• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ପୂର୍ବରୁ ପଡ଼ି ରହିଥିବା ବକେୟା ବିଜୁଳି ବିଲ ଆଦାୟ ବାହାନାରେ ଉପଭୋକ୍ତାଙ୍କ ଉପରେ ଦାଉ ସାଧୁଛି ଟାଟା ପାୱାର । ଏମିତିକି ଏବେ ମାଟ୍ରିକ ପରୀକ୍ଷା ଚାଲିଥିବା ବେଳେ ଠିକ୍ ଏଇ ସମୟରେ ହିଁ ଲୋକଙ୍କୁ ଦେଉଛି ବିଜୁଳି ଯନ୍ତ୍ରଣା । ଏଇ କିଛି ଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରୁ ଏଭଳି ଅଭିଯୋଗମାନ ଆସିବା ପରେ ଗତକାଲି ବିଧାନସଭାରେ ଏ ପ୍ରସଙ୍ଗ ଉଠାଇଥିଲେ ବିରୋଧୀ । ଟାଟା କମ୍ପାନୀ ଚୁକ୍ତି ଖିଲାପ କରି ମନମାନୀ କରୁଥିବା ବିରୋଧୀ ଅଭିଯୋଗ କରିଥିବା ବେଳେ ଶକ୍ତିମନ୍ତ୍ରୀ କିନ୍ତୁ ଏହାକୁ ଖଣ୍ଡନ କରିଛନ୍ତି ।

ଠିକ୍ ମାଟ୍ରିକ ପରୀକ୍ଷା ବେଳେ ହିଁ ଉପଭୋକ୍ତାଙ୍କୁ ବିଜୁଳି ଛାଟ । ପିଲାଙ୍କ ଗୁରୁତ୍ୱପୂର୍ଣ୍ଣ ପାଠପଢ଼ା ସମୟରେ ହିଁ ଘରୁ ବିଜୁଳି ସଂଯୋଗ ବିଚ୍ଛିନ୍ନ । ଏବେ ସାରା ରାଜ୍ୟରେ ମାଟ୍ରିକ ପରୀକ୍ଷା ଚାଲିଥିବା ବେଳେ ଠିକ୍ ଏହି ସମୟରେ ହିଁ ବକେୟା ବିଲ ଆଦାୟ ପାଇଁ ଗାଁ ଗାଁରୁ ବିଜୁଳି କାଟ୍ ଅଭିଯୋଗ । ବାଲେଶ୍ୱର ଔପଦା ବ୍ଲକର ବାଉଁଶବଣିଆ ପଞ୍ଚାୟତର ୩ଟି ଗାଁ ଜୁଣିଆ ଉପରସାହି, ନୂଆସାହି ଓ ଖଳି ଗାଁକୁ ଆଜିକୁ ୪ ଦିନ ହେବ ବିଜୁଳି କାଟିଦିଆଯାଇଛି ।

ବିଜୁଳି ବଣ୍ଟନ ଦାୟିତ୍ୱରେ ଥିବା ଟାଟା ପାୱର ନର୍ଦ୍ଦନ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ । ଫଳରେ ଦିନଦ୍ୱିପହରର ତାତି ଓ ରାତିର ଅନ୍ଧାର ଭିତରେ କାଳ କାଟୁଛନ୍ତି ୨୦୦ରୁ ଅଧିକ ପରିବାର। ଉଦବେଗର ବିଷୟ ପୁରା ୩ଟି ଗାଁକୁ ବିଜୁଳି ସଂଯୋଗ କାଟି ଏ ଅଞ୍ଚଳର ମାଟ୍ରିକ ପରୀକ୍ଷାର୍ଥୀଙ୍କ ଭବିଷ୍ୟତକୁ ବି ଅନ୍ଧାରକୁ ଠେଲି ଦେଇଛନ୍ତି କର୍ତ୍ତୃପକ୍ଷ । ଲୋକଙ୍କ ଅଭିଯୋଗ, ଏ ତିନି ଗାଁରୁ ବିଜୁଳି କାଟ ପୂର୍ବରୁ କମ୍ପାନୀର ପୂର୍ବ ସୂଚନା ନାହିଁ, କି ଯେଉଁମାନେ ନିୟମିତ ବିଲ୍ ଭରଣା କରୁଛନ୍ତି, ସେମାନଙ୍କ ଅସୁବିଧାକୁ ଖାତିର ନାହିଁ । ଧୂଆ ମୂଳା-ଅଧୁଆ ମୂଳା ନ୍ୟାୟରେ ଏବେ ସମସ୍ତେ ଭୋଗୁଛନ୍ତି ବିଜୁଳି ଯନ୍ତ୍ରଣା।

