Advertisment

ଜଗତସିଂହପୁରର ଢିଙ୍କିଆ ଅଶାନ୍ତିକୁ ନିଜେ ଦେଖିଲେ ହାଇକୋର୍ଟଙ୍କ ହାଇଲେବଲ୍ କମିଟି

ଗତ ଜାନୁଆରୀ ୧୪ ତାରିଖରେ JSWର ପ୍ରସ୍ତାବିତ ଶିଳ୍ପ ବିରୋଧରେ ପ୍ରକଳ୍ପ ବିରୋଧୀ ଓ ଢିଙ୍କିଆ ଗାଁ ଲୋକଙ୍କ ପକ୍ଷରୁ ଶାଣିତ ହୋଇଥିଲା ପ୍ରତିବାଦ।

author-image
Chandan Shishu
ଅଦ୍ୟତନ ହୋଇଛି
Dhinkia Tension

Dhinkia Tension

ବାହାରୁ ସିନା ଶାନ୍ତ, ହେଲେ ଭିତରେ କେତେ ଅଶାନ୍ତର ବାତାବରଣ ରହିଛି ଢିଙ୍କିଆରେ, ଆଜି ପୁଣି ଦେଖିବାକୁ ମିଳିଛି ତାର ବଳିଷ୍ଠ ଚିତ୍ର। ପ୍ରସ୍ତାବିତ JSW ଶିଳ୍ପ ପାଇଁ ପୋଲିସ୍ ଓ ପ୍ରଶାସନ ଉଭୟ ଗାଁ ଲୋକଙ୍କ ଉପରେ ଚଳାଇଥିବା ଜୁଲମ୍ ଓ ବିପନ୍ନ ଜୀବିକାକୁ ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ପରେ, ସତ୍ୟାସତ୍ୟ ଜାଣିବାକୁ ଆଜି ଗାଁକୁ ଯାଇଥିଲେ କୋର୍ଟଙ୍କ ଦ୍ୱାରା ନିଯୁକ୍ତ ୫ଜଣିଆ ହାଇଲେବଲ୍ ଟିମ୍ ହେଲେ ତାଙ୍କ ଉପସ୍ଥିତିରେ ବି ସପକ୍ଷବାଦୀ-ବିପକ୍ଷବାଦୀ ମାରପିଟ୍ ହେବା ସହ ପୋଲିସ ନୀରବଦ୍ରଷ୍ଟା ସାଜିଥିବା ଅଭିଯୋଗ ହୋଇଛି। ଏଣେ ସ୍ପେଶାଲ ଟିମ୍ କହିଛି-ଯାହା ଦେଖିଲୁ କୋର୍ଟଙ୍କୁ ଜଣାଇବୁ।

Advertisment

JSW ଶିଳ୍ପ ବିରୋଧରେ ଭିତରେ ଭିତରେ କେତେ କୁହୁଳୁଛି ଅଶାନ୍ତିର ନିଆଁ। ଆଜି ଢିଙ୍କିଆରେ ପୁଣି ତାର ତାଜା ପ୍ରତିଫଳନ ଗାଁ ମଝିରେ ଧସ୍ତାଧସ୍ତି, ନିର୍ଘାତ ମାଡ଼, ଗାଳିଗୁଲଜ। ଖୋଦ୍ ପୋଲିସ୍, ପ୍ରଶାସନିକ ଅଧିକାରୀ ଓ ହାଇକୋର୍ଟଙ୍କ ୫ ଜଣିଆ କମିଟିଙ୍କ ଉପସ୍ଥିତିରେ ଏସବୁ ଘଟୁଥିଲେ ବି ସମସ୍ତେ ଥିଲେ ନୀରବ ଦ୍ରଷ୍ଟା। ପ୍ରକଳ୍ପ ବିରୋଧୀ ପ୍ରଦୀପ୍ତ ଶତପଥୀଙ୍କୁ ନିସ୍ତୁକ ମାଡ଼ମାରି ଅଚେତ କରି ଦେଇଛନ୍ତି ଉତ୍ତ୍ୟକ୍ତ ଲୋକେ।

ସୂଚନା ଅନୁସାରେ ଜାନୁଆରୀ ୧୪ରେ ଢିଙ୍କିଆରେ ଘଟିଥିବା ପୋଲିସ-ଜନତା ସଂଘର୍ଷ ପରେ ସେଠି କଣ ଅଛି ତାଜା ସ୍ଥିତି ? ଜାଣିବାକୁ ଆଜି ସେଠାକୁ ଯାଇଥିଲେ ହାଇକୋର୍ଟଙ୍କ ଦ୍ୱାରା ଗଠିତ ୫ଜଣିଆ ହାଇଲେବଲ୍ ଟିମ୍। ଏହି ସମୟରେ ଜଣେ ସୂଚନା ଅଧିକାର କର୍ମୀ ମାନସ ରଞ୍ଜନ କର ଓ JSW ପ୍ରକଳ୍ପ ବିରୋଧୀ ନେତା ପ୍ରଦୀପ୍ତ ଶତପଥୀ ବର୍ତ୍ତମାନର ସ୍ଥିତି ସମ୍ପର୍କରେ କମିଟିକୁ ଅବଗତ କରିବାକୁ ଆସୁଥିଲେ। ହେଲେ ଫୁଲଖାଇ ଠାକୁରାଣୀ ମନ୍ଦିର ପାଖରେ ହଠାତ୍ ସେମାନଙ୍କୁ କିଛି ଉତ୍ତ୍ୟକ୍ତ ଲୋକ ତାଙ୍କୁ ଘେରିଯାଇ ଅମାନୁଷିକ ମାଡ଼ ମାରିଥିଲେ। ଫଳରେ ଭୟରେ ଆଉ ଲୋକେ ଘରୁ ବାହାରି ନଥିଲେ।

