Advertisment

ବନ୍ୟା ଦେଇଗଲା ବଡ଼ ଦୁର୍ଦ୍ଦଶା: ଏବେ ବି କେନାଲ ବନ୍ଧରେ ବିତୁଛି ବିପନ୍ନଙ୍କ ରାତି

ଏପଟେ ଆଠଗଡରେ ବି ଶହ ଶହ ଏକର ଜମିରେ ଉଜୁଡି ଯାଇଛି ପନିପରିବା ଫସଲ। ବିଲରେ ଏବେବି ଭର୍ତ୍ତି ହୋଇ ରହିଛି ବନ୍ୟା ପାଣି।

author-image
Chandan Shishu
ଅଦ୍ୟତନ ହୋଇଛି
heavy flood damages crops

heavy flood damages crops

ବନ୍ୟା ପାଣି ଗାଁକୁ ମାଡି ଆସିବା ପୂର୍ବରୁ ଲୋକେ ପିଲାଛୁଆଙ୍କୁ ଧରି ଘର ଛାଡିଥିଲେ। ଜୀବନ ବଂଚାଇ ଉଚ୍ଚା ସ୍ଥାନକୁ ପଳାଇଥିଲେ। ଏବେ ଘରକୁ ବାହୁଡିବା ବେଳ। ହେଲେ ଅନେକ ସ୍ଥାନରେ ରାସ୍ତା ଧୋଇଯାଇଛି। ଗାଁ ଗଣ୍ଡାରେ ଏବେବି ଜମିଛି ବନ୍ୟା ପାଣି। ଘର କଥା ତ ନକହିବା ଭଲ। ମାଟି ଓ କାଦୁଅରେ ଭର୍ତ୍ତି ଘରେ ଚୁଲି ଜଳିବା କଷ୍ଟକର। ଏଭଳି ସ୍ଥିତିରେ କେମିତି ସ୍ବାଭାବିକ ହେବ ଜୀବନ, ବିପନ୍ନଙ୍କୁ ସେହି ଚିନ୍ତା ଘାରିଛି। ସେପଟେ ଶହ ଶହ ହେକ୍ଟର ଜମିରେ ଫସଲ ଉଜାଡି ଦେଇଛି ବନ୍ୟା।

Advertisment

ପାରାଦୀପରେ ବନ୍ୟା ଛାଡିଛି, ପାଣି କମିଛି ସତ ହେଲେ କମିବାର ନାଁ ନେଉନି ଦୁର୍ଦ୍ଦଶା। ତିନି ଦିନ ପରେ ବି ସ୍ବାଭାବିକ ହୋଇପାରୁନି ଜୀବନ। ଘରକୁ ଫେରିବାକୁ ଚାହିଁଲେ ବି ରାସ୍ତା ଧୋଇ ଯାଇଥିବାରୁ ଜରି ପାଲ ତଳେ କେନାଲ ବନ୍ଧରେ ଭାଗ୍ୟକୁ ଆଦରି ପଡି ରହିଛନ୍ତି ଜଗତସିଂହପୁର ତେରମାଣପୁରର ଶୁକଲତା। ତାଙ୍କ ଭଳି ଅନେକ ବିପନ୍ନ ଅନାଇ ରହିଛନ୍ତି ଫେରିବା ବାଟକୁ। ଯିଏ ଫେରିଛନ୍ତି ଘର ଅବସ୍ଥା ଦେଖି ସାହସ କରିପାରୁନାହାଁନ୍ତି ରହିବାକୁ। ମାଟି କାଦୁଅରେ ଘର ଭର୍ତ୍ତି। ଚାରିଆଡେ ପାଣି ଜମିଥିବାରୁ ସାପ ଓ ଅନ୍ୟ ଯନ୍ତୁଙ୍କ ଭୟ ବି ଘାରିଛି। ତାରି ଭିତରେ କିଏ କିଏ ପଟୁ ମାଟି ସଫା କରି ଆସବାବପତ୍ର ସଜାଡୁଛନ୍ତି। 

