• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ରାଜ୍ୟପାଳଙ୍କ ଦରବାରରେ ଏଥର ଚାଷୀ ସମସ୍ୟା । ଚଷା ପୁଅ ବଖାଣିଲା ଧାନ ସଂଗ୍ରହର ଅବ୍ୟବସ୍ଥା । କିଭଳି ଧାନର ଅଭାବୀ ବିକ୍ରି ହେଉଛି ସେନେଇ ରାଜ୍ୟପାଳଙ୍କୁ ଅବଗତ କଲା ଚାଷୀ । ଧାନର ଅଭାବୀ ବିକ୍ରି ଆଦୌ ହେଉ ନଥିବା କହି ଦମ୍ଭୋକ୍ତି ପ୍ରକାଶ କରୁଥିବା ରାଜ୍ୟ ସରକାରଙ୍କ ଅସଲ ଚିତ୍ର ପଦାରେ ପଡିଛି । ସେପଟେ ଶୀତୁଆ ରାତିରେ ଉଜାଗର ହୋଇ ଧାନକୁ ଜଗି ବସୁଛି ଚାଷୀ ।

ଅନ୍ୟପଟେ ସରକାର କହୁଛନ୍ତି ଅନ୍ୟରାଜ୍ୟ ବେପାରୀଙ୍କ ଉପରେ ନଜର ରଖାଯାଇଛି । ଚାଷୀର ବୁକୁ ଫଟା ଅଭିଯୋଗ.. କୋହଭରା କଣ୍ଠରେ ରାଜ୍ୟପାଳଙ୍କୁ ଚାଷୀ କଲା ଅନୁରୋଧ । ଧାନର ଅସଲ ମୂଲ୍ୟ ଦେବାକୁ ଗୁହାରୀ । ସମ୍ବଲପୁର ଗସ୍ତକାଳରେ ଆଜି ରାଜ୍ୟପାଳ ରଘୁବର ଦାସ, ପରମାଣପୁରରେ ଚାଷୀ ଓ ଗ୍ରାମବାସୀଙ୍କଠାରୁ ଅଭିଯୋଗ ଶୁଣିଛନ୍ତି ।

କିଏ ରାଜ୍ୟର ଧାନ ମଣ୍ଡିରେ ଚାଲିଥିବା ଅବ୍ୟବସ୍ଥାକୁ ନେଇ ରାଜ୍ୟପାଳଙ୍କୁ ଫେରାଦ ହୋଇଛି ତ ଆଉ କିଏ ଅଭାବୀ ବିକ୍ରିକୁ ନେଇ । ଧାନ ମଣ୍ଡିରେ ଟୋକନ ସମସ୍ୟା, କଟନି ଛଟନି ଓ ଦଲାଲ୍ ରାଜୁତିକୁ ନେଇ ବି ଚାଷୀ ହଇରାଣ ହରକତ ହେଉଛି । ଏଭଳି ମାଳ ମାଳ ଅଭିଯୋଗର ଫର୍ଦ୍ଦ ସମ୍ବଲପୁର ଚାଷୀଙ୍କ ଠାରୁ ପାଇବା ପରେ ରାଜ୍ୟପାଳ ସମସ୍ୟାର ସମାଧାନ ଲାଗି ବି ପ୍ରତିଶ୍ରୁତି ଦେଇଛନ୍ତି ।

ଧାନମଣ୍ଡିରେ ଅନ୍ୟପଟେ ପରିଶ୍ରମର ଠିକ୍ ମୂଲ୍ୟ ନମିଳିବା ନେଇ ରାଜ୍ୟପାଳଙ୍କୁ ଗୁହାରି କରି ଚାଷୀ ମନ ଟିକେ ଆଶ୍ବସ୍ତ । କାରଣ ପୂର୍ବରୁ ଏଭଳି କୌଣସି ରାଜ୍ୟପାଳଙ୍କୁ ସିଧାସଳଖ ଅଭିଯୋଗ ଶୁଣାଇ ପାରୁନଥିଲେ ଚାଷୀ । ସେପଟେ ମଣ୍ଡିରେ ସମସ୍ୟା ପାଇଁ ଶୀତ ରାତିରେ ଧାନକୁ ଜଗି ବସି ରହିବାକୁ ବାଧ୍ୟ ହେଉଛି ।

ଧାନମଣ୍ଡି ସମସ୍ୟାକୁ ନେଇ ଆରମ୍ଭ ହୋଇଛି ରାଜନୀତି । ବିରୋଧୀ ବିଜେପି ମଣ୍ଡି ସମସ୍ୟାକୁ ରାଜ୍ୟ ସରକାର ଅଣଦେଖା କରୁଥିବା କହିଛି । ଦଳର ଅଭିଯୋଗ ମଣ୍ଡିରେ ଆଜି ବି ବସ୍ତା ପ୍ରତି ୨ ରୁ ୪ କିଲୋ ଧାନ କଟନି ଛଟନି ହେଉଛି । କିନ୍ତୁ ସମବାୟ ମନ୍ତ୍ରୀଙ୍କ ଉତ୍ତର ଏଯାଏଁ ମଣ୍ଡିରେ ଧାନ ସଂଗ୍ରହରେ କୌଣସି ସମସ୍ୟା ଉପୁଜି ନାହିଁ ।

ରାଜ୍ୟ ବାହାର ବେପାରୀଙ୍କ ଉପରେ ନଜର ରଖାଯାଇଛି । ବିଶେଷ କରି ଛତିଶଗଡ, ତେଲେଙ୍ଗାନା ଓ ଆନ୍ଧ୍ର ସୀମାକୁ ଲାଗିଥିବା ଜିଲ୍ଲାଗୁଡିକରେ ସିଲ୍ ପଏଣ୍ଟ କରି ଚେକିଂ କଡା କଡି କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି । ଗୋଟିଏ ପଟେ ରାଜ୍ୟ ସରକାରଙ୍କ ବ୍ୟବସ୍ଥାରେ ସ୍ବଚ୍ଛତାର ନାରା ଆଉ ଅନ୍ୟପଟେ ରାଜ୍ୟପାଳଙ୍କ ଅଭିଯୋଗ ଶୁଣାଣିରୁ ଜନସାଧାରଣଙ୍କ ଅସୁମାରୀ ପ୍ରତିକ୍ରିୟା ।

ଏହାରି ଭିତରେ ରାଜ୍ୟପାଳଙ୍କ ପ୍ରତିଶ୍ରୁତି ଚାଷୀଙ୍କ ପାଇଁ ଆଶ୍ୱସ୍ତି ଆଣିଛି ।