• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବାରମ୍ବାର ଡଙ୍ଗା ବୁଡ଼ି ଘଟଣା ପରେ ବି ଚେତୁନି ପ୍ରଶାସନ । ୨୫ରୁ ୩୦ ଜଣ ଯାତ୍ରୀ ପରିବହନ କ୍ଷମତା ଥିବା ଡଙ୍ଗାରେ ପାର ହେଉଛନ୍ତି ପାଖାପାଖି ୧୦୦ ଯାତ୍ରୀ । ତା’ସାଙ୍ଗକୁ ଲଦା ହେଉଛି ଗଦା ଗଦା ସାଇକେଲ ଓ ବାଇକ୍ । ଅଥଳ ଜଳ ରାଶିରେ ଦୀର୍ଘ ୧୦ କିଲୋମିଟର ରାସ୍ତା ପାର ହେବାକୁ ଏମିତି ବିପଦ ସଙ୍କୁଳ ଯାତ୍ରା କରୁଛନ୍ତି ଲୋକେ । କେନ୍ଦ୍ରାପଡ଼ା ଜିଲ୍ଲାର ବୈତରଣୀ ନଦୀ ମୁହାଣରେ ପ୍ରତିଦିନ ଏଭଳି ବିପଦପୂର୍ଣ୍ଣ ନୌକାଯାତ୍ରା ଚାଲିଛି, ହେଲେ ପ୍ରଶାସନ ବେଫିକର ।

ବିପଦଶଙ୍କୁଳ ନୌକା ଯାତ୍ରା ଦେଖିଲେ ଦେହ ଶିହରି ଉଠିବ । କୌଣସି ସୁରକ୍ଷା ବ୍ୟବସ୍ଥା ନଥାଇ ଲାଇସେନ୍ସ ନଥିବା ଡଙ୍ଗାରେ ବେଧଡ଼କ ଭାବେ ଚାଲିଛି ମୁହାଣ ପାର । ରାତି ପାହିବାଠୁ ରାତି ହେବା ଯାଏଁ ହଜାର ହଜାର ଲୋକ ଜୀବନକୁ ବାଜି ଲଗେଇ ନିଜର ଜୀବିକା ପାଇଁ ଡଙ୍ଗାରେ ଯାତ୍ରା କରିଥାନ୍ତି । ମୁହାଣ ପାର ହୋଇ ପଡୋଶୀ ଜିଲ୍ଲା ଭଦ୍ରକ ଉପରେ ନିର୍ଭର କରନ୍ତି ।

ରାଜନଗର ବ୍ଲକର ୨୦ ହଜାରରୁ ଅଧିକ ଲୋକ ସ୍ୱାସ୍ଥ୍ୟ ପାଇଁ ହେଉ କିମ୍ବା ବନ୍ଧୁ ବାନ୍ଧବଙ୍କ ଘରକୁ ଯିବା ଆସିବା ପାଇଁ, ଏହି ଜଳପଥ ଉପରେ ନିର୍ଭରଶୀଳ  ବୈତରଣୀ ନଦୀ ମୁହାଣ ଦେଇ ତାଳଚୁଆଠାରୁ ଭଦ୍ରକ ଜିଲ୍ଲାର ଧାମରାକୁ ବୋଟ ଯାଇଥାଏ` ଜଳପଥରେ ୧୦ କିଲୋମିଟରକୁ ପାଖାପାଖି ୧ ଘଣ୍ଟା ସମୟ ଲାଗିଥାଏ । ଅକାତକାତ ପାଣି ପୁଣି କୁମ୍ଭୀର ଭୟ । ସବୁଠୁ ବଡ଼ କଥା ହେଲା ନିଲାମ ହେଉଥିବା ଏହି ଫେରି ଘାଟ ଗୁଡିକର ନା ଅଛି ଫିଟନେସ ନା ଅଛି ଲାଇସେନ୍ସ । ବିନା ଲାଇଫ ଜ୍ୟାକେଟରେ ୩୦ ଯାତ୍ରୀ ପରିବହନ କ୍ଷମତା ଥିବା ବୋଟରେ ପାର ହେଉଛନ୍ତି ୩ ରୁ ୪ ଗୁଣ ଅଧିକ ଲୋକ ।

ପ୍ରତିଦିନ ବିପଦପୂର୍ଣ୍ଣ ଅବସ୍ଥାରେ ବୈତରଣୀ ମୁହାଣ ପାର ହେଉଥିବା ଯାତ୍ରୀଙ୍କ ପାଇଁ ସରକାରଙ୍କ ପକ୍ଷରୁ କିଛି ସୁରକ୍ଷା ବ୍ୟବସ୍ଥା ନାହିଁ । କେବଳ ନିଲାମ ଦେଇ ଚୁପଚାପ ବସି ରହିଛନ୍ତି ସରକାର । ଏସମ୍ପର୍କରେ ଆମେ ଅତିରିକ୍ତ ଜିଲ୍ଲାପାଳଙ୍କୁ ପଚାରିବାରୁ ସେ କହିଛନ୍ତି, ବିଡ଼ିଓ ଏବଂ ତହସିଲଦାରଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି, ରିପୋର୍ଟ ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । ବାରମ୍ବାର ଡ଼ଙ୍ଗା ବୁଡି ଘଟଣା ପରେ ସରକାର ବିଭିନ୍ନ ଗାଇଡ୍‌ଲାଇନ ପ୍ରସ୍ତୁତ କରୁଛନ୍ତି । ମାତ୍ର ଅଫିସରଙ୍କ ଖାମଖିଆଲି ମନୋବୃତ୍ତି ପାଇଁ ନିୟମ କେବଳ କାଗଜ କଲମରେ ସୀମିତ ।