• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଗୋଟିଏ ପରିବାର, ହେଲେ ୩ଜଣ ଦିବ୍ୟାଙ୍ଗ । ମୁଣ୍ଡ ଗୁଞ୍ଚିବାକୁ ନଥିଲା ଘର । PMAY ଯୋଜନାରେ ଦିବ୍ୟାଙ୍ଗ ପରିବାରକୁ ସରକାର ଦେଲେ ଆବାସ । ଏଣେତେଣେ ହାତପାତି ଘର କଲେ ଦିବ୍ୟାଙ୍କ । ହେଲେ ପ୍ରଶାସନ ଅବହେଳା ଯୋଗୁଁ ପରିବାର ପାଖରେ ପହଞ୍ଚି ପାରିଲାନି ଟଙ୍କା । ଟଙ୍କା ନପାଇ ଠିକାଦାର ବାରମ୍ବାର ଘରକୁ ଆସିବା ପରେ ଏବେ ଦାଣ୍ଡରେ ଛିଡ଼ା ହୋଇଛି ପୂରା ପରିବାର । 

ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଳକ ରଇପୁର ଗାଁର ଦିବ୍ୟାଙ୍ଗ କଳ୍ପନା ପଟ୍ଟନାୟକଙ୍କ ପରିବାର । ଆବାସ ଯୋଜନାର ଅର୍ଥ ନ ପାଇ ଏବେ ହନ୍ତସନ୍ତ ହୋଇଛନ୍ତି ଦିବ୍ୟାଙ୍ଗ ବାପା, ମା’ ଓ ପୁଅ । ଜୁଲାଇ ୧୯ ତାରିଖ ୨୦୨୩ରେ ସରକାରଙ୍କ ପକ୍ଷରୁ PMAY ଯୋଜନାରେ ଘର କରିବାକୁ କାର୍ଯ୍ୟାଦେଶ ମିଳିଥିଲା । କଳ୍ପନା ଦିବ୍ୟାଙ୍ଗ ହୋଇଥିବାରୁ ଘର କରିବା ପାଇଁ ନଣନ୍ଦ ଆରତୀ ଦାସ ଦାୟିତ୍ୱ ନେଇ କାମ ଆରମ୍ଭ କରିଥିଲେ । ଆଉ ଘର ତିଆରି ପାଇଁ ଟଙ୍କା କରଜ ହୋଇଥିଲା । ଟଙ୍କା ସୁଝି ନପାରିବାରୁ ଠିକାଦାର ତାଙ୍କ ଘରକୁ ଆସିବା ସହ ବାରମ୍ବାର ଟଙ୍କା ମାଗୁଛନ୍ତି । ଆଉ ଏଥିପାଇଁ ଦିବ୍ୟାଙ୍କ ପୁଅ ପ୍ରଶାସନ ନିକଟକୁ ହ୍ୱିଲ୍‌ ଚେୟାରରେ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି ।

ପରିବାରର ଅଭିଯୋଗ ଅନୁସାରେ PMAYର ପ୍ରଥମ କିସ୍ତି ଅନ୍ୟ ଜଣେ ଲୋକଙ୍କ ନିକଟକୁ ଯାଇଥିଲା । ଏନେଇ BDOଙ୍କୁ ଲିଖିତ ଅଭିଯୋଗ ଜଣାଇବା ପରେ ତାଙ୍କ ନିକଟକୁ ପ୍ରଥମ କିସ୍ତିର ଟଙ୍କା ଆସିଥିଲା । ହେଲେ ଏହାପରେ କଳ୍ପନାଙ୍କ ଖାତାକୁ କୌଣସି ଟଙ୍କା ଆସିନାହିଁ । ଫଳରେ ଏହି ଗରିବ ପରିବାର ହନ୍ତସନ୍ତ ହେଉଛନ୍ତି । ସେପଟେ ଏ ସମ୍ପର୍କରେ ଭୋଗରାଇ ବିଡିଓ କୌଣସି ପ୍ରତିକ୍ରିୟା ରଖିନଥିବାବେଳେ BPA ଟେନ୍ନିକାଲ ପ୍ରୋବ୍ଲେମ ପାଇଁ ଏପରି ହୋଇଥିବା କହିଛନ୍ତି । 

ଆବାସ ଯୋଜନାରେ ଘର ପାଇବା ପରେ ମିଳୁନି ଟଙ୍କା । ବାରମ୍ବାର ଗୁହାରି କରିବା ପରେ ମଧ୍ୟ ଦିବ୍ୟାଙ୍ଗଙ୍କ କଥା ଶୁଣୁନି ପ୍ରାଶାସନ । ତେବେ ଦେଖିବାକୁ ବାକି ରହିଲା କେବେ କଳ୍ପନା ପାଉଛନ୍ତି ଟଙ୍କା । 

 

  • Reported by:
  • Ajit Das