• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆଠଗଡ: ଆଠଗଡ ପରେ ଏବେ ବଡମ୍ବାରେ ସମବାୟ ଦୁର୍ନୀତି ଅଭିଯୋଗ । ବଡମ୍ବା ବ୍ଲକ ଯୋଡୁମୁ ସୋସାଇଟିରେ କୋଟି କୋଟି ଟଙ୍କାର ଋଣ ଜାଲିଆତି ଅଭିଯୋଗ । ଚାଷୀମାନେ ଏଭଳି ସାଂଘାତିକ ଅଭିଯୋଗ ଆଣି ଆଠଗଡ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧରଣା ଦେଇଛନ୍ତି । ଶହେରୁ ଅଧିକ ଚାଷୀ ଏହି ଧାରଣାରେ ବସିଥିଲେ ।

ଏହି ଚାଷୀମାନେ ଅଭିଯୋଗ କରିଛନ୍ତି ଯେ, ସେମାନଙ୍କ ଅଜାଣତରେ ତାଙ୍କ ନାଁରେ ବ୍ୟାଙ୍କରୁ ଋଣ କରାଯାଇଛି । କାହା ଖାତାରେ ଦଶ ହଜାର ଜାଗାରେ ୫୦ ହଜାର ଟଙ୍କା ଋଣ ଉଠାଣ ହୋଇଛି ତ ଆଉ କାହା ଋଣ ଖାତାରେ ତିରିଶ ହଜାର ଟଙ୍କା ବଦଳରେ ଲକ୍ଷାଧିକ ଟଙ୍କାର ଉଠାଣ ହୋଇଛି । ଚାଷୀମାନେ ଗଣମାଧ୍ୟମ ଆଗରେ ଏଭଳି ଅଭିଯୋଗ ଆଣିଥିବା ବେଳେ ସେମାନଙ୍କ ଆଖି କ୍ରୋଧ ଓ ଦୁଃଖରେ ଛଳ ଛଳ ହୋଇ ଉଠିଥିଲା । ସେମାନେ ଏବେ କଣ କରିବେ, କିଭଳି ଏତେ ଟଙ୍କା ସୁଝିବେ ? ଆଗକୁ କଣ ହେବ ? ଏଭଳି ନାନା ପ୍ରଶ୍ନ ଏବେ ଚାଷୀଙ୍କ ମନରେ ।

ପାଖାପାଖି ୬ଶହ ଚାଷୀଙ୍କ ଖାତାରେ ଏଭଳି ଜାଲିଆତି ହୋଇଥିବା କୁହାଯାଉଛି । କୋଟି କୋଟି ଟଙ୍କାର ଋଣ ଜାଲିଆତି ହୋଇଥିବା ଅଭିଯୋଗ ଆଣି ଚାଷୀ ଧାରଣାରେ ବସିଛନ୍ତି । ଏହାର ଉଚସ୍ତରୀୟ ତଦନ୍ତ କରାଯାଇ ଚାଷୀ ମାନଙ୍କୁ ନ୍ୟାୟ ଦେବାକୁ ସେମାନେ ଦାବି କରିଛନ୍ତି । ଯଦି ଆଗାମୀ ଦିନରେ ଦାବି ପୂରଣ ନହୁଏ ତେବେ ଚାଷୀମାନେ ବାଧ୍ୟ ହୋଇ ରାଜ ରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି । ତେବେ ଚାଷୀଙ୍କ ଅଭିଯୋଗ ନେଇ ଏଯାଏଁ ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । 

ତେବେ ପୂର୍ବରୁ ଆଠଗଡ଼ରେ ମଧ୍ୟ ଏଭଳି ସମବାୟ ଦୁର୍ନୀତି ଖବର ସାମ୍ନାକୁ ଆସିଥିଲା । ଚାଷୀମାନେ ରାଜରାସ୍ତାକୁ ଓହ୍ଲାଇଥିଲେ । ଏଥିରେ ବଡ଼ ବଡ଼ ନେତାଙ୍କ ସମ୍ପୃକ୍ତି ଥିବା ମଧ୍ୟ ଅଭିଯୋଗ ହୋଇଥିଲା । ଆଠଗଡ଼ ଗୁରୁଡିଝାଟିଆର ଚାଷୀ ରବୀନ୍ଦ୍ର ଷଣ୍ଢ । ଗୁରୁଡ଼ିଝାଟିଆ ସମବାୟ ସମିତିରୁ ଥରେ ୧୨ ହଜାର ଓ ଆଉ ଥରେ ଋଣ କରିଥିଲେ ୭ ହଜାର ଟଙ୍କା । କିନ୍ତୁ ଖାତାରେ ଚଢ଼ିଥିଲା ଅଢେଇ ଲକ୍ଷ ଟଙ୍କାର ଲୋନ୍ । ସମବାୟ ସମିତିର ସେକ୍ରେଟାରୀ ଜାଲିଆତି କରି ଲକ୍ଷ ଲକ୍ଷ ଟଙ୍କା ହଡପ୍ କରିଥିବା ଅଭିଯୋଗ ଆସିଥିଲା । ଆଠଗଡ଼ର ଗୋଟିଏ କି ଦୁଇଟି ନୁହେଁ ପ୍ରାୟ ୨୬ଟି ସମବାୟ ସମିତିରେ ଏଭଳି କୋଟି କୋଟି ଟଙ୍କାର ଋଣ ଜାଲିଆତି ହୋଇଥିବା ଜଣାପଡ଼ିଛି । କିଛି ଅସହାୟ ଚାଷୀ ବାରଦ୍ୱାର ଦୌଡ଼ି ନ୍ୟାୟ ନପାଇବାରୁ ଶେଷରେ ବିଧାନସଭା ନିକଟରେ ଆତ୍ମାହୂତି କରିବାକୁ ଉଦ୍ୟମ କରିଥିବା ଦେଖିବାକୁ ମିଳିଥିଲା ।

କେବଳ ଆଠଗଡ଼ ନୁହେଁ ରାଜ୍ୟର ବିଭିନ୍ନ ସମବାୟ ସମିତିରେ ଏଭଳି ପୁଳାପୁଳା ଦୁର୍ନୀତିର ଅଭିଯୋଗ ହୋଇଛି । ୨୦୧୯ରେ କୋପରେଟିଭ୍ ରେଜିଷ୍ଟ୍ରାର, ଡିଭିଜନାଲ୍ ଡେପୁଟି ରେଜିଷ୍ଟ୍ରାର ଓ ସର୍କଲ୍ ଆସିଷ୍ଟାଣ୍ଟ ରେଜିଷ୍ଟ୍ରାରଙ୍କୁ ଲେଖିଥିବା ଚିଠିରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି ସମବାୟ ସମିତି ଦୁର୍ନୀତିରେ ସୋସାଇଟି ସେକ୍ରଟାରୀ ଓ କର୍ମଚାରୀଙ୍କ ସଂପୃକ୍ତି ରହିଛି । ଆର୍ଥିକ ଅନିୟମିତତା, ଟଙ୍କା ହେରଫେର୍ ଓ ବେଆଇନ କାର୍ଯ୍ୟ ଭଳି ସଙ୍ଗୀନ ଅଭିଯୋଗ କଥା ବି ଦର୍ଶାଯାଇଛି ।