• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • କୋଭିଡ୍ ହେଲ୍ପଲାଇନ୍ ନମ୍ବରର ଧଜ୍ଜିଆ ଉଡାଉଛନ୍ତି ଲୋକେ ।

  • ୧୦୪ କୁ ଫୋନ୍ କରି କହୁଛନ୍ତି ଆଇ ଲଭ୍ ୟୁ । 

କରୋନା କାଳରେ କୋଭିଡ୍ ହେଲ୍ପଲାଇନ୍ ନମ୍ବରର ଧଜ୍ଜିଆ ଉଡାଉଛନ୍ତି ଲୋକେ । ଜରୁରୀକାଳୀନ ସେବା ସହ ଜଡ଼ିତ ୧୦୪ କୁ ଫୋନ୍ କରି କିଏ ପ୍ରେମଗୀତ ଶୁଣାଉଛନ୍ତି ତ ଆଉ କିଏ କହୁଛନ୍ତି ଆଇ ଲଭ୍ ୟୁ । ମହିଳା କର୍ମଚାରୀଙ୍କୁ ଆପତ୍ତିଜନକ ଭାଷାରେ କଥାବାର୍ତ୍ତା ବି କରୁଛନ୍ତି । ଜୀବନ ମୃତ୍ୟୁର ଘଡ଼ିସନ୍ଧି ବେଳେ ସାମାଜିକ ଦାୟିତ୍ୱକୁ ଭୁଲି କିଛି ବିଶୃଙ୍ଖଳିତ ବ୍ୟକ୍ତି ବିଭ୍ରାଟ କରୁଛନ୍ତି ଜରୁରୀକାଳୀନ ସେବାକୁ । ଏସମ୍ପର୍କରେ ୧୦୪ ହେଲ୍ପଲାଇନ୍ ପରିଚାଳନା ଦାୟିତ୍ୱରେ ଥିବା ସଂସ୍ଥା ପକ୍ଷରୁ ଥାନାରେ ବାରମ୍ବାର ଏତଲା ବି ଦିଆଯାଇଛି । ଅଥଚ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବାରୁ ଏଭଳି ଫେକ୍ କଲର୍‌ଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ଯାହାକୁ ନେଇ ଚିନ୍ତାରେ ୧୦୪ ହେଲ୍ପଲାଇନ୍ କର୍ମଚାରୀ ।

କରୋନା ବେଳେ ଅଭଦ୍ରାମୀର ସୀମା ଲଂଘି ଅସାମାଜିକ ବ୍ୟକ୍ତିମାନେ ଇମର୍ଜେନ୍ସୀ ନମ୍ବରରେ ଫୋନ୍ କରି ଗୁଲି ଗପ କରୁଛନ୍ତି । କୋଭିଡ୍ ଜନିତ ସେବା ସମ୍ବନ୍ଧୀୟ ତଥ୍ୟ ଦେଇ ଲୋକଙ୍କୁ ସହାୟତା କରିବା ପାଇଁ ଉଦ୍ଦିଷ୍ଟ ୧୦୪ ନମ୍ବରକୁ ଫୋନ୍ କରି କେତେବେଳେ ମହିଳା କର୍ମଚାରୀଙ୍କୁ ଅଶ୍ଳୀଳ ଭାଷାରେ ଗାଳି କରୁଛନ୍ତି ତ ଆଉ କେବେ ଯାହା ଇଚ୍ଛା ତା ଗପିବାକୁ ଚେଷ୍ଟା କରୁଛନ୍ତି ଫେକ୍ କଲର୍ । ଆଶ୍ଚର୍ଯ୍ୟର କଥା ହେଉଛି, କିଛି ଛୋଟ ପିଲା ବି କଲ୍ କରି ଇଆଡୁ ସିଆଡୁ କଥାବାର୍ତ୍ତା କରୁଛନ୍ତି ।

କୋଭିଡ ହେଳ୍ପ ଲାଇନ ନମ୍ବର ୧୦୪ କୁ ଦୈନିକ ପ୍ରାୟ ୩୫ ହଜାର ଫୋନ୍ କଲ୍ ଆସେ । କୋଭିଡ୍ ସଂକ୍ରାନ୍ତିୟ ସୂଚନା ସହ ସହାୟତା ପାଇବା ପାଇଁ ବହୁତ ଲୋକ କଲ୍ କରନ୍ତି । ତାହାରି ଭିତରେ ୫ ଶହରୁ ୭ଶହ ଫେକ୍ କଲର୍ ଫୋନ୍ କରୁଛନ୍ତି । ୧୦୪ ହେଲ୍ପ ଲାଇନ ପରିଚାଳନା ଦାୟିତ୍ୱରେ ଥିବା କମ୍ପାନୀ ଜିକିତ୍ସା ହେଲଥ କେୟାର ପକ୍ଷରୁ ଭୁବନେଶ୍ୱର ସହିଦନଗର ଥାନାରେ ବାରମ୍ବାର ଏତଲା ବି ଦିଆଯାଇଛି । ଯେଉଁଥିରେ ଦର୍ଶାଯାଇଛି ଯେ, ୩୦ଟି ନମ୍ବରରୁ କ୍ରମାଗତ କଲ୍ ଆସୁଛି । ତାମଧ୍ୟରୁ ଶହେରୁ ଅଧିକ ଥର ଫେକ୍ କଲ୍ କରାଯାଇଛି ୧୧ଟି ନମ୍ବରରୁ । ଏଥିମଧ୍ୟରୁ ନିର୍ଦ୍ଧିଷ୍ଟ ଗୋଟିଏ ନମ୍ବରରୁ ୪୯୨ ଥର ଏବଂ ଅନ୍ୟ ଏକ ନମ୍ବରରୁ ୨୦୧ ଥର କଲ କରାଯାଇଛି । ୨୦୨୧ ଜାନୁଆରୀରୁ ଗତ ମେ’ ମଧ୍ୟରେ ଏସବୁ କଲ ଆସିଛି । ତେବେ ଏ ସମ୍ପର୍କରେ ବାରମ୍ବାର ଏତଲା ପରେ ବି ପୋଲିସ କାର୍ଯ୍ୟାନୁଷ୍ଠାନ ଶୂନ ।

ଗତ ପ୍ରାୟ ୨ ବର୍ଷ ହୋଇଗଲା, କୋଭିଡ୍ ଜାଲରେ ଛନ୍ଦି ହୋଇ ଘାଣ୍ଟିଚକଟି ହେଉଛି ସାରା ମଣିଷ ସମାଜ । ଏଭଳି ସମୟରେ ଜରୁରୀକାଳୀନ ସେବା ସହ ଜଡ଼ିତ ସଂସ୍ଥା କିମ୍ବା ବ୍ୟକ୍ତି ବିଶେଷଙ୍କ ପ୍ରତି ସମ୍ମାନ ଓ ସହଯୋଗ ରହିବା ଆବଶ୍ୟକ । ଅଥଚ ସାମାଜିକ ଦାୟିତ୍ୱକୁ ଭୁଲି ଜରୁରୀକାଳୀନ ଫୋନ୍ ଲାଇନ୍‌କୁ କିଛି ବ୍ୟକ୍ତି ବ୍ୟସ୍ତ ରଖୁଛନ୍ତି ବିନା କାରଣରେ । ତେଣୁ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି ।