Advertisment

ଅଦିନିଆ ବର୍ଷାରେ ବେହାଲ ଚାଷୀ କୁଳ ! ଧାନ ତ ଗଜା ହୋଇଥିଲା ଏବେ ପରିବା ଫସଲ ବି ଗଲା

ଠିକଣା ସମୟରେ ଧାନ ମଣ୍ଡିକୁ ଯାଇଥିଲେ ବି ମିଲର ନ ଉଠାଇବାରୁ ଚାଷୀ ଅସନ୍ତୋଷ ବଢିଛି । ରବି ଫସଲ ସହ ପନିପରିବା ଆଉ ଶେଷରେ ଧାନରେ ପାଣି ବାଜିବାରୁ ଚାଷୀ କଣ କରିବ କିଛି ବୁଝିପାରୁନି ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Farmers Problem

Farmers Problem

ଅଦିନିଆ ବର୍ଷା ବଢ଼ାଇ ଦେଇଛି ଚାଷୀର ଚିନ୍ତା । ଗଞ୍ଜାମ ଜିଲ୍ଲା ଆସିକା ବ୍ଲକରେ ଅଦିନିଆ ବର୍ଷା ଯୋଗୁଁ ବ୍ୟାପକ କ୍ଷତି ହୋଇଛି । କେଉଁଠି ପରିବା ଫସଲ ସଂପୂର୍ଣ୍ଣ ନଷ୍ଟ ହୋଇଛି ତ କେଉଁଠି ଖଳାରେ ଗଦା ହୋଇଥିବା ଧାନ ଭିଜି ଗଜା ହେଲାଣି । କେତେକ ସ୍ଥାନରେ ରବି ଫସଲ ପାଇଁ ବୁଣା ଯାଇଥିବା ମୁଗ ଓ ବିରି ବିହନ ପଚି ଯାଇଛି ।

Advertisment

ସେପଟେ ଠିକଣା ସମୟରେ ଧାନ ମଣ୍ଡିକୁ ଯାଇଥିଲେ ବି ମିଲର ନ ଉଠାଇବାରୁ ଚାଷୀ ଅସନ୍ତୋଷ ବଢିଛି । ରବି ଫସଲ ସହ ପନିପରିବା ଆଉ ଶେଷରେ ଧାନରେ ପାଣି ବାଜିବାରୁ ଚାଷୀ କଣ କରିବ କିଛି ବୁଝିପାରୁନି । ପୂର୍ବରୁ ଲଗାଣ ବର୍ଷାରେ ଚାଷୀଙ୍କ କ୍ଷତିପୂରଣ ବାବାଦ ସହାୟତା ରାଶି ମିଳିନି, ଏବେ ପୁଣି କ୍ଷତି । ଏମିତିରେ ସରକାରୀ ସହାୟତା କେବେ ମିଳିବ ତାକୁ ଚାଷୀକୂଳ ଅନାଇ ବସିଛନ୍ତି । ସେପଟେ ଏ ନେଇ କୃଷି ବିଭାଗ କିମ୍ବା ପ୍ରଶାସନର କୌଣସି ପ୍ରତିକ୍ରିୟା ମିଳିପାରିନି ।

ଅନ୍ୟପଟେ ଉପକୂଳ ଓଡିଶା ତଥା ତତ୍‌-ସଂଲଗ୍ନ ଜିଲ୍ଲା ଗୁଡ଼ିକରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ଲାଗି ରହିଛି । ଶନିବାର ଯାଏଁ ରାଜ୍ୟରେ ଅଧିକାଂଶ ସ୍ଥାନରେ ବର୍ଷା ଲାଗି ରହିବ । ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । କିଛି ସ୍ଥାନରେ ସ୍ୱଳ୍ପ ଧରଣର ବର୍ଷା ସହ କୁଆପଥର ମାଡ଼ ହେବାର ସମ୍ଭାବନା ରହିଛି ।

Advertisment

ଢେଙ୍କାନାଳ,ଅନୁଗୁଳ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଗତ ୨୪ ଘଣ୍ଟାରେ ଢେଙ୍କାନାଳ ଭୁବନରେ ସର୍ବାଧିକ ୬୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଗଜପତି ନୂଆଗଡ଼ରେ ୫୭ ମି.ମି, ଆର ଉଦୟଗିରିରେ ୫୩ ମି.ମି, ମାଲକାନଗିରି ମାଥିଲିରେ ୪୩ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।

ବାଲେଶ୍ୱରରେ ମଧ୍ୟ ବର୍ଷା ଲାଗି ରହିଛି। ଝିପି ଝିପି ବର୍ଷା ଲାଗି ରହିଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଅଦିନିଆ ବର୍ଷା ଯୋଗୁଗୁଁ ଖଳାରେ ଥିବା ଧାନ ନଷ୍ଟ ହେଉଥିବାବେଳେ ପରିବା ଚାଷ କ୍ଷତିଗ୍ରସ୍ତ ହୋଇଛି। ଫୁଲକୋବି, ବାଇଗଣ, କାକୁଡ଼ି ଚାଷ ବେଶୀ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଥିବା ଦେଖିବାକୁ ମିଳିଛି।

Farmers Problem
Advertisment
Advertisment