• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱର: ଦୀପାବଳି ଘଡ଼ିରେ ଅଦୃଶ୍ୟ ବାଣ ବଜାର । ଉତ୍ସବର ଠିକ୍ ଦିନକ ପୂର୍ବରୁ ମାର୍କେଟ୍‌ରୁ ବାଣ ଦୋକାନ ଗାଏବ । ନିକଟରେ ସରକାର କେବଳ ସବୁଜ ବାଣ ବିକ୍ରିକୁ ଅନୁମତି ଦେବା ପରେ ଏହାକୁ ଫୁଟାଇ ଉତ୍ସବ ମନାଇବାକୁ ମନସ୍ଥ କରିଥିଲେ ଲୋକେ । ହେଲେ ବ୍ୟବସାୟୀଙ୍କ ପାଇଁ ପେସୋ ଲାଇସେନ୍ସ ବାଧ୍ୟତାମୂଳକ ଥିଲା । ତେବେ ଅନ୍ୟାନ୍ୟ ଅନୁମତିପତ୍ର ମଧ୍ୟ ରଖିବାକୁ କୁହାଯାଇଥିଲା । ହେଲେ ଏସବୁ ଯୋଗାଡ଼ କରିବାକୁ ହାତରେ ଆଉ ସମୟ ନଥିଲା । ତେଣୁ ବ୍ୟବସାୟୀମାନେ ଖୋଲିପାରିଲେନି ବାଣ ଦୋକାନ । ବଜାର ଯେଉଁଠି ଖୋଲିଥିଲା, ତାକୁ ସିଲ୍‌ କରିଛି ପୋଲିସ । 

ଦୀପାବଳିରେ ବାଣଶୂନ୍ୟ ବଜାର । ଲୋକେ ଖୋଜୁଛନ୍ତି, ହେଲେ ବିକୁ ନାହାନ୍ତି ବ୍ୟବସାୟୀ । ରାଜ୍ୟର ସବୁଠୁ ବଡ଼ ବାଣ ବଜାର ଜଟଣୀରେ ଦୀପାବଳି ପୂର୍ବରୁ ବାଣ ପାଇଁ ନାହିଁ ନଥିବା ଭିଡ଼ ଜମେ । ହେଲେ ଏ ବର୍ଷ କିନ୍ତୁ ଚିତ୍ର ସମ୍ପୂର୍ଣ୍ଣ ଅଲଗା । ସହରର ସବୁ ସିଜିନ୍ ସେଣ୍ଟର ବନ୍ଦ୍ । ଗୋଦାମ ଆଗରେ ଝୁଲୁଛି ତାଲା । ବ୍ୟବସାୟୀଙ୍କ କହିବା କଥା, ହାଇକୋର୍ଟ ଗ୍ରୀନ୍ କ୍ରାକର ପାଇଁ ଅନୁମତି ଦେଇଥିଲେ ବି ରାଜ୍ୟ ସରକାର ଡିଲର, ଡିଷ୍ଟ୍ରିବ୍ୟୁଟର ଓ ରିଟେଲରଙ୍କ ପାଇଁ ବାଧ୍ୟତାମୂଳକ କରିଛନ୍ତି PESO ଲାଇସେନ୍ସ । ଯାହାକି ଦିନେ ଦୁଇ ଦିନ ଭିତରେ ମିଳିବା କଷ୍ଟ ।

ତେଣୁ ଲାଇସେନ୍ସ ନଥିବା କାରଣରୁ ସହରର ସମସ୍ତ ବାଣ ଦୋକାନକୁ କାଲି ରାତିରୁ ସିଲ୍ କରିଛି ପୋଲିସ । ସେପେଟ କିଛି ହୋଲସେଲର ନିଜ ପାଖରେ ଲାଇସେନ୍ସ ରଖିଥିବା ସତ୍ତ୍ୱେ ସେମାନଙ୍କ ଗୋଦାମ ସିଲ୍ ହୋଇଥିବାରୁ ଆଶ୍ଚଯର୍ୟ ପ୍ରକଟ କରିଛନ୍ତି । ଏପଟେ ଡିଷ୍ଟ୍ରିବ୍ୟୁଟର ପଏଣ୍ଟରେ ତାଲା ଓ ଗୋଦାମ ଘର ସିଲ୍ ପରେ ନିରୁପାୟ ଖୁଚୁରା ବ୍ୟବସାୟୀ । ତେଣୁ ଦୀପାବଳିରେ ଖାଲି ଅଭାବ ନୁହେଁ ବରଂ ସଂପୂର୍ଣ୍ଣ ଅଦୃଶ୍ୟ ହୋଇଯାଇଛି ଜଟଣୀର ବାଣ ବଜାର । ଏଣେ ସବୁଜ ବାଣ ଫୁଟାଇ ଉତ୍ସବ ପାଳନ କରିବାକୁ ମନସ୍ଥ କରିଥିବା ଲୋକେ ବି ନିରାଶ ।

