• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ସେନାରେ ନିଯୁକ୍ତି ବନ୍ଦ ପ୍ରତିବାଦରେ ଯୁବକଙ୍କ ହଙ୍ଗାମା ।

  • ଅଯୋଧ୍ୟାସ୍ଥିତ ମୁଖ୍ୟାଳୟରେ ପହଞ୍ଚି ହୋହଲ୍ଲା କରିଛନ୍ତି ।

  • ଗତ ଦୁଇ ବର୍ଷ ହେବ ସେନାରେ ନିଯୁକ୍ତି ହୋଇନାହିଁ ।

ଅଯୋଧ୍ୟା: ସେନାରେ ନିଯୁକ୍ତି ପାଇଁ ପ୍ରସ୍ତୁତ ହେଉଥିବା ଶତାଧିକ ଯୁବକ ବୁଧବାର ଅଯୋଧ୍ୟାସ୍ଥିତ ମୁଖ୍ୟାଳୟରେ ପହଞ୍ଚି ହୋହଲ୍ଲା କରିଛନ୍ତି । କଥାଟା ହେଉଛି ଯେ, ଗତ ଦୁଇ ବର୍ଷ ହେବ ସେନାରେ ନିଯୁକ୍ତି ନହେବା କାରଣରୁ ଯୁବକମାନଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି । ଆଜି ୧୩ଟି ଜିଲ୍ଲାର ଯୁବକମାନେ ପ୍ରଥମେ ପୁରାକାଲାନ୍ଦର ଥାନା ଅନ୍ତର୍ଗତ ଡାଭାସେମର ନିକଟରେ ପହଞ୍ଚି ପ୍ରୟାଗରାଜ ହାଇୱେକୁ ଅବରୋଧ କରିଥିଲେ । ଯେତେବେଳେ ସ୍ଥାନୀୟ ପୋଲିସ ସେଠାରେ ପହଞ୍ଚି ଯୁବକଙ୍କୁ ଘଉଡ଼ାଇଥିଲା, ସେତେବେଳେ ଯୁବକମାନେ କୋତୱାଲୀ ନଗରର ଚେକ୍‌ଗେଟ୍‌ ନିକଟରେ ପହଞ୍ଚି ରାସ୍ତା ଅବରୋଧ କରିଥିଲେ । ଆଉ ପ୍ରବଳ ହୋ-ହଲ୍ଲା କରିଥିଲେ ।

ଖବରପାଇ ଘଟଣାସ୍ଥଳରେ ସ୍ଥାନୀୟ ଏସ୍‌ପି ବିଜୟ ପାଲ ସିଂ ପହଞ୍ଚି ଯୁବକଙ୍କୁ ବୁଝାସୁଝା କରିଥିଲେ । ପରେ ଯୁବକମାନେ ସେଠାରୁ ଚାଲିଯାଇଥିଲେ ସତ ହେଲେ ପରେ ଫୈଜାବାଦ୍‌ ରେଲ୍‌ୱେ ଷ୍ଟେସନ୍‌ରେ ପୁଣି ହଙ୍ଗାମା କରିଥିଲେ । ଯୁବକମାନେ ଏସ୍‌ପିଙ୍କୁ ସ୍ଥଳ ସେନା ଅଧ୍ୟକ୍ଷଙ୍କ ଉଦେଶ୍ୟରେ ଏକ ସ୍ମାରକପତ୍ର ମଧ୍ୟ ଦେଇଥିଲେ । ଯୁବକମାନେ ଅଭିଯୋଗ କରିଛନ୍ତି ଯେ, ଗତ ଦୁଇ ବର୍ଷ ଧରି ସେନାରେ ନିଯୁକ୍ତି ଦିଆଯାଉ ନାହିଁ, ଯାହା ଫଳରେ ସେନାରେ ଭର୍ତ୍ତି ପାଇଁ ପ୍ରସ୍ତୁତ ହେଉଥିବା ଯୁବକଙ୍କ ବୟସ ବଢ଼ିବାରେ ଲାଗିଛି ।