ଯାଜପୁର ବ୍ଳକ୍ ଆଙ୍କୁଲା ଗାଁ। ବୈତରଣୀରେ ବନ୍ୟା ଆସିବାରୁ ଜୀବନ ବଂଚାଇବାକୁ ଘର ଛାଡି ସମସ୍ତେ ଉଚ୍ଚା ଯାଗାକୁ ପଳାଇଥିଲେ। ବନ୍ୟା ଛାଡିବା ପରେ ମାଟି କାନ୍ଥ ମାଟିରେ ମିଶିଯାଇଛି। ଏବେ ପୁରା ପରିବାର ଲାଗିପଡିଛି ଘର ତିଆରିରେ। ଚାଳ ଘରେ ମାଟି ଲଦି ଛପର ସଜାଡୁଛନ୍ତି ୨୩ଟି ଆଦିବାସୀ ପରିବାର। 

Advertisment

ବାଙ୍କୀରେ ପଚି ସଢି ନଷ୍ଟ ହୋଇଯାଇଛି ଚାଷୀର ଅମଳ ଫସଲ। ଗଛରେ ଆଉ ଜହ୍ନି, ପୋଟଳ, ବାଇଗଣ ଓ କଲରା କଷିଟିଏ ନାହିଁ। ଦି ଦିନ ଧରି ବିଲରେ ବେକେ ପାଣିରେ ବୁଡି ରହିଲା ତଟକା ପନିପରିବା। ପାଣି ଛାଡିବା ପରେ ଫସଲ ସମ୍ପୂର୍ଣ୍ଣ ଉଜୁଡିଯାଇଛି। ମହାନଦୀର ବନ୍ୟା ଜଳ ବାଙ୍କୀ ଓ ଡମପଡା ବ୍ଳକ୍ ର ବିଲିପଡା ଏବଂ ପାଥପୁର ପଂଚାୟତରେ ଫସଲ ଧୋଇନେଇଛି। 

ଏପଟେ ଆଠଗଡରେ ବି ଶହ ଶହ ଏକର ଜମିରେ ଉଜୁଡି ଯାଇଛି ପନିପରିବା ଫସଲ। ବିଲରେ ଏବେବି ଭର୍ତ୍ତି ହୋଇ ରହିଛି ବନ୍ୟା ପାଣି। କେନ୍ଦ୍ରାପଡାରେ ଆହାର ମୁହଁରେ ପାହାର ଦେଇଛି ବନ୍ୟା। ଅମଳ ଫସଲ ବଜାରରେ ବିକି ଦି ପଇସା ପାଇବାକୁ ଆଶା ରଖିଥଲା। ହେଲେ ବିଲରେ ହିଁ ସବୁ ତକ ନଷ୍ଟ ହୋଇଯାଇଛି। ଛନଛନିଆ ଫୁଲ ଧରିଥିବା ବାଇଗଣ ଗଛ, ମରିଯାଇଛି। ଜହ୍ନି, ପୋଟଳ, କାକୁଡି, ଭେଣ୍ଡି, କଖାରୁ ଗଛ ଉପରେ ମାଡି ଯାଇଛି ବାଲି। 

ପିପିଲିରେ ମହାନଦୀରେ ବନ୍ୟା ଜଳ ଆସି ପୁରୀ ମୁଖ୍ୟ କେନାଲରେ ସୃଷ୍ଟି ହୋଇଛି ୨୦ ଫୁଟର ଘାଇ। ଖୋର୍ଦ୍ଧା ଜିଲ୍ଲା ବାଳକାଟିରେ ଥିବା ପୁରୀ ମୁଖ୍ୟ କେନାଲ ସାଇଫନ ପାଖ ଦକ୍ଷିଣ ପାର୍ଶ୍ୱ ବନ୍ଧରେ ଘାଇ ସୃଷ୍ଟି ହୋଇଛି। ରାତିରେ ସ୍ଥାନୀୟ ଲୋକେ ବାଲି ବସ୍ତା ଓ ବହ୍ଲା ପକାଇ ପାଣି ଅଟକାଇ ଦେଇଥିଲେ। ପରେ ପ୍ରଶାସନ ପକ୍ଷରୁ ବନ୍ଧ ମରାମତି କରାଯାଇଛି। ବର୍ଷା ଥମିଛି, ଧିରେ ଧିରେ ପାଣି ବି କମୁଛି। ହେଲେ ବନ୍ୟା ଦେଇଯାଇଛି ବଡ ଦୁର୍ଦ୍ଦଶା। ବିପନ୍ନ ଏବେ ଅନାଇ ରହିଛନ୍ତି ସରକାରୀ ସହାୟତାକୁ। 

Flood In Odisha
Advertisment
Advertisment