ସେପଟେ ବକେୟା ବିଲ୍ ଆଦାୟ କରିବା ବାହାନାରେ ଗରିବ ଲୋକଙ୍କ ବିଜୁଳି ସଂଯୋଗ କାଟ୍ ନେଇ ସମ୍ବଲପୁରରେ ବି ଜନ ଆକ୍ରୋଶ । ଇଏ ସମ୍ବଲପୁର ପୂଜାରୀପଡ଼ାର ସୀମା ମଲ୍ଲିକ । ୨୯ ହଜାର ଟଙ୍କା ବକେୟା ବିଲ ଅଭିଯୋଗରେ ଟାଟା ପାୱାର କର୍ତ୍ତୃପକ୍ଷ ତାଙ୍କ ଘରୁ ବିଜୁଳି ସଂଯୋଗ ବିଚ୍ଛିନ୍ନ କରିଥିବା ଅଭିଯୋଗ ହୋଇଛି । ଏପଟେ ସମ୍ବଲପୁର ସହରରେ ଏଭଳି ଘଟଣାର ପୁନରାବୃତ୍ତି ପରେ ତାତିଛି ବିଜେପି ।

TPWODLର ଗ୍ରାହକ ଶୋଷଣ, ମନୋମୁଖୀ କାର୍ଯ୍ୟ ଓ ବେନିୟମ ପାଉଣା ଆଦାୟ ଓ ବିଜୁଳି କାଟ୍‌କୁ ଜନବିରୋଧୀ କହି ଦୁଇ ଦିନ ତଳେ ସଂସ୍ଥାର ଅଧୀକ୍ଷଣ ଯନ୍ତ୍ରୀଙ୍କ ଅଫିସ ଘେରିଥିଲା ଦଳ । ଗତକାଲି ବିଧାନସଭାରେ ବି ଏ ସମ୍ବେଦନଶୀଳ ପ୍ରସଙ୍ଗ ଉଠାଇ ଟାଟା କମ୍ପାନୀ ବିରୋଧରେ ବର୍ଷିଥିଲେ ବିରୋଧୀ । ଟାଟା ପାୱାର ଚୁକ୍ତି ଉଲ୍ଲଂଘନ କରି ବକେୟା ଆଦାୟ ବାହାନାରେ ଗ୍ରାହାକଙ୍କୁ ଲୁଟୁଥିବା ବିଜେପି ଅଭିଯୋଗ କରିଥିଲା । ତେବେ ଶକ୍ତି ମନ୍ତ୍ରୀ କିନ୍ତୁ ବିରୋଧୀଙ୍କ ଏ ଅଭିଯୋଗକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି । ତେବେ ଏ ନେଇ ଟାଟା ପାୱାରର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

ନୀଳଗିରିରୁ ବିଶ୍ୱମ୍ବର ଦାସ, ସମ୍ବଲପୁରରୁ ସଂଜୟ ଜେନା ଓ ଭୁବନେଶ୍ୱରରୁ ହରିହର ଚାନ୍ଦଙ୍କ ରିପୋର୍ଟ, ଓଟିଭି