• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

କିଆଫୁଲ ଉତ୍ପାଦନରେ ସାରା ଦେଶରେ ଗଞ୍ଜାମ ଜିଲ୍ଲାର ବେଶ୍ ନାଁ ଡାକ । କୁହାଯାଏ ଦେଶର ପ୍ରାୟ ୮୦ ପ୍ରତିଶତ କିଆଫୁଲ କେବଳ ଗଞ୍ଜାମ ଜିଲ୍ଲାର ୪ଟି ବ୍ଲକରୁ ମିଳେ । ହେଲେ ଦୁର୍ଭାଗ୍ୟ, ସୁବାସିତ ଅତରଠୁ ନେଇ ବିଭିନ୍ନ ଔଷଧ ପ୍ରସ୍ତୁତିରେ ବ୍ୟବହାର ହେଉଥିବା ଗଞ୍ଜାମର କିଆଫୁଲର ବଜାରଟି ବାହାର ରାଜ୍ୟର ବେପାରୀଙ୍କ ହାତରେ ନିୟନ୍ତ୍ରିତ । ତେବେ ନିକଟରେ କିଆଫୁଲ ଚାଷୀଙ୍କ ପାଇଁ ସରକାର ସ୍ୱତନ୍ତ୍ର ଆର୍ଥିକ ସହାୟତା ସାଙ୍ଗକୁ ପ୍ରକ୍ରିୟାକରଣ ୟୁନିଟ୍ କରିବାକୁ ଯୋଜନା କରିଥିଲେ ବି ଏ ଘୋଷଣା ବି ସମୁଦ୍ରକୁ ଶଙ୍ଖେ ବୋଲି ଅଭିଯୋଗ କରିଛି କିଆଫୁଲ ଚାଷୀ ସଂଘ ।

ରାସ୍ତାର ଦୁଇ ଧାଡ଼ିରେ କିଆ ବଣ.. .ଆଉ ରାସ୍ତା ଉପରେ ମହମହ ବାସୁଥିବା କିଆଫୁଲର ବଜାର । ଗଞ୍ଜାମ ଜିଲ୍ଲାର ଛତ୍ରପୁର, ରଙ୍ଗେଇଲୁଣ୍ଡା, ଖଲ୍ଲିକୋଟ୍ ଓ ଚିକିଟିର ଜୁଆଡ଼େ ଯିବେ ଆଖିକୁ ଦିଶିଯିବ ଏମିତି କିଆ ବଣ । କିଛି ଆପେ ଉଠିଥାଏ, କିଛି ଚାଷ ହୁଏ । ଆପଣ ବ୍ୟବହାର କରୁଥିବା ସୁବାସିତ ଅତର ମିଳେ ଏଇ କିଆଫୁଲରୁ । ଇଏ ହେଉଛି ରଙ୍ଗେଇଲୁଣ୍ଡା ବ୍ଲକର କେଲୁଆପଲ୍ଲୀ କିଆ ଫୁଲ ମଣ୍ଡି । ଏଇଠୁ ଚାଷୀଙ୍କଠୁ କିଆଫୁଲ ସଂଗ୍ରହ କରି ବେପାରୀ ଭାଟିକୁ ନିଅନ୍ତି । ଫୁଲ ଗୋଟାକୁ ଦର ୧୨ଟଙ୍କା ୫୦ରୁ ୧୮ ଟଙ୍କା । ହେଲେ ଏବର୍ଷ ଏକେତ ପାଗ ଅନୁକୂଳ ନହେବାରୁ କିଆ ଗଛରେ ଭଲ ଫୁଲ ଆସିଲାନି, ସେଥିରେ ପୁଣି ଭଲ ଦର ନଥିବାରୁ ନିରାଶ ଚାଷୀ ।

ବଡ଼ କଥା ହେଉଛି ଦେଶର ପାଖାପାଖି 80 ପ୍ରତିଶତ କିଆଫୁଲ ଗଞ୍ଜାମ ଜିଲ୍ଲାରୁ ମିଳୁଥିବା ବେଳେ ଏଠି ଥିବା ଭାଟି ସବୁ କିନ୍ତୁ ବାହାର ରାଜ୍ୟର । ବିଶେଷକରି ଉତ୍ତରପ୍ରଦେଶର । ଏଇ ଯେମିତି ରଙ୍ଗେଇଲୁଣ୍ଡା ସ୍ଥିତି ଏ ଭାଟି । ଯାହାର ମାଲିକ ଉତ୍ତରପ୍ରଦେଶ କନୌଜର । ବିଭିନ୍ନ ଜଟିଳ ପ୍ରକ୍ରିୟା ଦେଇ ଏଇଠି କିଆଫୁଲରୁ ଏସେନ୍ସ ଓ ରୁହୁ ବାହାର କରାଯାଏ । ଯାହାକୁ ପରବର୍ତ୍ତୀ ଅବସ୍ଥାରେ ଅତର, ପାନମସଲାଠୁ ଆରମ୍ଭ କରି ବିଭିନ୍ନ ଔଷଧରେ ବ୍ୟବହାର ପାଇଁ ଦେଶର ବିଭିନ୍ନ ସ୍ଥାନକୁ ସପ୍ଲାଏ ହୁଏ ।

ହେଲେ ବଜାର ବ୍ୟବସ୍ଥାଟି ପୂରା ବାହାର ରାଜ୍ୟର ଭାଟି ମାଲିକ ଓ ବେପାରୀମାନଙ୍କ ଦ୍ୱାରା ନିୟନ୍ତ୍ରିତ ହେଉଥିବାରୁ, ଚାଷୀ କ୍ଷତିଗ୍ରସ୍ତ ହେଉଥିବାର ଅଭିଯୋଗ ହୋଇ ଆସୁଛି । ତେବେ ନିକଟରେ ରାଜ୍ୟ ସରକାର କିଆଫୁଲ ଚାଷୀଙ୍କ ଆର୍ଥିକ ସହାୟତା ସାଙ୍ଗକୁ ପ୍ରକ୍ରିୟାକରଣ ୟୁନିଟ୍ ଖୋଲିବାକୁ ନିଷ୍ପତ୍ତି ନେବା ଚାଷୀଙ୍କ ମନରେ ଆଶା ସଂଚାର କରିଛି । ହେଲେ ଏହା ବି ସମୁଦ୍ରକୁ ଶଙ୍ଖେ ବି ଅଭିଯୋଗ କରିଛି କିଆଫୁଲ ଚାଷୀ ସଂଘ ।
 

  • Reported by:
  • ASHOK BRAHMA