• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଡାକ୍ତର ଏଠି ନର୍ସ ! କଥା ଟିକେ ଅଡ଼ୁଆ ଲାଗୁଥିବ । କାରଣ ଆପଣ ଅନେକ ଥର ଶୁଣିଛନ୍ତି ଷ୍ଟାଫ୍‌ ନର୍ସ କିମ୍ବା କମ୍ପାଉଣ୍ଡର ହସ୍ପିଟାଲରେ ଡାକ୍ତରଙ୍କ ଭୂମିକା ନେଇଥାନ୍ତି । କିନ୍ତୁ ଏଠି ପରିସ୍ଥିତି ଟିକେ ଭିନ୍ନ । ଷ୍ଟାଫ ନର୍ସଙ୍କ କାମ କରୁଛନ୍ତି ଖୋଦ୍‌ ଡାକ୍ତର । ଯିଏ ଏଠି ଡାକ୍ତର ସେ ହିଁ କରୁଛନ୍ତି ଷ୍ଟାଫ ନର୍ସ କାମ । କୋରାପୁଟ ଜିଲ୍ଲା ନାରାୟଣପାଟଣା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଦେଖାଦେଇଛି ଏଭଳି ଦୁର୍ବିସହ ସ୍ଥିତି । ଡାକ୍ତରଖାନାରେ ଷ୍ଟାଫ ନର୍ସ କେହି ନଥିବାରୁ ଡାକ୍ତରମାନେ ନିଜେ ନର୍ସଙ୍କ କାମ କରିବାକୁ ବାଧ୍ୟ ହେଉଛନ୍ତି ।

ଏହି ବ୍ଲକ ଅଧିନରେ ପ୍ରାୟ ପଚାଶ ହଜାର ଲୋକ ବସବାସ କରନ୍ତି । ଏହି ଜନସଂଖ୍ୟା ଦୃଷ୍ଟିରୁ ଏଠାରେ ଛଅ ଜଣ ଷ୍ଟାଫ ନର୍ସ ରହିବାର ନିୟମ ରହିଛି । ହେଲେ ବିଡ଼ମ୍ବନା ବିଷୟ ମାସେରୁ ଅଧିକ ସମୟ ହେବ ଛଅ ଜଣ ଷ୍ଟାଫ୍‌ ନର୍ସ ତ ଦୂରର କଥା, ଏଠାରେ ନିୟୋଜିତ ଅଛନ୍ତି ମୋଟ ଦୁଇ ଜଣ ନର୍ସ । ଆଉ ତାଠାରୁ ବଡ଼ ଦୁଃଖର ବିଷୟ ହେଲା, ଦୁଇ ଜଣ ଯାକ ନର୍ସ ଆସୁ ନାହାନ୍ତି ମେଡିକାଲ । ଜଣଙ୍କର ସ୍ୱାସ୍ଥ୍ୟ ଜନିତ ସମସ୍ୟା ଯୋଗୁଁ ସେ ଛୁଟିରେ ଥିବା ବେଳେ ଅନ୍ୟ ଜଣଙ୍କ ପାରିବାରିକ ସମସ୍ୟା ଥିବାରୁ ଛୁଟିରେ ଅଛନ୍ତି । ତେଣୁ ବାଧ୍ୟ ହୋଇ କେବଳ ଡାକ୍ତରଙ୍କ ଭରସାରେ ଚାଲିଛି ସ୍ୱାସ୍ଥ୍ୟକେନ୍ଦ୍ର । ଆଉ ନର୍ସଙ୍କ କାମ କରୁଛନ୍ତି ଡାକ୍ତର ।

ସ୍ୱାସ୍ଥ୍ୟ କେନ୍ଦ୍ରକୁ ଗୋଟିଏ ଦିନରେ ପ୍ରାୟ ଦୁଇଶହ ରୋଗୀ ଆସୁଥିବା ବେଳେ ଏଠାରେ ଦିନକୁ ହାରାହାରି ପ୍ରାୟ ପାଞ୍ଚରୁ ଛଅ ଜଣ ପ୍ରସୂତିଙ୍କ ଚିକିତ୍ସା କରାଯାଉଛି । ତେବେ ଏହି ନର୍ସଙ୍କ ଅଭାବ ଯୋଗୁଁ ଡାକ୍ତରମାନେ ନିଜେ ରୋଗୀଙ୍କୁ ପରୀକ୍ଷା କରିବା ସହ ନର୍ସମାନଙ୍କ କାମ ମଧ୍ୟ କରିବାକୁ ବାଧ୍ୟ ହେଉଛନ୍ତି । ଏନେଇ ଡ୍ୟୁଟିରେ ଥିବା ସ୍ଥାନୀୟ ଡ଼ଃ ଚିନ୍ମୟଙ୍କୁ ପଚାରିବାରୁ ରୋଗୀଙ୍କୁ ସେବା ଯୋଗାଇବାରେ ବହୁତ ଅସୁବିଧା ହେଉଥିଲେ ବି ସମସ୍ୟାକୁ ଦୃଷ୍ଟିରେ ରଖି କାମ କରିବାକୁ ପଡୁଛି ବୋଲି କହିଛନ୍ତି । ଜିଲ୍ଲା ଅଧିକାରୀଙ୍କୁ ଏ ସମ୍ପର୍କରେ ଜଣାଇଥିବା ବେଳେ ତୁରନ୍ତ ପଦବୀ ପୁରଣ କରାଯିବ ବୋଲି ଆଶ୍ୱାସନା ଦେଇଛନ୍ତି ।