଟୁଆ । 

ସେମାନେ ଉଦ୍ଧାର ପାଇଁ ଯାଇଥିବା ବେଳେ ଟ୍ୟାଙ୍କରଟି ବିସ୍ଫୋରଣ ହୋଇଥିଲା । ଏହି ଘଟଣାରେ ଜଣେ ଗୁରୁତର ହୋଇଛନ୍ତି । ତାଙ୍କୁ ଚିକିତ୍ସା ପାଇଁ ପ୍ରଥମେ ନୟାଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି । ବିଳମ୍ବିତ ରାତି ପ୍ରାୟ ଗୋଟାଏ ୪୫ରେ ଘଟିଥିଲା ଏହି ଦୁର୍ଘଟଣା । ସ୍ଥାନୀୟ ଲୋକେ ଖବର ପାଇ ଘଟଣାସ୍ଥଳକୁ ଯାଇ ଉଦ୍ଧାର କାର୍ଯ୍ୟ କରିଥିଲେ । ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ପକ୍ଷରୁ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।