• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କୋଟିପତି ବ୍ୟବସାୟୀ ତଥା ଟେସଲା କମ୍ପାନୀର ସିଇଓ ଏଲୋନ୍ ମସ୍କ ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚା ରହିଆସିଛନ୍ତି । ସେ ଅଧିକାଂଶ ସମୟରେ ନିଜର ସୋସିଆଲ ମିଡିଆ ପୋଷ୍ଟକୁ ନେଇ ହିଁ ଚର୍ଚ୍ଚାରେ ଥାନ୍ତି । ଖାଲି ଚର୍ଚ୍ଚା ନୁହେଁ ନିଜର ଅଜବ ଧରଣର ଅନ୍ଦାଜ ଓ ପୋଷ୍ଟ ପାଇଁ ତାଙ୍କୁ ଅନେକ ଥର ସମାଲୋଚନାର ଶିକାର ହେବାକୁ ମଧ୍ୟ ପଡ଼ିଛି । ତେବେ କିଛି ଦିନ ପୂର୍ବରୁ ସେ ଟ୍ୱିଟର କିଣିବେ ବୋଲି କହିବା ସହ ଏଥିରେ ଅନେକ ପରିବର୍ତ୍ତନ କରିବେ ବୋଲି କହି ବେଶ୍‌ ଚର୍ଚ୍ଚାରେ ରହିଲେ । 

ଏବେ ତାଙ୍କୁ ନେଇ ଆଉ ଏକ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି । ସୋସିଆଲ ମିଡିଆରେ ସେ ଏମିତି ଏକ ପୋଷ୍ଟ କରିଛନ୍ତି ଯାହାକୁ ନେଇ ସମସ୍ତେ ଚର୍ଚ୍ଚା କରୁଛନ୍ତି । ସେ ପ୍ରଥମେ ଏକ ଟ୍ୱିଟ୍‌ କରିଥିଲେ ଯେ, ଇଲଣ୍ଡର ପୁଟ୍‌ବଲ୍‌ ଟିମ୍‌ ମଞ୍ଚେଷ୍ଟର ୟୁନାଇଟେଡ୍‌କୁ ସେ କିଣିବାକୁ ଯାଉଛନ୍ତି । ଏହାର କିଛି ସମୟ ପରେ ସେ ଆଉ ଏକ ଟ୍ୱିଟ୍‌ କଲେ । ଆଉ ସମସ୍ତଙ୍କୁ ଚକିତ କରିଦେଲେ । ସେଥିରେ ସେ ଲେଖିଥିଲେ ଯେ, ‘ନା ମୁଁ ତାକୁ କିଣିବାକୁ ଚାହୁଁନି । ମୁଁ ମଜାକ୍‌ କରୁଥିଲି ।’ ପ୍ରଥମ ପୋଷ୍ଟ କରିବାର ମାତ୍ର ୪ ଘଣ୍ଟା ପରେ ସେ ମଜାକ୍‌ କରୁଥିଲେ ବୋଲି ପୋଷ୍ଟ କରିଥିଲେ । ସୂଚନାଥାଉ କି, ମଞ୍ଚେଷ୍ଟର ୟୁନାଇଟେଡ୍‌ର ଅନେକ ଫ୍ୟାନ୍‌ କ୍ଲବ୍‌ ରହିଛି, ଯେଉଁମାନେ କି ବର୍ତ୍ତମାନର ମାଲିକମାନଙ୍କୁ ବିରୋଧ କରୁଛନ୍ତି ।

ପୂର୍ବରୁ ମଧ୍ୟ ଅନେକ ଥର ଏଲନ୍‌ ମସ୍କ ଏଭଳି ଟ୍ୱିଟ୍ କରିଆସୁଛନ୍ତି । ଟ୍ୱିଟର କିଣିବା ପାଇଁ ଚୁକ୍ତିରୁ ଓହରିବା ପରେ ମସ୍କ ଏବେ ଅଡ଼ୁଆରେ ପଡ଼ିଛନ୍ତି । ତାଙ୍କୁ ଆମେରିକାରେ ଆଇନଗତ ମାମଲାର ସମ୍ମୁଖୀନ ହେବାକୁ ପଡ଼ିଛି । ସେ ସୋସିଆଲ ମିଡିଆ ପ୍ଲାଟଫର୍ମ, ଟ୍ୱିଟରର ନିୟମିତ ବ୍ୟବହାରକାରୀଙ୍କ ମଧ୍ୟରୁ ଜଣେ । ବୁଧବାର ସେ ରାଜନୈତିକ କ୍ଷେତ୍ରରେ ନିଜର ସମ୍ପର୍କ ନେଇ ଏକ ଟୁଇଟ୍ କରିଥିଲେ । ତା’ପରେ ଅନ୍ୟ ଏକ ଟ୍ୱିଟ୍ ଯୋଡି ସେଥିରେ ସେ ଲେଖିଥିଲେ ଯେ, ‘ମୁଁ ମଧ୍ୟ ମଞ୍ଚେଷ୍ଟର ୟୁନାଇଟେଡ୍ କିଣିବାକୁ ଯାଉଛି । ଆପଣଙ୍କୁ ସ୍ୱାଗତ ।’ 

୫୧ ବର୍ଷିୟ ମସ୍କଙ୍କ ଏଭଳି ଟ୍ୱିଟ୍ ଫୁଟ୍‌ବଲ୍‌ ଜଗତରେ ହଲଚଲ ସୃଷ୍ଟି କରିଦେଇଥିଲା । ଏହାପରେ ପ୍ରଶଂସକମାନେ ତାଙ୍କୁ ପଚାରିଥିଲେ ଯେ, ସତରେ କ’ଣ ସେ ମଞ୍ଚେଷ୍ଟର ୟୁନାଇଟେଡ୍‌ କିଣିବାକୁ ଯାଉଛନ୍ତି । ଜଣେ ୟୁଜରଙ୍କ ଏହି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସେ କହିଥିଲେ, ‘ନା, ଟ୍ୱିଟରରେ ଲମ୍ବା ସମୟ ଧରି ଏମିତି କିଛି ମଜାକ୍‌ ଚାଲିଛି । ମୁଁ କିନ୍ତୁ ବାସ୍ତବରେ କୌଣସି ଖେଳ ଟିମ୍‌ କିଣିବାକୁ ଯାଉ ନାହିଁ ।’ ମଞ୍ଚେଷ୍ଟର ୟୁନାଇଟେଡ୍‌ର ମାଲିକାନା ଏବେ ଆମେରିକୀୟ ଶିଳ୍ପପତି ମେଲକମ୍ ଗ୍ଲେଜରଙ୍କ ପରିବାର ହାତରେ ରହିଛି ।