Advertisment

ତେଣୁ ବାଧ୍ୟ ହୋଇ ହାଇକୋର୍ଟ ଟିମ୍‌ର ସଦସ୍ୟମାନେ ଘରକୁ ଘର ଯାଇ ଲୋକଙ୍କଠୁ ମତାମତ ରେକର୍ଡ କରିଥିଲେ। ତେଣେ ଆଜିର ଘଟଣା ପାଇଁ ଗାଁ ଲୋକେ ସିଧା ପୋଲିସ୍ ଓ ପ୍ରକଳ୍ପ ସପକ୍ଷବାଦୀଙ୍କୁ ଦାୟୀ କରିଥିବାବେଳେ ପୋଲିସ ଦମନଲୀଳା ଆଦୌ ଥମିନଥିବା ସଫା ସଫା ଶୁଣାଇଛନ୍ତି। ସେପଟେ ହାଇକୋର୍ଟ ଟିମ୍ ମେମ୍ବର କହିଛନ୍ତି-ଯାହା ଦେଖିଲୁ, ଯାହା ଶୁଣିଲୁ ଆମେ ନ୍ୟାୟାଳୟଙ୍କୁ ଜଣାଇବୁ।

ଗତ ଜାନୁଆରୀ ୧୪ ତାରିଖରେ JSWର ପ୍ରସ୍ତାବିତ ଶିଳ୍ପ ବିରୋଧରେ ପ୍ରକଳ୍ପ ବିରୋଧୀ ଓ ଢିଙ୍କିଆ ଗାଁ ଲୋକଙ୍କ ପକ୍ଷରୁ ଶାଣିତ ହୋଇଥିଲା ପ୍ରତିବାଦ। ପାନବରଜ ସୁରକ୍ଷା ରାଲିବେଳେ ପୋଲିସ ସେମାନଙ୍କୁ ବାଧାଦେବାରୁ ହୋଇଥିଲା ମୁହାଁମୁହିଁ ସ୍ଥିତି। ଆନ୍ଦୋଳନକାରୀଙ୍କୁ ପୋଲିସ୍ ଗୋଡ଼େଇ ଗୋଡ଼େଇ ପିଟି ଲହୁଲୁହାଣ କରିଥିଲା। ସେବେଠୁ ଅଦ୍ୟାବଧି ଅନେକ ଲୋକ ପୋଲିସ ଗିରଫ ଭୟରେ ବାହାରେ ଲୁଚି ବୁଲୁଛନ୍ତି। ପ୍ରଶାସନର ଜୁଲମ୍ ଓ ପୋଲିସ୍ ଅାକ୍ରୋଶ ପ୍ରତିବାଦରେ ହାଇକୋର୍ଟରେ ୩ଟି ଜନସ୍ବାର୍ଥ ମାମଲା ରୁଜୁ ହୋଇଛି, ଯାହାର ସତ୍ୟାସତ୍ୟ ଅନୁଧ୍ୟାନ ପାଇଁ ୩ଜଣ ଆବେଦନକାରୀ ଓକିଲଙ୍କ ସହ ୨ଜଣ ସରକାରୀ ଓକିଲଙ୍କୁ ମିଶାଇ ୫ଜଣିଆ ଆଡଭୋକେଟ୍ ଟିମ୍ ଢିଙ୍କିଆ ଯାଇଥିଲେ।

ଆଜି ସେମାନଙ୍କ ଉପସ୍ଥିତିରେ ଏଭଳି ଘଟଣା ଘଟିବା, ପୁଣି ପୋଲିସ ଓ ପ୍ରଶାସନିକ ଅଧିକାରୀ ଥାଇ ବି ଉତ୍ତେଜନାତ୍ମକ ପରିସ୍ଥିତି ସୃଷ୍ଟି ହେବା ପାଇଁ ଦାୟୀ କିଏ ବୋଲି ପ୍ରଶ୍ନ ଉଠିଥିବାବେଳେ, ଏରସମା ତହସିଲଦାର କହିଛନ୍ତି-ପ୍ରଥମେ ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କ ମଧ୍ୟରେ ବଚସା ହେଲା, ହେଲେ ଶାରିରୀକ ଆକ୍ରମଣବେଳେ ପୋଲିସ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରି ଦେଇଥିଲା। ସେପଟେ ପ୍ରକଳ୍ପ ସପକ୍ଷବାଦୀ ଆଜିର ଘଟଣାପାଇଁ ବିପକ୍ଷବାଦୀଙ୍କୁ ଦୋଷ ଲଦିଛନ୍ତି।ତେବେ କିଛି ଦିନର ନୀରବତା ପରେ ଢିଙ୍କିଆରେ ଆଜିର ଚିତ୍ର, ପୁଣି ଚାପା ଉତ୍ତେଜନାର ପ୍ରମାଣ ଦେଇଛି।

ରିପୋର୍ଟ: ରମାକାନ୍ତ ନାୟକ

JSW Dhinkia Tension
Advertisment
Advertisment