• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ସହରର ପଞ୍ଚତାରକା ହୋଟେଲ ଅପେକ୍ଷା ଗାଁରେ ରହୁଥିବା ଜେଜେ ମାର ହାତରନ୍ଧା ଖାଦ୍ୟର ସୁଆଦ ସବୁବେଳେ ନିଆରା । ଚୁଲି ନିଆଁ ଆଉ ଶିଳ ବଟା ମସଲାରେ ପ୍ରସ୍ତୁତ ସେ ଖାଦ୍ୟ ଯିଏ ଖାଇଛି, ସେ ହିଁ ଜାଣିଛି ତାର ମଜା । ଯାଜପୁର ଦେଉଳକଣ ଗାଁରେ ଏମିତି ଜଣେ ବୃଦ୍ଧା, ୮୦ ବର୍ଷ ବୟସରେ ତାଙ୍କ ରୋଷେଇ ଯାଦୁରେ ଅନ୍ୟମାନଙ୍କୁ ମତୁଆଲା କରିଛନ୍ତି ।

କାଠ ଚୁଲା, ଲୁହା କଡେଇ ଆଉ ଜେଜେମାଆ ହାତର ରନ୍ଧା । ଶିଳ ବଟା ମସଲାରେ ପୂରା ଦେଶୀ ଷ୍ଟାଇଲ ଛୁଙ୍କ । ଆଜିକା ପିଜା-ବର୍ଗର ଯୁଗରେ ଏସବୁର କମ୍ବିନେସନର ନିହାତି ବିରଳ । ଯାଜପୁର ଦାନଗଦି ବ୍ଲକ ଦେଉଳକଣ ଗାଁର କୋକିଳା ନାୟକ । ବସୟ ୮୦ ପାର କଲାଣି । ଥୁରୁ ଥୁରୁ ହାତ, ଦେହରେ ଲୋଳିତ ଚର୍ମ ସାଙ୍ଗକୁ ଆଖିକୁ ବି ଭଲରେ ଦେଖାଯାଉନି ।

ହେଲେ ଏ ବୟସ ଆଉ ଏ ଅବସ୍ଥାରେ ବି କମିନି କୋକିଳା ମାଆଙ୍କ ରୋଷେଇ ଝୁଙ୍କ୍ । ରୋଷେଇ ଚାଳିଆରେ କୋକିଳା ପ୍ରବେଶ କରିବା ମାତ୍ରେ ଚାରିଆଡ଼େ ମହକି ଉଠେ ତାଙ୍କ ହାତରନ୍ଧା ଖାଦ୍ୟର ବାସ୍ନା । ଶାଗ ଭଜାଠୁ ସଜନା ବେସର, ସାଦା ତରକାରୀରୁ ମାଛ ପୋଡ଼ା, ସବୁକିଛି ସୁସ୍ୱାଦୁ ଢଙ୍ଗରେ ପ୍ରସ୍ତୁତ କରିବାରେ ମାହିର କୋକିଳା । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଦେଶୀ ଜିନିଷକୁ ନେଇ କମ୍ ତେଲ ମସଲାରେ ଦେଶୀ ଢଙ୍ଗରେ ଖାଦ୍ୟ ପ୍ରସ୍ତୁତ କରିବା କୋକିଳାଙ୍କ ସ୍ୱତନ୍ତ୍ରତା ।

କୋକିଳା ମାଆଙ୍କ କାହାଣୀ ଏଇଠି ସରିନି । ତାଙ୍କ ରୋଷେଇର ତାରିଫ୍ ଏବେ ଖାଲି ତାଙ୍କ ପରିବାର ଭିତରେ ସୀମିତ ନାହିଁ। ପାଖ ପଡ଼ୋଶୀ, ଗାଁ ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଚର୍ଚ୍ଚା ପରେ ତାଙ୍କ ରୋଷେଇକୁ ଘରେ ଘରେ ପହଞ୍ଚାଇବାକୁ ତାଙ୍କ ଅଣ-ନାତୁଣୀ ଦୁଇ ବର୍ଷ ତଳେ ଆରମ୍ଭ କରିଥିଲେ ଜେଜେମା ହାଣ୍ଡିଶାଳ ନାଁରେ ଏକ ୟୁ-ଟ୍ୟୁବ୍ ଚ୍ୟାନେଲ । ଯେଉଁଥିରେ କୋକିଳାଙ୍କ ହାତ ତିଆରି ଖାଦ୍ୟ ଓ ରାନ୍ଧିବାର ସବୁ କୈାଶଳ ଉପଲବ୍ଧ ।

କୋକିଳାଙ୍କ ଦେଶୀ ଷ୍ଟାଇଲ ହାତ ତିଆରି ଖାଦ୍ୟ ତାଲିକା ଖୁବ୍ ଲମ୍ବା । ତେବେ ତା’ ଭିତରେ ସଜନା ଶାଗ ମୁଗଯାଇ ଖରଡା, ସାରୁ କାହାଳି, ବୋଇତାଳୁ ଡଙ୍କ ରାଇ, ଛତୁ ପୋଡ଼ା, ଚୁନାମାଛ ପତ୍ରପୋଡ଼ା, ଚିଙ୍ଗୁଡ଼ି ଶୁଖୁଆ ପୋଇପତ୍ର ଛେଂଚଡ଼ା, ମାଛ ଓ ଶୁଖୁଆ ବେସର ଆଦି ଦେଶୀ ଖାଦ୍ୟ ଯେ କୌଣସି ଖାଦ୍ୟପ୍ରେମୀଙ୍କ ପାଟିରୁ ଲାଳ ବୁହାବାକୁ ବେଶ୍ ସକ୍ଷମ ।

  • Reported by:
  • JANMEJAY DASH