Advertisment

ବନ୍ଧା ପଡ଼ିଛି ସାଟିଫିକେଟ୍ ! ଦୁଇ ବର୍ଷ ହେଲା ଉଚ୍ଚଶିକ୍ଷାରୁ ବଞ୍ଚିତ ଦିବ୍ୟାଙ୍ଗ ଛାତ୍ରୀ

ଲିଜାଙ୍କ ଗରିବ ପରିବାର ଚିନ୍ତାରେ ଥିବାବେଳେ ଶେଷରେ ନ୍ୟାୟ ପାଇଁ ଉମରକୋଟ ଥାନାର ଦ୍ୱାରସ୍ଥ ହୋଇଛନ୍ତି।

author-image
Chandan Shishu
ଅଦ୍ୟତନ ହୋଇଛି
divyang girl student's education in limbo after she fails to pay college fees

divyang girl student's education in limbo after she fails to pay college fees

ବନ୍ଧା ପଡ଼ିଛି ସାଟିଫିକେଟ୍ । ଦୁଇ ବର୍ଷ ହେଲା ଉଚ୍ଚ ଶିକ୍ଷାରୁ ବଞ୍ଚିତ ଦିବ୍ୟାଙ୍ଗ ଛାତ୍ରୀ ଲିଜା। ଅଧାରେ ରହିଗଲା ନର୍ସ ହେବାର ସ୍ୱପ୍ନ। ବାରମ୍ବାର କଲେଜ କର୍ତ୍ତୃପକ୍ଷଙ୍କୁ ନେହୁରା ପରେ ମଧ୍ୟ ମିଳି ପାରୁନି ସାର୍ଟିଫିକେଟ୍ । ଏଭଳି ଏକ ଅମାନବୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଳା ଉମରକୋଟ ଅଞ୍ଚଳରେ। ଯେଉଁଠି ଜଣେ ଅସହାୟ ଦିବ୍ୟାଙ୍ଗ ଛାତ୍ରୀଙ୍କ ସମସ୍ତ ସାର୍ଟିଫିକେଟ୍ ବନ୍ଧକ ରଖିଛି ଏକ ଘରୋଇ ଶିକ୍ଷାନୁଷ୍ଠାନ।

Advertisment

ହାତରେ ବହି ଏବଂ ଆଖିରେ ପାଠ ପଢି ଅନେକ କିଛି କରିବାର ସ୍ୱପ୍ନ ନେଇ ଘରେ ଚିନ୍ତାରେ ଦିନ କାଟୁଥିବା ଏହି ବିକଳାଙ୍ଗ ଛାତ୍ରୀ ଜଣକ ହେଉଛନ୍ତି ଝରିଗାଁ ବ୍ଲକ୍ କୋଦଭଟ୍ଟା ଡିଏନକେ ଗ୍ରାମର ସଞ୍ଜୟ ଗୋଲଦାରଙ୍କ ଏକମାତ୍ର କନ୍ୟା ଲିଜା ଗୋଲଦାର୍। ଲିଜା ଜଣେ ଦିବ୍ୟାଙ୍ଗ ହୋଇଥିଲେବି ସେ ଅନ୍ୟ ଛାତ୍ରୀଙ୍କ ଭଳି ହେବାକୁ ଚାହୁଁଥିଲେ। ଉଚ୍ଚଶିକ୍ଷା ଲାଭ ପରେ ଲୋକଙ୍କ ସେବା କରିବା ସହ ନିଜ ଗୋଡରେ ଛିଡ଼ା ହେବାକୁ ସ୍ଥିର କରିଥିଲେ।  +୨ ପରେ ଝରିଗାଁ ବ୍ଲକ୍ ଧୋଡ୍ରା ସ୍ଥିତ ବି.ବି.ଛାଟୋଇ ନର୍ସିଂ କଲେଜରେ ୨୦୨୧-୨୨ ରେ ବିଏସସି ନର୍ସିଂ ଶିକ୍ଷା ଲାଭ ପାଇଁ ନାମ ଲେଖାଇଥିଲେ।

