• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ରାଜ୍ୟରେ ଜାରି ରହିଛି ହାତୀ ଉପଦ୍ରବ । କେଉଁଠାରେ ହାତୀ ଉତ୍ପାତରେ ମଣିଷ ଅତିଷ୍ଠ ତ କେଉଁଠାରେ ମଣିଷର କାର୍ଯ୍ୟରେ ହାତୀ । ରାଜ୍ୟରେ ଏପରି ତିନୋଟି ଖବର ବର୍ତ୍ତମାନ ସାମ୍ନାକୁ ଆସିଛି । କେନ୍ଦୁଝର ବନଖଣ୍ଡ ତେଲକୋଇ ଗୋଳାବନ୍ଧ ଫରେଷ୍ଟ ବିଟରେ ୩ ଦିନ ହେଲା ୧୪ ଟିକିଆ ହାତୀପଲ ବ୍ୟାପକ ଉପଦ୍ରବ ଚଲାଇଛନ୍ତି । ଗତ କାଲି ରାତିରେ ସେମାନେ ଗୋଳାବନ୍ଧ ଗ୍ରାମରେ ପଶି ବ୍ୟାପକ କ୍ଷତି କରିଥିବା ଦେଖିବାକୁ ମିଳିଛି ।

ପାଚିଲା ଧାନକୁ ଦଳି ମକଚି ନଷ୍ଟ କରିବା ସହିତ, ଘର କବାଟ ଭାଙ୍ଗିଥିବା ମଧ୍ୟ ଅଭିଯୋଗ ହୋଇଛି । ଅଞ୍ଚଳରେ ବ୍ୟାପକ କ୍ଷତି କରୁଥିବାରୁ ଚାଷୀଙ୍କ ଚିନ୍ତା ବଢି ଯାଇଛି । ହାତୀ ମାନଙ୍କର ଉତ୍ପାତରେ ହୋଇଥିବା କ୍ଷତି ପାଇଁ କ୍ଷତିପୂରଣ ଦାବି କରିଛନ୍ତି ଚାଷୀ ।

ଅନ୍ୟ ଏକ ଘଟଣାକ୍ରମରେ ବଡମ୍ବା କୁଆଁରପାଳ ଗାଁରେ ହାତୀ ଆକ୍ରମଣରେ ଜଣଙ୍କ ମୃତ୍ୟୁ । ମୃତକ ଜଣକ ହେଉଛନ୍ତି କୁଆଁରପାଳ ଗାଁର ସଞ୍ଜୟ ପ୍ରଧାନ । ହାତୀ ଘଉଡ଼ାଇବା ପାଇଁ ବିଳମ୍ବିତ ରାତ୍ରିରେ କୁଆଁରପାଳ ପୋଖରୀ ନିକଟ ଆମ୍ବ ତୋଟାକୁ ଯାଇଥିଲେ । ଠିକ ଏହି ସମୟରେ ହାତୀଟି ଆକ୍ରମଣ କରିଥିଲା । ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି । ଦୁଇଦିନ ଭିତରେ ହାତୀ ଆକ୍ରମଣରେ ଦୁଇଜଣଙ୍କର ଜୀବନ ଚାଲିଯିବା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

ସେହିପରି କଟକ ବାଙ୍କୀ ଅଞ୍ଚଳରେ ଗତ କିଛିଦିନ ଧରି ହାତୀ ଆତଙ୍କ ଦେଖାଯାଉଛି । ଯାହାକୁ ନେଇ ଚିନ୍ତାରେ ଏବେ ଚାଷୀ । ଚନ୍ଦକା ଅଭୟାରଣ୍ୟରୁ ହାତୀ ଆସି ଫସଲ ନଷ୍ଟ କରୁଥିବା ଅଭିଯୋଗ ହେଉଛି । ଯାହାକୁ ନେଇ ଏବେ ବାଙ୍କି ଭଗିପୁର ଗୟଳବାଙ୍କ ବାଆଁରା ଅଞ୍ଚଳର ଚାଷୀ ରାତି ଅନିଦ୍ରା ହୋଇ ଜଗି ରହୁଛନ୍ତି । ହାତୀ ପାଇଁ ଅଞ୍ଚଳବାସୀ ଏବେ ଭୟଭୀତ ଅବସ୍ଥାରେ ରହିଛନ୍ତି ।

ଅନ୍ୟପଟେ ହାତୀ ଲାଙ୍ଗୁଡ଼ ଟାଣି ଯୁବକ ଗିରଫ ହୋଇଛନ୍ତି । ବନ୍ୟଜନ୍ତୁଙ୍କୁ ଉତ୍ତେଜିତ କରିବା ଅଭିଯୋଗରେ ବନବିଭାଗ ପକ୍ଷରୁ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଅନୁଗୋଳ ବଅଁରପାଳ ବ୍ଲକ ଅଞ୍ଚଳରେ ଗତ କିଛି ମାସ ତଳେ ଏକ ଦନ୍ତା ହାତୀକୁ ହଇରାଣ କରୁଥିବା ଘଟଣା ସାମ୍ନାକୁ ଆସିଥିଲା । ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ ଦିନେଶ ସାହୁ ଦନ୍ତାର ପଛପଟକୁ ଯାଇ ଲାଞ୍ଜ ଟାଣିଥିଲେ । ଥରେ ନୁହେଁ ବାରମ୍ବାର ଏପରି କରିବା ଦ୍ୱାରା ହାତୀ ଉତ୍ତେଜିତ ହୋଇ ଏତେତେଣେ ଦୌଡ଼ି ଥିଲା । ପରେ ଘଟଣା ସମୟର ଭିଡିଓ ସାମ୍ନାକୁ ଆସିବା ସହ ଭାଇରାଲ୍ ମଧ୍ୟ ହୋଇଥିଲା । ବନ ବିଭାଗ ଏନେଇ ତଦନ୍ତ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିଛି ।