• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଆପଣଙ୍କ ବିଦ୍ୟୁତ୍ ମିଟର ରିଡିଂ ୩୦ ଦିନ ଅନ୍ତରରେ ସଂଗ୍ରହ ହେଉଛି, ନା ଏହାଠୁ ଢେର୍ ବିଳମ୍ବ ହେଉଛି? ଯଦି ବିଳମ୍ବରେ ମିଟର ରିଡିଂ ନିଆ ହେଉଛି, ତେବେ ହୁଏତ ଆପଣ ଶୋଷଣର ଶିକାର ହେଉଥାଇପାରନ୍ତି। ଘନଘନ ଅଘୋଷିତ ବିଦ୍ୟୁତ କାଟ୍ ପରେ ଏଭଳି ଅଭିନବ ଉପାୟରେ ଠକାମି ଅଭିଯୋଗରେ ଛନ୍ଦି ହୋଇଛି ଟାଟା ପାୱାର୍। ଏକାସାଙ୍ଗରେ ପ୍ରାୟ ୪୦ ଦିନର ବିଲ୍ ତିଆରି କରି, ଗ୍ରାହକଙ୍କ ଠାରୁ ବେନିୟମ ଭାବେ ଚଢ଼ା ଦରରେ ଟଙ୍କା ସଂଗ୍ରହ କରୁଥିବା ଅଭିଯୋଗ ହୋଇଛି। ଏଥିପାଇଁ ଅସନ୍ତୋଷ ତେଜିଲାଣି ବିଦ୍ୟୁତ ଉପଭୋକ୍ତା ମହଲରେ।

ବିଦ୍ୟୁତ ଉପଭୋକ୍ତାଙ୍କୁ ଠକିବାର ନୂଆ ତରିକା ! ଆଖିରେ ଆଙ୍ଗୁଠି ଗେଞ୍ଜି ଶୋଷଣ କରୁଛି ଟାଟା ପାୱାର ! ଟାଟା କ୍ୟାଲେଣ୍ଡରରେ ମାସକୁ ୪୦ ଦିନ ! ଏକଥା ଆମେ କହୁନୁ। ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ମାସକ ନାଁରେ ୪୦ ଦିନିଆ ଇଲେକ୍ଟ୍ରି ବିଲ୍ ପାଇଥିବା ଉପଭୋକ୍ତା। କହିଛନ୍ତି, ୪୦ ଦିନିଆ ମିଟର ରିଡିଂରେ ରହିଛି ସାଂଘାତିକ ଷଡଯନ୍ତ୍ର। ଭୁବନେଶ୍ବର ସାମନ୍ତରାପୁର ଅଞ୍ଚଳର ପ୍ରିୟବ୍ରତ ବିଶ୍ୱାଳ। ହାତରେ ଧରିଛନ୍ତି ଜୁନ ମାସର ବିଲ୍। ଟାଟା ପାୱାର ତାଙ୍କୁ ଧରାଇଥିବା ଏହି ବିଲ ଗୋଟିଏ ମାସର ବୋଲି ଲେଖାଯାଇଛି । ହେଲେ ତାରିଖ କହୁଛି କିଛି ଭିନ୍ନ କଥା । ମେ ମାସର ରିଡିଂ ୯ ତାରିଖରେ ନିଆଯାଇଥିବା ବେଳେ, ଜୁନର ରିଡିଂ ନିଆଯାଇଛି ୧୮ ତାରିଖରେ। ଅର୍ଥାତ ୪୦ ଦିନର ଅନ୍ତର। ୪୦ ଦିନ ପାଇଁ ବିଜୁଳି ଖର୍ଚ୍ଚ ପାଇଁ ଆସିଛି ୮ ହଜାର ୧୩୫ ଟଙ୍କାର ବିଲ୍।

ପ୍ରଥମ ୫୦ ୟୁନିଟ୍ ପାଇଁ ୩ ଟଙ୍କା ହିସାବରେ, ପରବର୍ତ୍ତୀ ୧୫୦ ୟୁନିଟ ପାଇଁ ୪ ଟଙ୍କା ୮୦ ପଇସା, ୨ ଶହ ୟୁନିଟ୍ ପାଇଁ ୫ ଟଙ୍କା ୮୦ ପଇସା ଏବଂ ବଳକା ୯୬୭ ୟୁନିଟ ପାଇଁ ୬ ଟଙ୍କା ୨୦ ପଇସା ହିସାବରେ ବିଲ୍ କରାଯାଇଛି। ପ୍ରିୟବ୍ରତଙ୍କ ଅଭିଯୋଗ ଅନୁସାରେ, ଟାଟା ପାୱାରର ଏହି ୪୦ ଦିନିଆ ବିଲ୍ ପାଇଁ ତାଙ୍କୁ ପ୍ରାୟ ୧ହଜାର ଟଙ୍କା କ୍ଷତି ସହିବାକୁ ପଡ଼ିଛି। କାରଣ ୩୦ ଦିନିଆ ବିଲ୍ ଆସିଥିଲେ, ଅତିରିକ୍ତ ୧୦ ଦିନର ପ୍ରାୟ ୩୪୧ ୟୁନିଟ୍ ବିଜୁଳି ପରବର୍ତ୍ତୀ ମାସ ବିଲରେ ୬ଟଙ୍କା ୨୦ ପଇସାଠୁ ଢେର୍ କମ୍ ରେଟ୍ ସ୍ଲାବରେ ହିସାବ ହୁଅନ୍ତା। କେବଳ ପ୍ରିୟବ୍ରତ ନୁହଁନ୍ତି, ସାମନ୍ତରାପୁର ଅଞ୍ଚଳର ଅଧିକାଂଶ ଉପଭୋକ୍ତା ଏହି ଚକ୍ରାନ୍ତର ଶିକର ହୋଇଥିବା ଅଭିଯୋଗ ଆସିଛି।

ଉପଭୋକ୍ତା ନିୟାମକ ଆଇନ କହୁଛି, ୨୮ରୁ ୩୨ ଦିନ ଭିତରେ ମିଟର ରିଡିଂ ନିଆଯିବା କଥା। ପୂର୍ବ ମାସ ଓ ପର ମାସ ମିଟର ରିଡିଂ ସଂଗ୍ରହ ତାରିଖରେ ୩ ଦିନ ଏପଟ ସେପଟେ ହେଲେ ଚଳିବ। ହେଲେ ତାଠୁ ଅଧିକ ହେଲେ, ଏହା ଉପଭୋକ୍ତା ଆଇନର ସମ୍ପୂର୍ଣ୍ଣ ଉଲ୍ଲଂଘନ। ଟାଟା ପାୱାର ଭଳି ଡିସକମ କମ୍ପାନୀ ଏଥିପାଇଁ ଦଣ୍ଡିତ ହେବାସହ ଉପଭୋକ୍ତାଙ୍କୁ କ୍ଷତିପୂରଣ ଦେବା ଆବଶ୍ୟକ ବୋଲି ମତ ରଖିଛନ୍ତି ବିଦ୍ୟୁତ ଉପଭୋକ୍ତା ସଂଘ ଓ ଶକ୍ତି ସମୀକ୍ଷକ।

ଅଭିଯୋଗ ଅନୁସାରେ, ଟାଟା ପାୱାରର ଏହି ବିଲ ଘୋଟାଲା କେବଳ ଖରାଦିନରେ ଦେଖିବାକୁ ମିଳୁଛି । କାରଣ ଖରାଦିନେ ହିଁ ବିଜୁଳି ଅଧିକ ବ୍ୟବହାର ହେଉଥିବାରୁ, କମ୍ ଦିନରେ ଅଧିକ ମିଟର ରିଡିଂ ଆସିଥାଏ । ତେବେ ଏସବୁ ଅଭିଯୋଗ ଉପରେ ସ୍ପଷ୍ଟୀକରଣ ରଖିଛି TPCODL କହିଛି, ବାରମ୍ବାର କାଳବୈଶାଖୀ ଯୋଗୁଁ ବିଲ୍ ଦେବାରେ ବିଳମ୍ବ ହୋଇଛି । ଏହାର ସଂଶୋଧନ ପାଇଁ ଆମେ ପ୍ରୟାସ କରିବୁ । ସଠିକ୍ ବିଲିଂ ଓ ଗ୍ରାହକ ସେବା ନିଶ୍ଚିତ ପାଇଁ ଆମେ ଏସଓପି ପାଳନ କରୁଛୁ । ଏସଓପି ଅନୁସାରେ ମୋବାଇଲ ମେସେଜ ଜରିଆରରେ ଆମେ ଗ୍ରାହକଙ୍କୁ ସମସ୍ୟା ଓ ସଂପୃକ୍ତ ବିଲ୍ ସଂପର୍କରେ ସୂଚନା ପ୍ରଦାନ କରିବୁ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି।

  • Reported by:
  • CHANDAN PAIKRAY