କୋଭିଡ୍ ପାଇଁ ରାଜ୍ୟରେ ବାଣ ବିକ୍ରି ଓ ବ୍ୟବହାରକୁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ନିଷେଧ କରିବା ପରେ ଦୀପାବଳି ଘଡ଼ିରେ ଉଜୁଡ଼ି ଯାଇଛି ରାଜ୍ୟର ବହୁ ବାଣ କାରିଗରଙ୍କ ବେଉଷା । କଟକର ପଦ୍ମପୁର ହେଉ କି ତିଗିରିଆ କିମ୍ବା ଗଞ୍ଜାମର ନଳବଣ୍ଟା । ସବୁଠି କୌଳିକ ବୃତ୍ତି ହରାଇ ଅନିଶ୍ଚିତତା ଭିତରେ ଶହ ଶହ ବାଣ କାରିଗର ଓ ସେମାନଙ୍କ ପରିବାର । ଦୁଇ ଦିନ ତଳେ ହାଇକୋର୍ଟ କେବଳ ସବୁଜ ବାଣ ଫୁଟାଇବାକୁ ଅନୁମତି ଦେଇଥିବାରୁ ଅନେକ ପାରମ୍ପରିକ ବାଣ କାରିଗର ଏବେ ସବୁଜ ବାଣ ତିଆରି ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ସରକାର ସେମାନଙ୍କୁ ଆବଶ୍ୟକ ସୁବିଧା ସୁଯୋଗ ଯୋଗାଇ ଦେଲେ ସେମାନେ ବି ସବୁଜ ବାଣ ତିଆରି କରି ପୁରୁଣା ବୃତ୍ତି ବଞ୍ଚାଇ ରଖିବାକୁ ଆଶା ବାନ୍ଧିଛନ୍ତି ।

ଅନ୍ୟପଟେ ଦୀପାବଳି, ଛଟ୍ ଓ କାର୍ତ୍ତିକ ପୂର୍ଣ୍ଣିମାରେ କେବଳ ସବୁଜ ବାଣ ବିକ୍ରି ପାଇଁ ରାଜ୍ୟ ସରକାର ଗାଇଡଲାଇନ୍ ଜାରି କରିଥିବାରୁ ଆଜି ପୁଣି ପାରମ୍ପରିକ ବାଣ ବିକ୍ରି ଅଭିଯୋଗରେ କଟକ ଗୋପାଳ ସାହିରେ ଚଢ଼ାଉ କରି ବିପୁଳ ପରିମାଣର ବାଣ ଜବତ କରିଛି ପୋଲିସ୍  ।

ତେବେ କଣ ଏହି ସବୁଜ ବାଣ । ନ୍ୟାସନାଲ ଏନଭର୍ଣ୍ଣମେଣ୍ଟାଲ ଇଂଜିନିୟରିଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ବା NEERIର ପରିକଳ୍ପନା ହେଉଛି, ଏହି ସବୁଜ ବାଣରେ ଆଲୁମିନିୟମ, ବାରିଅମ୍, ପୋଟାସିଅମ୍ ନାଇଟ୍ରେଟ୍  କିମ୍ବା କାର୍ବନ ଭଳି କ୍ଷତିକାରକ ପଦାର୍ଥ ନଥାଏ । ଏହା ଦ୍ୱାରା ବାଣ ଫୁଟିଲେ ମଧ୍ୟ ବାୟୁ ପ୍ରଦୂଷଣ କମ୍ ହୁଏ ।ସ୍ୱାସ୍ଥ୍ୟ ଉପରେ ମଧ୍ୟ କ୍ଷତିକାରକ ପ୍ରଭାବ କମ୍ କରିଥାଏ । ତାମିଲନାଡୁ ବାଣ ଓ ବିସ୍ଫୋରକ ତିଆରି ସଂଘର ସଭାପତିଙ୍କ କହିବା ଅନୁସାରେ ଅନ୍ୟ ସାଧାରଣ ବାଣ ଅପେକ୍ଷା ସବୁଜ ବାଣ ପ୍ରାୟ ୩୦ ପ୍ରତିଶତ କମ୍ ପ୍ରଦୂଷଣ କରିଥାଏ । ବିଶେଷକରି ବାରିଅମ୍ ନାଇଟ୍ରେଟ୍ ଦ୍ୱାରା ପ୍ରଚୁର ଧୁଆଁ ଓ ଅଙ୍ଗାରକାମ୍ଲ ସୃଷ୍ଟି ହେଉଥିବା ବେଳେ ସବୁଜ ବାଣରେ ଏହାର ପରିମାଣ ଅତି ନଗଣ୍ୟ କିମ୍ବା ଆଦୌ ନଥାଏ । ସେହିଭଳି ସାଧାରଣ ବାଣ ୧୬୦ ଡେସିବଲ ଯାଏଁ ଶବ୍ଦ ପ୍ରଦୂଷଣ ସୃଷ୍ଟି କରୁଥିବା ବେଳେ ସବୁଜ ବାଣ ୧୧୦ରୁ ୧୨୫ ଡେସିବଲ ଶବ୍ଦ ସୃଷ୍ଟି କରିଥାଏ ।