• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଯାଜପୁର (ଗୁଲାମ ଗସ): ଚାଷୀଙ୍କ ପାଇଁ ଦାଉ ସାଜିଛି କାଳିମୁଖୀ ପୋକ । ନଷ୍ଟ ହେବାକୁ ବସିଛି ଏକର ଏକର ବିରି ଫସଲ । ଚାଷୀଙ୍କ ପିଛା ଛାଡୁନାହିଁ ଦୁର୍ଦ୍ଦଶା । ପ୍ରଥମେ ବର୍ଷା ଅଭାବ, ତାପରେ ଲଘୁଚାପ ବର୍ଷା । ଆଉ ଏବେ ରବି ଫସଲରେ କାଳିମୁଖୀ ପୋକର ଆତଙ୍କ ଯୋଗୁ ଚାଷୀ ମୁଣ୍ଡରେ ଚଡକ ପଡିଛି । କିଛି ଦିନ ତଳେ ଲଗାଣ ବର୍ଷା ଓ ବନ୍ୟାରେ ଧାନ ଚାଷରେ କ୍ଷତି ସହିଥିଲେ ଚାଷୀକୂଳ । ସେଥିରୁ ମୁକୁଳିବା ପାଇଁ ରବି ଫସଲ କରିଥିଲେ । ଆଶା ଥିଲା ଫସଲ କ୍ଷତିର ଭରଣା ହେବ । ହେଲେ ଏବେ ଫସଲରେ କାଳିମୂଖୀ ପୋକର ଆତଙ୍କ । 

କାଳିମୁଖୀ ପୋକ ପାଇଁ ବିରି ଫସଲ ଏବେ ନଷ୍ଟ ହେବାକୁ ବସିଛି । ଏମିତିକି ପୋକ ଲାଗିଯିବାରୁ ପତ୍ର ସବୁ ନଷ୍ଟ ହୋଇଗଲାଣି । ଯାଜପୁର ଜିଲ୍ଲା ବଡଚଣା ଅଞ୍ଚଳରେ ଏହି ବ୍ଲକର ଅଣକା, ଭୁଲୁକା, କୁନ୍ଦଳ, କୃଷ୍ଣପୁରଶାସନ ଆଦି ଅଂଚଳର ଚାଷୀ ଶହ ଶହ ଏକର ଜମିରେ ବିରି ଫସଲ କରିଥିଲେ । ଗତ ଲଘୁଚାପ ଜନିତ ଲଗାଣ ବର୍ଷା ଓ ବନ୍ୟାରେ ସଂପୃକ୍ତ ଅଂଚଳର ଚାଷୀକୂଳ ପ୍ରଭୂତ କ୍ଷତି ସହିଥିଲେ । ଧାନ ଚାଷରେ କ୍ଷତି ସହିଥିବା ଚାଷୀକୂଳ, ରବି ଫସଲ କରି ଭଲ ଅମଳ ହେବା ନେଇ ଆଶା ରଖିଥିଲେ । ହେଲେ ଏବେ ବିରି ଫସଲରେ କାଳିମୂଖୀ ପୋକ ଲାଗିବା ଯୋଗୁ ଚିନ୍ତାରେ ଚାଷୀ ।

କେତେକ ଚାଷୀ ଗଛ ମରିଯିବା ପରେ ପୁନଃ ବିହନ ବୁଣିବା ଆରମ୍ଭ କରିଛନ୍ତି । ସରକାରୀ ସହାୟତା ପାଇଁ ଦାବି ରଖିଛନ୍ତି ଚାଷୀ । ଏପଟେ କୃଷି ବିଭାଗକୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି, ରିପୋର୍ଟ ଆସିବା ପରେ ସହାୟତା ଲାଗି ସରକାରୀ ସ୍ତରରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ।