• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଆଜିଠୁ ଆରମ୍ଭ ହେଉଛି ବିଧାନସଭାର ବଜେଟ୍ ଅଧିବେଶନ । ବିଧାନସଭା ବଜେଟ୍ ଅଧିବେଶନ ବେଳେ ଆନ୍ଦୋଳନ ଓ ବିକ୍ଷୋଭ ଆଦିକୁ ଦୃଷ୍ଟିରେ ରଖି କମିଶନରେଟ୍ ପୋଲିସ ପକ୍ଷରୁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ୩୨ ପ୍ଲାଟୁନ ଫୋର୍ସ ମୁତୟନ ହେବାକୁ ଥିବା ବେଳେ, ଏସଓଜି, ଷ୍ଟ୍ରାଇକିଂ ଫୋର୍ସ, ବୋମା ନିଷ୍କ୍ରିୟକାରୀ ଟିମ୍, କ୍ୱିକ୍ ଆକ୍ସନ ଟିମ୍, ଡଗ୍ ସ୍କ୍ୱାଡ୍ ସହ ଅଗ୍ନିଶମ ବିଭାଗର ଟିମ୍ ଉପସ୍ଥିତ ରହିବେ ।

ବିଧାନସଭାରୁ ଆରମ୍ଭ କରି ଲୋୟର ପିଏମଜି, ରବୀନ୍ଦ୍ର ମଣ୍ଡପ ଛକ ଓ ତାର ନିକଟବର୍ତ୍ତୀ ରାସ୍ତାରେ ସିସିଟିଭି ଲଗାଯାଇଛି । ୫ଟି ସ୍ଥାନରେ ଅସ୍ଥାୟୀ ପୋଲିସ କଣ୍ଟ୍ରୋଲ ରୁମ୍ କରାଯାଇଛି । ଡିସିପି ପ୍ରତୀକ ସିଂଙ୍କ ନେତୃତ୍ୱରେ ୮ଜଣ ଅତିରିକ୍ତ ଡିସିପି, ୧୬ଜଣ ଏସିପିଙ୍କ ସହ ୧୦୦ରୁ ଅଧିକ ପୋଲିସ କର୍ମଚାରୀ ନିୟୋଜିତ ହେବେ । ବିଧାନସଭାକୁ ସଂଯୋଗ କରୁଥିବା ୫ଟି ରୁଟକୁ ଡାଇଭର୍ଟ କରାଯାଇଛି ।

ଦିନ ୧୧ଟାରେ ରାଜ୍ୟପାଳଙ୍କ ଅଭିଭାଷଣରୁ ଗୃହ ଆରମ୍ଭ ହେବ । ଏହା ପରେ ମୁଖ୍ୟମନ୍ତ୍ରୀ ଗୃହରେ ଶୋକପ୍ରସ୍ତାବ ରଖିବେ । ଫେବ୍ରୁଆରୀ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଷୋଡଶ ବିଧାନସଭାର ୧୫ତମ ଅଧିବେଶନରେ ମୋଟ ୭ଟି କାର୍ଯ୍ୟଦିବସ ରହିଛି । ଆସନ୍ତା ୮ ତାରିଖରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପ୍ରାୟ ୨ ଲକ୍ଷ ୬୦ ହଜାର କୋଟିର କାମଚଳା ବଜେଟକୁ ଗୃହରେ ଆଗତ କରିବେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ।

ସାଧାରଣ ନିର୍ବାଚନ ପୂର୍ବରୁ ଏହା ଶେଷ ଅଧିବେଶନ ହୋଇଥିବା ବେଳେ, ରାଜ୍ୟପାଳ ରଘୁବର ଦାସ ପ୍ରଥମ ଥର ପାଇଁ ଗୃହରେ ଅଭିଭାଷଣ ରଖିବେ । ସ୍ୱଳ୍ପ ଅଧିବେଶନରେ ନୂଆ ଓ ପୁରୁଣା ପ୍ରସଙ୍ଗକୁ ନେଇ ଗୃହ ବେଶ୍ ସରଗରମ ହେବା ସମ୍ଭାବନା ରହିଛି । ଗୃହକୁ ସୁରୁଖୁରୁରେ ଶେଷ କରିବା ପାଇଁ ବାଚସ୍ପତି ସର୍ବଦଳୀୟ ବୈଠକ କରି ଉଭୟ ବିରୋଧୀ ଓ ଶାସକଙ୍କ ସହଯୋଗ ଲୋଡ଼ିଛନ୍ତି ।

  • Reported by:
  • CHANDAN PAIKRAY