Advertisment

ଚାଷୀଙ୍କୁ କନ୍ଦାଉଛି ଆମ୍ୱ ଚାଷ; ଗଛ ଅଛି ହେଲେ ଫଳ ନାହିଁ

ଜଳବାୟୁ ପରିବର୍ତ୍ତନ ଯୋଗୁଁ ଗତ ବର୍ଷ ପ୍ରଚୁର ଆମ୍ବ ଫଳିଥିଲା ବେଳେ ଏ ବର୍ଷ ଆମ୍ବ ଗଛରେ ଆମ୍ବର ଦେଖା ନାହିଁ । ଯାହାକୁ ନେଇ ଚିନ୍ତାରେ ଚାଷୀ ।

author-image
Otv Khabar Bureau
ଅଦ୍ୟତନ ହୋଇଛି
Farmer's Problem

Farmer's Problem

ବର୍ଷେ ଫଳିଲେ ବର୍ଷେ ଫଳୁନି। ଯେଉଁ ବର୍ଷ ଫଳୁଛି ସେ ବର୍ଷ ପ୍ରବଳ ପରିମାଣରେ ଫଳୁଛି। କିନ୍ତୁ ଉପଯୁକ୍ତ ବଜାର ବ୍ୟବସ୍ଥା ନଥିବା କାରଣରୁ ବର୍ଷେ ରୋଜଗାର ହେଉଛି ଆଉ ବର୍ଷେ କିଛି ମିଳୁନି। ଶୀତଳ ଭଣ୍ଡାର ନଥିବା କାରଣରୁ ଆମ୍ବକୁ ଗଚ୍ଛିତ କରି ରଖିପାରୁନାହିଁ ଚାଷୀ । କେନ୍ଦୁଝର ଜିଲ୍ଲାରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।

Advertisment

କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ସୁଆଦିଆ ଆମ୍ବର ଚାହିଦା ଖାଲି ରାଜ୍ୟ ନୁହେଁ ବରଂ ଦେଶରେ ମଧ୍ୟ ବେଶ୍‌ ଚାହିଦା ରହିଛି । ବ୍ଲକରେ ୧୫ ଶହ ହେକ୍ଟରରୁ ଅଧିକ ପଡ଼ିଆରେ ଚାଷୀମାନେ ଆମ୍ବ ଗଛ ଲଗାଇଛନ୍ତି। ଦୋଶରୀ,ଆମ୍ରପଲ୍ଲି, ଲେଙ୍ଗେଡା, ଲାଟ ସୁନ୍ଦରି, ବାଇଗଣ ପଲ୍ଲି , ହେମସାଗର, କ୍ଷୀର ସାଗର ଆଦି ଉନ୍ନତ କିସମର ଆମ୍ବ ତେଲକୋଇ ଚାଷୀଙ୍କୁ ବହୁ ଲାଭ ଦେଇଛି । ହେଲେ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଗତ ବର୍ଷ ପ୍ରଚୁର ଆମ୍ବ ଫଳିଥିଲା ବେଳେ ଏ ବର୍ଷ ଆମ୍ବ ଗଛରେ ଆମ୍ବର ଦେଖା ନାହିଁ । ଯାହାକୁ ନେଇ ଚିନ୍ତାରେ ଚାଷୀ ।

ଆମ୍ବ ଚାଷ କରି ୬୦ ହଜାରରୁ ଅଧିକ ଟଙ୍କା ରୋଜଗାର କରୁଛନ୍ତି ଚାଷୀ। କିନ୍ତୁ ଏଥର ଆମ୍ବ ଫଳିନଥିବା କାରଣରୁ ଚିନ୍ତାରେ ଚାଷୀ। କେବଳ ଆମ୍ବ ଚାଷ ନୁହେଁ ବରଂ ଅନେକ ଚାଷ କରାଯାଇପାରିବ। ହେଲେ ସରକାରଙ୍କ ବୈମାତୃକ ମନୋଭାବ ପାଇଁ ହେକ୍ଚର ହେକ୍ଟର ଜମି ପଡ଼ିଆରେ ଥାଇ ବି ଚାଷ ହୋଇ ପାରୁନି।

Advertisment

ଏନେଇ ଜଗମୋହନପୁର ଯୁବଚାଷୀ କହିଛନ୍ତି, ‘ସରକାର ଯଦି ଆମ୍ବ ବଗିଚା ଗୁଡିକରେ ଜଳ ସେଚନ ସୁବିଧା କରିବା ସହ ଅଦା, ହଳଦି ଓ ସପୁରି ପଣସ ଚାଷ ପାଇଁ ସରକାର ଚାଷୀଙ୍କୁ ସହାୟତା ଯୋଗାଇ ଦେବ ତେବେ ଚାଷୀ ମାନେ ଉପକୃତ ହୋଇପାରନ୍ତେ’ ।

ଏହି ସଂପର୍କରେ କେନ୍ଦୁଝର ଉଦ୍ୟାନ ବିଭାଗ ଉପନିର୍ଦ୍ଦେଶକ ଜୟନ୍ତ କୁମାର ନାୟକ କହିଛନ୍ତି ଯେ, ‘ଏ ବର୍ଷ ଆମ୍ବ ଫଳିନି। ହେଲେ ଅନ୍ୟ ଚାଷ ପାଇଁ ଚାଷୀଙ୍କୁ କେମିତି ସାହାଯ୍ୟ କରାଯାଇପାରିବ ସେନେଇ ଆମେ ସରକାରଙ୍କୁ ପ୍ରସ୍ତାବ ଦେବୁ’ ।

ତେବେ କଥାରେ ଅଛି ଫଳ ଭିତରେ ଆମ୍ବ ହେଉଛି ରାଜା। ହେଲେ ଏଠାରେ ଚାଷୀ ଆମ୍ବ ଚାଷ କରି ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ତେଲକୋଇରୁ ଚିନ୍ମୟ କୁମାର ସାହୁଙ୍କ ରିପୋର୍ଟ

Farmer Problem
Advertisment
Advertisment