• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଥମୁନି ହାତୀଙ୍କ ଉପଦ୍ରବ । ଦିନ ଗଡ଼ିବା ସହ ବଢ଼ିବାରେ ଲାଗିଛି ହାତୀଙ୍କ ଉତ୍ପାତ । ଫଳରେ ଗୋଟିଏ ପରେ ଗୋଟିଏ ନୀରିହ ଜୀବନ ନଷ୍ଟ ହେବାରେ ଲାଗିଛି । ରାଜ୍ୟର ବିଭିନ୍ନ ଅଞ୍ଚଳରୁ ହାତୀକୁ ନେଇ କିଛି ନା ପ୍ରତିଦିନ କିଛି ଖବର ସାମ୍ନାକୁ ଆସୁଛି । ଢେଙ୍କାନାଳରୁ ମଧ୍ୟ ହାତୀଙ୍କ କାରଣରୁ ଏକ ଦୁର୍ଘଟଣା ହୋଇଛି ।

ଘର ବାରଣ୍ଡାରେ ଶୋଇଥିବା ବାପପୁଅଙ୍କୁ ଦଳିଦେଲା ଗୋଠ ଛଡା ଦନ୍ତା । ଘଟଣା ସ୍ଥଳରେ ୫ ବର୍ଷର ଶିଶୁପୁତ୍ରର ମୃତ୍ୟୁ ହୋଇଥିବା ବେଳେ ବାପା ଗୁରୁତର ହୋଇଛନ୍ତି । ଢେଙ୍କାନାଳ ବନଖଣ୍ଡ କାମାକ୍ଷାନଗର ମହୁଲଡଗର ଗାଁରେ ଏଭଳି ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ହାତୀ ଆକ୍ରମଣରେ ମହୁଲଡଗର ଗାଁର ରସାନନ୍ଦ ଜେରେଇଙ୍କ ୫ ବର୍ଷର ପୁଅ ରିଶି ଜେରେଇର ମୃତ୍ୟୁ ହୋଇଛି । ଗୁରୁତର ଥିବା ବାପା ରସାନନ୍ଦ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି ।

ସୂଚନା ଅନୁସାରେ, ରାତି ପ୍ରାୟ ୧ଟା ସମୟରେ ରସାନନ୍ଦଙ୍କ ପରିବାର ଶୋଇଥିବା ସମୟରେ ଏକ ଗୋଠଛଡା ଦନ୍ତା ଘର ଭାଙ୍ଗି ଆକ୍ରମଣ କରିଥିଲା । ପ୍ରଥମେ ରସାନନ୍ଦଙ୍କୁ ଶୁଣ୍ଢରେ ଧରି କଚାଡି ଦେଇଥିଲା ଏବଂ ପରେ ୫ ବର୍ଷର ଶିଶୁପୁତ୍ରର ମୁଣ୍ଡରେ ଦଳି ଦେଇଥିଲା । ଚିତ୍କାର ଶୁଣି ସ୍ଥାନୀୟ ବାସିନ୍ଦା ଉଭୟ ବାପପୁଅଙ୍କୁ ଉଦ୍ଧାର କରି କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ୫ ବର୍ଷର ଶିଶୁପୁତ୍ରକୁ ମୃତ ଘୋଷଣା କରିଥିବାବେଳେ ବାପା ରସାନନ୍ଦଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ଦନ୍ତାକୁ ନେଇ ଗାଁରେ ଲୋକମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ଘଟଣା ସମ୍ପର୍କରେ ବନ ବିଭାଗ ଅଧିକାରୀଙ୍କ ମତାମତ ମିଳି ପାରିନାହିଁ ।

ସେହିପରି ଗତକାଲି ମଧ୍ୟ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଦୁଧିଆଣି ରେଞ୍ଜର ଦରୀ ଗାଁରେ ହାତୀ ଆକ୍ରମଣରେ ବୃଦ୍ଧଙ୍କର ମୃତ୍ୟୂଉ ହୋଇଥିଲା । ବୁଧବାର ଦିନ ରାତିରେ ବନ ବିଭାଗ ପକ୍ଷରୁ ଘଉଡ଼ାଇବା ବେଳେ ହାତୀଗୁଡ଼ିକ ଗାଁ ମୁହାଁ ହୋଥିଲେ । ଏହାକୁ ଦେଖି ଲୋକେ ଏଣେତେଣେ ଦୌଡ଼ିବାକୁ ଲାଗିଥିଲେ ତେବେ ଗୌତମ ନାୟକ ନାମକ ଜଣେ ଲୋକ ହାତୀପଲ ହାବୁଡ଼ରେ ପଡ଼ିଯାଇଥିଲେ । ଦନ୍ତା ଆକ୍ରମଣରେ ସେ ଗୁରୁତର ହୋଇଥିଲେ ତାଙ୍କୁ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତକଙ୍କ ପରିବାରକୁ ତୁରନ୍ତ ସରକାରୀ ସହାୟତା ପ୍ରଦାନ କରିବା ପାଇଁ ଗ୍ରାମବାସୀ ପକ୍ଷରୁ ଦାବି କରାଯାଇଛି ।

ଅନ୍ୟପକ୍ଷେ, ଗତ ବୁଧବାର ଦିନ ସହରରେ ହାତୀ ଆତଙ୍କ ଦେଖିବାକୁ ମିଳିଥିଲା । ଢ଼େଙ୍କାନାଳ ସହର ଭିତରେ ଗୋଠଛଡା ଦନ୍ତା ହାତୀକୁ ଦେଖି ଲୋକେ ଆତଙ୍କିତ ହୋଇଥିଲେ । ଢେଙ୍କାନାଳ ଭଗବାନପୁର ନିକଟରେ କପିଳାସକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ହାତୀଟି ପାର ହେଉଥିବା ବେଳେ ସ୍ଥାନୀୟ ଲୋକେ ହାତୀକୁ ଦେଖି ଆତଙ୍କିତ ହୋଇଥିଲେ । ଗତ କିଛିଦିନ ପୁର୍ବରୁ ଗୋଠଛଡା ଦନ୍ତାଟି ବସ୍ତି ଭିତରେ ପଶିବା ସହିତ ଚାଷୀଙ୍କ ଧାନଫସଲ ମଧ୍ୟ ନଷ୍ଟ କରିଦେଇଥିଲା ।