ସେନା ମୁଖ୍ୟଙ୍କ ଉଦେଶ୍ୟରେ ଦିଆଯାଇଥିବା ସ୍ମାରକପତ୍ରରେ ସେନାରେ ଭର୍ତ୍ତି ହେବା ବୟସ ସୀମାକୁ ଆଉ ଦୁଇ ବର୍ଷ ବୃଦ୍ଧି କରିବାକୁ ଦାବି କରିଯାଇଛି । ଯାହା ଦ୍ୱାରା ପ୍ରସ୍ତୁତ ହେଉଥିବା ଯୁବକମାନେ ନିଯୁକ୍ତି ପାଇଁ ସୁଯୋଗ ପାଇବେ ।

ଆମେଠି ଏଆର୍‌ଓ ସହ ଜଡ଼ିତ, ଅଯୋଧ୍ୟା, ଆମ୍ବେଦକର ନଗର, ପ୍ରତାପଗଡ, ସୁଲତାନପୁର, କୌଶାମ୍ବୀ, ରାୟବରେଲି ସମେତ ୧୩ଟି ଜିଲ୍ଲାର ଯୁବକମାନେ ଅଯୋଧ୍ୟାସ୍ଥିତ ମୁଖ୍ୟାଳୟରେ ପହଞ୍ଚି ହଙ୍ଗାମା କରିଥିଲେ । ଯୁବକମାନଙ୍କର ଦାବି ରହିଛି ଯେ, ୨୦୨୧ ଶେଷ ସୁଦ୍ଧା ସେନା ନିଯୁକ୍ତି ଆରମ୍ଭ ହେବା ଉଚିତ, ଯାହାଦ୍ୱାରା ପ୍ରସ୍ତୁତ ହେଉଥିବା ଯୁବକମାନେ ନିଯୁକ୍ତି ପାଇବାର ସୁଯୋଗ ପାଇବେ ।

ସୂଚଳନାଯୋଗ୍ୟ ଯେ, କରୋନା ମହାମାରୀ କାରଣରୁ କୌଣସି ବିଭାଗରେ ନିଯୁକ୍ତି କରାଯାଉ ନାହିଁ । ବିଶେଷକରି ସେହି ବିଭାଗ ଗୁଡ଼ିକରେ ନିଯୁକ୍ତି ପ୍ରକ୍ରିୟା ବନ୍ଦ ରହିଛି, ଯେଉଁଠାରେ ଅଧିକ ଭିଡ଼ ହେବାର ସମ୍ଭାବନା ରହିଛି । କରୋନା କାରଣରୁ, ଗତ ୨ ବର୍ଷ ହେବ ସେନା ନିଯୁକ୍ତି ବନ୍ଦ ଥିବାରୁ ଯୁବକଙ୍କ ବୟସ ବଢ଼ିଯାଉଛି, ଯଦି ବୟସ ସୀମା ଟପିଯାଏ ତେବେ ସେମାନେ ଆଉ ନିଯୁକ୍ତି ପାଇପାରିବେ ନାହିଁ । ଯାହାଫଳରେ ସେମାନଙ୍କ ପ୍ରସ୍ତୁତି ବୃଥା ଯିବାର ସମ୍ଭାବନା ରହିଛି । ଆଉ ସେମାନଙ୍କ ଆଶା ଆକାଂକ୍ଷା ଅପୁରଣୀୟ ରହିବ । ତେଣୁ ଏହି ସବୁ ଯୁବକଙ୍କ ମନରେ ନିଯୁକ୍ତି ନେଇ ଅସନ୍ତୋଷ ଦାନା ବାନ୍ଧିବାରେ ଲାଗିଛି । ଯଦି ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ନହୁଏ, ତେବେ ଏଭଳି ଆନ୍ଦୋଳନ ଆଗକୁ ବଡ଼ ଧରଣରେ ପ୍ରତିଫଳତି ହେବ ବୋଲି ସେମାନେ ଚେତାବନୀ ଦେଇଛନ୍ତି ।