• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପୁଣି ବାହାରିଲା ଦୂତୀଙ୍କ ବାଚାଳାମି । ପ୍ରଥମେ ସରକାରଙ୍କୁ ଟାର୍ଗେଟ୍‌ କଲେ ପରେ ଭୁଲିଗଲେ । ଆମେ କହୁଛୁ ଓଡ଼ିଆ ଧାବିକା ତଥା ଦୌଡ଼ରାଣୀ ଦୂତୀ ଚାନ୍ଦଙ୍କ କଥା । ଦୂତୀ ନିଜ ଫେସବୁକ୍‌ରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଥିଲେ । ଖେଳାଳିଙ୍କ ପ୍ରତି ରାଜ୍ୟ ସରକାର ଗୁରୁତ୍ୱ ଦେଉନଥିବା କହି ସେ ସମାଲୋଚନା କରିଥିଲେ । ହେଲେ ଫେସବୁକ୍ ପୋଷ୍ଟ କରିବାର କିଛି ସମୟ ପରେ ପୋଷ୍ଟକୁ ଡିଲିଟ୍‌ କରିଛନ୍ତି ଦୂତୀ ।

ତେବେ ପୋଷ୍ଟ ଡିଲିଟ୍‌ କରିବା ପାଇଁ ଦୂତୀଙ୍କ ଉପରେ ପଡ଼ିଲା କି ଚାପ ? କାରଣ ଦୂତୀଙ୍କ ପୋଷ୍ଟ ରାଜ୍ୟ କ୍ରୀଡ଼ା ବିଭାଗ ଦେଖିଥିବାର ମାତ୍ର କିଛି ସମୟ ପରେ ଡିଲିଟ୍‌ ହୋଇଥିବା ନେଇ ପ୍ରମାଣ ରହିଛି । କ୍ରୀଡ଼ା ବିଭାଗ ଦୂତୀଙ୍କ ପୋଷ୍ଟ ଦେଖିବା ପରେ ଡିଲିଟ୍ ପାଇଁ ପକାଇଲା କି ଚାପ ? ଏବେ ଏନେଇ ସନ୍ଦେହ ଉପୁଜିଛି । ଯଦି କ୍ରୀଡ଼ା ବିଭାଗ ପକ୍ଷରୁ ଦୂତୀଙ୍କ ଉପରେ ଚାପ ପକାଯାଇଛି, ତେବେ ଏଠି ପ୍ରଶ୍ନ ଉଠୁଛି କାହିଁକି ?

ଦୂତୀ ନିଜ ଫେସ୍‌ବୁକ୍‌ରେ ଲେଖିଥିଲେ ଯେ, ‘ରାଜ୍ୟ ସରକାର କୋଟି କୋଟି ଟଙ୍କାର ଭିତ୍ତିଭୂମି ପ୍ରସ୍ତୁତ କରିବାରେ ବ୍ୟସ୍ତ । କିନ୍ତୁ ଏପଟେ କ୍ରୀଡ଼ାବିତ୍‌ମାନେ ଦିନକୁ ଦିନ ହଜିଗଲେଣି । ଖେଳକୁ ନେଇ ରାଜ୍ୟରେ ରାଜନୀତି ଚାଲିଛି । ଆପଣ ଖାଲି ସେହି ହକି ଇଣ୍ଡିଆକୁ ଧରି ନାଚୁଥାନ୍ତୁ । ବାକି ଖେଳ ସବୁ ଚୁଲିକୁ ଯାଉ । ହକି ଟିମ୍‌ ଇଣ୍ଡିଆ ପାଇଁ ଖର୍ଚ୍ଚ କରିବାକୁ କୋଟି କୋଟି ଟଙ୍କା ରହିଛି, ହେଲେ ଆଥ୍‌ଲେଟିକ୍ସ ପାଇଁ କିଛି ନାହିଁ । ଏ ହକି ବାଡ଼ି କେତେ ଦିନ ଚାଲିବ ? ପୁରୁଣା ହେଲେ ଆପେ ଆପେ ଫାଟିଯିବ । ସବୁ ପ୍ରହସନ ।’

ଖାଲି ସେତିକି ନୁହେଁ, ‘ସେ ଆହୁରି ଲେଖିଥିଲେ, ସରକାର କ’ଣ ଏଇ ସବୁ ଲୋକାଲ ମିଟ୍‌ରେ ମେଡାଲ ଜିତିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛି । ରିଲାଏନ୍ସ ପିଲାଙ୍କ ପାଇଁ ଭଲ ଟ୍ରେନିଂ ସେଣ୍ଟର ଚାଲିଛି ଓଡ଼ିଶାରେ । ଏତେ ସବୁ ସୁବିଧା ପାଇବା ପରେ ବି ୪ ବର୍ଷ ହେଲା ଜଣେ ବି ଆନ୍ତର୍ଜାତୀୟ ଖେଳାଳି ବାହାରି ନାହନ୍ତି । ଶେଷରେ ସେ ଲେଖିଛନ୍ତି ଖେଳ ନାଁରେ ଓଡ଼ିଶା ସରକାରଙ୍କ ଟଙ୍କାକୁ ଖୋଳ କରିସାରିଲେଣି ।’

Dutee Chand PostDutee Chand Post

ସବୁଠାରୁ ବଡ଼ କଥା ହେଲା ଦୂତୀ ଏଭଳି ପୋଷ୍ଟ କରିବା ପରେ ଏହା ଉପରେ ନଜର ମଧ୍ୟ ରଖିଥିଲେ । ଆଉ ସେହି ପୋଷ୍ଟରେ ଯେଉଁ ସବୁ କମେଣ୍ଟ କିମ୍ବା ପ୍ରଶ୍ନ ଆସୁଥିଲା ତାର ଉତ୍ତର ମଧ୍ୟ ରଖିଥିଲେ । 

ଦୂତୀ ନିଜ ପୋଷ୍ଟ ଡିଲିଟ୍‌ କରିଥିଲେ ମଧ୍ୟ ଏହାର ସ୍କ୍ରିନ୍‌ ସଟ୍‌ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏମିତିକି ହକି ପ୍ରତି ଦୂତୀଙ୍କ ଏଭଳି ମନୋଭାବକୁ ଦେଖି ସୋସିଆଲ ମିଡିଆରେ ଝଡ଼ ସୃଷ୍ଟି ହୋଇଛି । କିଛି ହକି ଖେଳ ପ୍ରେମୀ ଦୂତୀଙ୍କୁ କଡ଼ା ଭାଷାରେ ସମାଲୋଚନା କରିଥିବା ଦେଖିବାକୁ ମିଳିଛି । ଏ ସଂପର୍କରେ ଦୂତୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।