/odishatv-khabar/media/post_attachments/uploadimage/library/16_9/16_9_0/darkness_1692190940.jpg)
darkness
ସୂର୍ଯ୍ୟ ବୁଡ଼ିଲେ ସେଠି ସବୁ ଘରେ ପଡିଯାଏ ତାଟି କବାଟ । ଆଉ ପରଦିନ ସୂର୍ଯ୍ୟ ଉଦୟ ହେଲେ ପୁଣି ଆରମ୍ଭ ହୁଏ ଜୀବନ । ସେମାନେ ସମସ୍ତେ ସ୍ୱାଧୀନ ଭାରତର ନାଗରିକ । ଆଉ ଫୁଙ୍ଗୁଳା ଦେହରେ ଥିବା ପିଲାମାନେ ହେଉଛନ୍ତି ଭାରତର ଭବିଷ୍ୟତ । ସବୁ ଭାରତୀୟଙ୍କ ପରି ସମସ୍ତ ମୌଳିକ ସୁବିଧା ପାଇବାକୁ ତାଙ୍କର ବି ରହିଛି ସାମ୍ବିଧାନିକ ହକ୍ । ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଅନ୍ଧାରରେ ବୁଡ଼ିଯାଇଛି ସେମାନଙ୍କ ବର୍ତ୍ତମାନ ।
ସ୍ୱାଧୀନତାର ୭ ଦଶନ୍ଧି ପରେ ବି ବିଦ୍ୟୁତ ଆଲୋକ ଦେଖିନାହାନ୍ତି ଗାଁର ଲୋକେ । ରାଜ୍ୟର ଅନ୍ୟତମ ଧନୀ ଜିଲ୍ଲା କେନ୍ଦୁଝରର ଲୋକଙ୍କ ଦୁର୍ଦ୍ଦଶାର କାହାଣୀ ଯିଏ ଦେଖୁଛି ସିଏ ବି ଆଶ୍ଚର୍ଯ୍ୟ ହେଉଛି । ସେଠି ମାଟି ଖୋଲିଲେ ସୁନା ମିଳେ । ମାଟିତଳୁ ମୂଲ୍ୟବାନ ଖଣିଜ ପଦାର୍ଥ ମିଳିବାରେ ଅଗ୍ରଣୀ ଜିଲ୍ଲା । ହେଲେ ସ୍ୱାଧୀନତାକୁ ୭୭ ବର୍ଷ ବିତିଥିଲେ ବି ୧୯୪୮ରୁ ଜିଲ୍ଲା ମାନ୍ୟତା ପାଇଥିବା କେନ୍ଦୁଝରର ଯୋଡ଼ା ବ୍ଲକର ୪ଟି ଗାଁରେ ରାତି ହେଲେ ଘର ଅନ୍ଧାର ।
ଦେଖନ୍ତୁ ଭିଡିଓ | ନବୀନ ଓଡ଼ିଶାର ବିକଳ ଚିତ୍ର: ନାହିଁ ନାହିଁର ଗାଁ ବୁରୁଡ଼ିହି
କଣ୍ଡରା ପଞ୍ଚାୟତର ରାମଚନ୍ଦ୍ରପୁର ଗୋଲେଇସାହି, ଅଶେଇକଳା ପଞ୍ଚାଯତର ଦଣ୍ଡାଗୁଟୁ ଓ ଧଳାଡିହ ମନ୍ଦିର ସାହିରେ ରହୁଥିବା ପ୍ରାୟ ୧୦୦ ପରିବାର ଘରେ କେବେ ଆଲୁଅ ଜଳିବ ଚାହିଁ ବସିଛନ୍ତି । ସବୁଠୁ ସାଂଘାତିକ କଥା ହେଉଛି, ବିଦ୍ୟୁତ ଖୁଣ୍ଟ ନାହିଁ ହେଲେ ବିନା ବିଦ୍ୟୁତ ସଂଯୋଗରେ କିଛି ପରିବାର ନାଁରେ ବିଦ୍ୟୁତ ବିଲ୍ ଆସିଛି ।
ଡିଜିଟାଲ ଯୁଗରେ ମୋବାଇଲ ଟିକେ ଚାର୍ଜ କରିବାକୁ ସଂଘର୍ଷ କରୁଛନ୍ତି ସେଠାକାର ମଣିଷ । ସେହି ଲୋକଙ୍କ ଅବସ୍ଥା ଦେଖିଲେ ସରକାରଙ୍କ ବିକାଶର ମାଳମାଳ ଯୋଜନା କାହାପାଇଁ ପ୍ରଶ୍ନ ଉଠୁଛି ? ତେବେ ଏଯାଏଁ ଏହି ୪ଟି ଗାଁ ବିଦ୍ୟୁତ ସଂଯୋଗରୁ କାହିଁକି ବଞ୍ଚିତ ଏନେଇ ବିଭାଗୀୟ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)