ନାମ ଲେଖାଇବା ସମୟରେ ଅଗ୍ରୀମ ୨୫ ହଜାର ଟଙ୍କା ସହ ମାଟ୍ରିକ୍ ଏବଂ +୨ ର ସମସ୍ତ ସାର୍ଟିଫିକେଟ୍ କଲେଜ୍ କର୍ତ୍ତୃପକ୍ଷ ନେଇଥିଲେ। କିନ୍ତୁ ଲିଜା ଅନେକ ସମୟରେ ଅସୁସ୍ଥ ରହୁଥିବା କାରଣରୁ ସେ କଲେଜରେ ଉପସ୍ଥିତ ରହି ପାରିନଥିଲେ। ଦୀର୍ଘ ଦିନ ଅନୁପସ୍ଥିତ ରହିବା ପରେ କଲେଜକୁ ଯାଇଥିବା ଲିଜାଙ୍କୁ ଉକ୍ତ କଲେଜ କର୍ତ୍ତୃପକ୍ଷ ବହୁ ଟଙ୍କା ଦାବି କରିଥିଲେ। ଆର୍ଥିକ ଅନଟନ ଯୋଗୁ ସେ ଟଙ୍କା ନ ଦେଇ ପାରି ଘରକୁ ଫେରି ଆସିଥିଲେ। ପରେ ଅନ୍ୟତ୍ର +୩ ପାଠ ପଢିବାକୁ ସ୍ଥିର କରି ନିଜ ସମସ୍ତ ସାର୍ଟିଫିକେଟ୍ ପାଇଁ ଉକ୍ତ କଲେଜକୁ ଯାଇଥିଲେ କିନ୍ତୁ କଲେଜ କର୍ତ୍ତୃପକ୍ଷ ଉକ୍ତ ବିଏସସି ନର୍ସିଂ ଶିକ୍ଷାର ସମସ୍ତ ଚାରି ବର୍ଷର ଲକ୍ଷାଧିକ ଟଙ୍କା ଜମା ପରେ ହିଁ ସାର୍ଟିଫିକେଟ୍ ଦିଆଯିବ ବୋଲି କହିଥିବା ଅଭିଯୋଗ କରିଛନ୍ତି ଲିଜା।

Advertisment

ସେପଟେ ଗୋଟିଏ ଗୋଡ଼ରେ ଡେଇଁ ଡେଇଁ ଅତି କଷ୍ଟରେ ଚାଲୁଥିବା ଲିଜା ଦିନେ ହେଲେ କଲେଜ ଯାଇ ନଥିବାବେଳେ ଏତେ ଗୁଡିଏ ଟଙ୍କା କିଭଳି କଲେଜ କର୍ତ୍ତୃପକ୍ଷ ଦାବି କରୁଛନ୍ତି। ଏନେନେଇ ଲିଜାଙ୍କ ଗରିବ ପରିବାର ଚିନ୍ତାରେ ଥିବାବେଳେ ଶେଷରେ ନ୍ୟାୟ ପାଇଁ ଉମରକୋଟ ଥାନାର ଦ୍ୱାରସ୍ଥ ହୋଇଥିଲେ। ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ଅଧିକାରୀ କୌଣସି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି। ଏହାସହ ଦିବ୍ୟାଙ୍ଗ ଝିଅର ସାର୍ଟିଫିକେଟ୍ ଫେରି ପାଇବା ପାଇଁ ବାରମ୍ବାର କଲେଜ କର୍ତ୍ତୃପକ୍ଷଙ୍କୁ ଗୁହାରୀ ପରେ ମଧ୍ୟ ମିଳି ନଥିବା କହିଛନ୍ତି ବାପା ସଞ୍ଜୟ ଗୋଲଦାର।

ଅନ୍ୟପଟେ ଲିଜାଙ୍କ ସାର୍ଟିଫିକେଟକୁ ବେନିୟମ ଭାବେ ରଖିଥିବା ଉକ୍ତ ଶିକ୍ଷାନୁଷ୍ଠାନର ଏମଡିଙ୍କ ସହ ଯୋଗାଯୋଗ କରିବାରୁ ସେ ଚାରି ବର୍ଷର ଟଙ୍କା ପ୍ରଦାନ ନ କଲେ ସାର୍ଟିଫିକେଟ୍ ଦିଆଯିବ ନାହିଁ ବୋଲି ଫୋନ୍ ଯୋଗେ କହିଥିବାବେଳେ ଏ ସମ୍ପର୍କରେ ନବରଙ୍ଗପୁର ଉପ-ଜିଲ୍ଲାପାଳଙ୍କୁ ପଚାରିବାରୁ ସେ ଏହାର ତଦନ୍ତ କରିଥିବା କହିବା ସହ ବେନିୟମ ଭାବେ ନିଜ ପାଖରେ ରଖିଥିବା ଛାତ୍ରୀଙ୍କ ସାର୍ଟିଫିକେଟକୁ ଆସନ୍ତା ୮ ଦିନ ମଧ୍ୟରେ ଲିଜାଙ୍କୁ ଫେରସ୍ତ କରାଯିବ ବୋଲି କହିଛନ୍ତି।

ରିପୋର୍ଟ: କାର୍ତ୍ତିକ ମଲ୍ଲିକ

Advertisment
Advertisment