• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ରାଜ୍ୟରେ ଓଡ଼ିଆ ଉଦ୍ୟୋଗୀଙ୍କୁ ଅଣଦେଖା । ଏଭଳି ଅଭିଯୋଗ ଆଣି ଯୁବ ଉଦ୍ୟୋଗୀ ସାକ୍ୟସିଂହ ମହାପାତ୍ର ନିକଟରେ ସୋସିଆଲ୍ ମିଡିଆରେ ନିଜର କ୍ଷୋଭ ପ୍ରକାଶ କରିଛନ୍ତି । କେବଳ ଓଡ଼ିଆ ଉଦ୍ୟୋଗୀ ନୁହେଁ, ରାଜ୍ୟରେ ବଡ଼ ଶିଳ୍ପକୁ ଛାଡ଼ିଦେଲେ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବି ଲାଞ୍ଛିତ ହେଉଥିବା ନେଇ ଉଦବେଗ୍ ପ୍ରକାଶ କରିଛି ଶିଳ୍ପସଂଘ । ସରକାର ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥାକୁ ସଜାଡ଼ିବା ସହ ବଡ଼ ଶିଳ୍ପ ସହ ନିଯୁକ୍ତି ସୃଷ୍ଟିକାରୀ SMEକୁ ଗୁରୁତ୍ୱ ଦିଅନ୍ତୁ ବୋଲି ଦାବି କରିଛନ୍ତି ।

କାହିଁକି ଫେସବୁକରେ ଏଭଳି କବିତା ପୋଷ୍ଟ କରିଛନ୍ତି ଯୁବ ଓଡ଼ିଆ ଉଦ୍ୟୋଗୀ ସାକ୍ୟସିଂହ ? ୨୦୧୮ ମେକ୍ ଇନ୍ ଓଡ଼ିଶା ଉଦ୍‌ଘାଟନୀ ଉତ୍ସବରେ ନିଜ ଷ୍ଟାର୍ଟଅପ୍ ଦ୍ୱାରା ନିର୍ମିତ ରୋବୋର କମାଲ୍ ଦେଖାଇ ପ୍ରଶଂସା ସାଉଁଟିଥିବା ସାକ୍ୟସିଂହଙ୍କ କ’ଣ ଏମିତି ହେଲା ଯେ ରାଜ୍ୟ ସରକାରଙ୍କ ବିରୋଧରେ ଏଭଳି ବିଷ ଉଗାରିଛନ୍ତି ? ସେ କହିଛନ୍ତି, ସରକାରଙ୍କ ବିରୋଧରେ ତାଙ୍କର ନିଜସ୍ୱ କୌଣସି କ୍ଷୋଭ ନାହିଁ ।

ସେ କେବଳ ଓଡ଼ିଆ ଉଦ୍ୟୋଗୀଙ୍କ ପ୍ରତି ରାଜ୍ୟ ସରକାର କରୁଥିବା ଅନ୍ୟାୟ ଓ ଅଣଦେଖାକୁ ଲୋକଲୋଚନକୁ ଆଣୁଛନ୍ତି । ରାଜ୍ୟ ସରକାର ବିଦେଶୀ ପୁଞ୍ଜିପତିଙ୍କୁ ବିଭିନ୍ନ ପ୍ରକାର ପ୍ରୋତ୍ସାହନ ଦେଇ ରାଜ୍ୟକୁ ଆଣୁଛନ୍ତି । ଶସ୍ତାରେ ଜମି ଦେଉଛନ୍ତି, ରାଜଧାନୀ ଛାତି ଉପରେ ବିଲ୍ଡିଂ ତିଆରି କରି ଟେକିଦେଉଛନ୍ତି । କିନ୍ତୁ ଓଡ଼ିଆ ଉଦ୍ୟୋଗୀଙ୍କ କ୍ଷେତ୍ରରେ ସେଭଳି ହେଉନାହିଁ।

କେବଳ ଓଡ଼ିଆ ଉଦ୍ୟୋଗୀ ନୁହେଁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀଙ୍କ ପ୍ରତି ସରକାର ଅଣଦେଖା କରୁଥିବା ରାଜ୍ୟ ଶିଳ୍ପସଂଘ ଅଭିଯୋଗ କରିଛି । ସଂଘ କହିଛି, ଆମ ରାଜ୍ୟରେ ଥିବା ସିଙ୍ଗଲୱିଣ୍ଡୋ ବ୍ୟବସ୍ଥାର ବାସ୍ତବ ଚିତ୍ର ପୂରା ଭିନ୍ନ । ସିଙ୍ଗଲ ୱିଣ୍ଡୋ ଭିତରକୁ ଥରେ ପଶିଲେ ପଚାଶ ୱିଣ୍ଡୋ ରହିଛି। ସେସବୁ ସ୍ଥାନକୁ ନ ଦୌଡ଼ିଲେ ଫାଇଲ ଘୁଞ୍ଚିବନି ।

ଅନ୍ୟପକ୍ଷରେ ଏବେ ରାଜ୍ୟକୁ କେବଳ ନିଜସ୍ୱ ସ୍ୱାର୍ଥ ପାଇଁ ବଡ଼ ବଡ଼ ଶିଳ୍ପସଂସ୍ଥା ଆସୁଛନ୍ତି । କିନ୍ତୁ ପ୍ରକୃତରେ ଡାଉନଷ୍ଟ୍ରିମ ଶିଳ୍ପ ଓ ଏମଏସ୍ଏମ୍ଇ ହିଁ ପର୍ଯ୍ୟାପ୍ତ ରୋଜଗାର ଯୋଗାଇପାରିବ, ଯାହା ପ୍ରତି ସରକାରଙ୍କର କୌଣସି ନିଘା ନାହିଁ ବୋଲି ଶିଳ୍ପସଂଘ ଅଭିଯୋଗ କରିଛି । ତେବେ ଶିଳ୍ପମନ୍ତ୍ରୀ କହିଛନ୍ତି, ଶିଳ୍ପାୟନରେ ରାଜ୍ୟ ଏବେ ଜାତୀୟ ହାରଠୁ ଢେର ଆଗରେ ରହିଛି । ସରକାର ବଡ଼ ପ୍ରକଳ୍ପ ସହ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପକୁ ମଧ୍ୟ ଗୁରୁତ୍ୱ ଦେଉଛନ୍ତି ।

ଦେଖିବାକୁ ବାକି ରହିଲା, ବଡ଼ ବଡ଼ କମ୍ପାନିଙ୍କ ପ୍ରେମରେ ମତୁଆଲା ରାଜ୍ୟ ସରକାରଙ୍କ କୃପା ଦୃଷ୍ଟି କେବେ ଓଡ଼ିଆ ଉଦ୍ୟୋଗୀ ତଥା ଏସ୍ଏମ୍ଇଙ୍କ ଉପରେ ପଡ଼ିବ ।

  • Reported by:
  • KAPILENDRA PRADHAN