• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଲାଞ୍ଚ ଦେଇ ମଧ୍ୟ କାମ ହେଲାନି । ଶୁଣିଲେନି ଜିଲ୍ଲପାଳ । ଶେଷରେ ତାଙ୍କ ଗାଡ଼ି ଆଗରେ ଶୋଇପଡ଼ିଲେ । ଏଭଳି ଏକ ଭିନ୍ନ ପ୍ରତିବାଦ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ । ଜଣେ ବ୍ୟକ୍ତି ଜିଲ୍ଲାପାଳଙ୍କୁ ଭେଟିବାକୁ କାର୍ଯ୍ୟାଳୟ ଆସିଥିଲେ । ହେଲେ ସେଠାରେ ସେ ତାଙ୍କୁ ଭେଟି ନପାରିବାରୁ ଭାରି ବ୍ୟସ୍ତ ହୋଇପଡ଼ିଥିଲେ । ଏହି ସମୟରେ ଜିଲ୍ଲାପାଳଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ଜଣେ ପୋଲିସ କର୍ମଚାରୀ ଉକ୍ତ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ କାମ କରାଇଦେବେ କହିଥିଲେ । ଏହି କଥାରେ ରାଜି ହୋଇ ଉକ୍ତ ବ୍ୟକ୍ତି ପୋଲିସ କର୍ମଚାରୀଙ୍କୁ ଟଙ୍କା ମଧ୍ୟ ଦେଇଥିଲେ ।

ହେଲେ ବିଡ଼ମ୍ବନାର କଥା ହେଲା, ଉକ୍ତ ବ୍ୟକ୍ତି ଟଙ୍କା ଦେବା ପରେ ମଧ୍ୟ କାମ ହୋଇନଥିଲା । ଶେଷରେ ବ୍ୟକ୍ତି ଜଣଙ୍କ କାନ୍ଦି କାନ୍ଦି ନିରାଶ ହୋଇ ବସିପଡ଼ିଥିଲେ । ପରେ ଜିଲ୍ଲାପାଳଙ୍କ ଗାଡ଼ି ଆଗରେ ଶୋଇ ପ୍ରତିବାଦ କରିଥିଲେ । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏବେ ଖବର ସାମ୍ନାକୁ ଆସିଛି । ଅନ୍ୟପଟେ ଯେଉଁ ପୋଲିସ କର୍ମଚାରୀ ଟଙ୍କା ନେଇ କାମ କରାଇଦେବେ କହିଥିଲେ, ଅଭିଯୋଗ ପରେ ତାଙ୍କୁ ଉକ୍ତ ଦାୟିତ୍ୱରୁ ନିବତ ରଖାଯାଇଛି ।

ସୂଚନାଯୋଗ୍ୟ, ଜିଲ୍ଲାପାଳଙ୍କୁ ଭେଟିବାକୁ ଆସିଥିବା ଉକ୍ତ ବ୍ୟକ୍ତି ଜଣକ ହେଉଛନ୍ତି ପ୍ରକାଶ ମିଶ୍ର । ସେ ବୁଧବାର ନିଜର ଦୁଃଖ ଜଣାଇବାକୁ ଜିଲ୍ଲାପାଳଙ୍କ ନିକଟକୁ ଆସିଥିଲେ । ତାଙ୍କ ପୁଅ ରକ୍ତ କର୍କଟରେ ପୀଡିତ । ନିଜ ପୁଅର ଚିକିତ୍ସା ନିମନ୍ତେ ଆର୍ଥିକ ସହାୟତା ପାଇଁ ଜିଲ୍ଲାପାଳଙ୍କ ନିକଟରେ ଗୁହାରି କରିବାକୁ ଆସିଥିଲେ । ସେଠାରେ ଜିଲ୍ଲାପାଳଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ଜଣେ ପୋଲିସ ହାବିଲଦାର କାମ କରାଇ ଦେବାକୁ କହି ପ୍ରକାଶଙ୍କ ଠାରୁ ପ୍ରଥମେ ଟଙ୍କା ନେଇଥିଲେ ।

ପରେ ପୁଣି ଆଉ ୨ ହଜାର ଟଙ୍କା ମାଗିଥିଲେ । ହେଲେ ଟଙ୍କା ଦେବାକୁ ମନା କରିବାରୁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଯାହା ପରେ ପ୍ରକାଶ ଉପଜିଲ୍ଲାପାଳଙ୍କ ଗାଡି ଆଗରେ ଶୋଇ ପ୍ରତିବାଦ କରିଥିଲେ । ଅନ୍ୟପଟେ ଏହି ପୁରା ଘଟଣା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।