• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଶ୍ରୀମନ୍ଦିର ରୋଷଘର ଚୂଲା ଭଂଗା ଘଟଣାରେ ଧର୍ମେନ୍ଦ୍ରଙ୍କ ଦୁଃଖପ୍ରକାଶ । ମହାପ୍ରଭୁଙ୍କ ପ୍ରସାଦ ପ୍ରସ୍ତୁତିରେ ବ୍ୟାଘାତ ସୃଷ୍ଟି କରିବା ଦୁଃଖଦାୟକ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଟ୍ୱିଟ୍ କରି ସେ କହିଛନ୍ତି, ‘ଓଡ଼ିଆ ଜାତିର ଅସ୍ମିତାର ପରିଚୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ସ୍ଥିତ ପବିତ୍ର ରୋଷଘର ଚୂଲି ଗୁଡ଼ିକ ଭାଙ୍ଗି ଦିଆଯିବା ଘଟଣା ଗଣମାଧ୍ୟମରୁ ଜାଣିବାକୁ ପାଇଲି । ଏହି ଖବର ମୋତେ ଦୁଃଖିତ ଓ ବ୍ୟଥିତ କରିଛି । ମହାପ୍ରଭୁ ଓଡ଼ିଶାବାସୀ ଏବଂ ସାରା ବିଶ୍ୱର ହିନ୍ଦୁ ସମାଜର ଆସ୍ଥା ଓ ବିଶ୍ୱାସର କେନ୍ଦ୍ର । 

ସେ ଆହୁରି କହିଛନ୍ତି, ‘ଶ୍ରୀମନ୍ଦିର ସହ ମହାପ୍ରଭୁଙ୍କ ମହାପ୍ରସାଦର ରହିଛି ଅନନ୍ୟ ସମ୍ପର୍କ । ରୋଷଘରର ଅବଢ଼ା ପ୍ରସ୍ତୁତ ହେଉଥିବା ଚୂଲିକୁ ଭାଙ୍ଗି ଦେଇ ମହାପ୍ରଭୁଙ୍କ ପ୍ରସାଦ ପ୍ରସ୍ତୁତିକୁ ବ୍ୟାଘାତ କରିବା ଦୁଃଖଦାୟକ । ମହାପ୍ରସାଦ ସହ ଓଡ଼ିଆଙ୍କ ଭାବାବେଗ ଜଡ଼ିତ । ମହାପ୍ରଭୁଙ୍କ ମହାପ୍ରସାଦ ଅମୃତ ତୁଲ୍ୟ । ମହାପ୍ରଭୁଙ୍କ ରୋଷଘର ସହ ମା’ ଲକ୍ଷ୍ମୀ ଓ ମା’ ହିଙ୍ଗୁଳାଙ୍କ ପ୍ରତ୍ୟକ୍ଷ ଜଡ଼ିତ ଥିବା ଓଡ଼ିଆ ଜନମାନସର ବିଶ୍ୱାସ । ରାଜ୍ୟ ସରକାର ଏବଂ ଶ୍ରୀମନ୍ଦିର ପ୍ରଶାସନ ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ଭବିଷ୍ୟତରେ ଯେଭଳି ଏହି ଘଟଣାର ପୁନରାବୃତ୍ତି ନ ହେବ, ସେଥିପାଇଁ ଆବଶ୍ୟକ ପଦକ୍ଷେପ ନେବା ସହ ସଜାଗ ରହିବା ଜରୁରୀ ।’

ସେପଟେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ମଧ୍ୟ ରୋଷ ଘର ଚୂଲା ଭଙ୍ଗା ଘଟଣାକୁ ବିରୋଧ କରି ସ୍ୱର ଉଠାଇଛନ୍ତି । ସେ ନିଜ ଟ୍ୱିଟ୍ ହ୍ୟାଣ୍ଡେଲରେ ରୋଷ ଘର ଚୂଲା ଭଙ୍ଗା ଘଟଣାକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ କହିଛନ୍ତି, ‘ଜଗନ୍ନାଥ ମହାପ୍ରଭୁଙ୍କ ରୋଷଘରେ ପଶି ଚୂଲା ଭାଙ୍ଗିଥିବା ଦୁର୍ବୁତ୍ତଙ୍କୁ ଏ ଜାତି କେବେବି କ୍ଷମା ଦେବନାହିଁ । କିନ୍ତୁ ଏହାର ମାନେ ନୁହେଁ ଯେ ଦାୟିତ୍ୱରେ ଥିବା ବ୍ୟବସ୍ଥା ଚୁପ୍ ହୋଇ ବସିଯିବେ । ଯାହାକି ଆଜି ଶ୍ରୀମନ୍ଦିରର ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି । ଏହିଭଳି କଳାପାହାଡ଼ ସଦୃଶ ଆକ୍ରମଣକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଉଚିତ ।’

ସୂଚନାଯୋଗ୍ୟ, ରୋଷ ଘରେ ଚୂଲା ଭଙ୍ଗା ଘଟଣାକୁ ୨୪ ଘଣ୍ଟା ବିତିଯାଇଛି । ହେଲେ ଘଟଣାକୁ ନେଇ ପୋଲିସକୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସୁରାଗ ମିଳିପାରିନାହିଁ । ଏମିତିକି ଏଯାଏଁ ପୋଲିସ ଦୁର୍ବୃତ୍ତଙ୍କ ଟେର ମଧ୍ୟ ପାଇନି । ଅନ୍ୟପକ୍ଷେ, ଭଙ୍ଗା ଚୂଲାରେ ହିଁ ଶ୍ରୀଜିଉଙ୍କ ଭୋଗ ରୋଷେଇ ହୋଇଥିବା କଥା କୁହାଯାଉଛି । ଶ୍ରୀମନ୍ଦିର ନୀତି ପ୍ରଶାସକ ଓ ଶ୍ରୀମନ୍ଦିର ଅତିରିକ୍ତ ସୁରକ୍ଷା ପ୍ରଶାସକ ଘଟଣାର ଛାନଭିନ୍ କରୁଛନ୍ତି । ଘଟଣାକୁ ନେଇ ସୁଆରମହାସୁଆର ନିଯୋଗ ପକ୍ଷରୁ ଉଦବେଗ ପ୍ରକାଶ କରାଯାଇଥିବା ବେଳେ, ସୁରକ୍ଷା ବ୍ୟବସ୍ଥା ଓ ଅବହେଳାକୁ ଦାୟୀ କରିଛି ନିଯୋଗ । ତେବେ ପୂର୍ବ ଶତ୍ରୁତା କିମ୍ବା ବ୍ୟାବସାୟିକ ଶତ୍ରୁତାରୁ ଦୁର୍ବୃତ୍ତ ମାନେ ଏଭଳି କାଣ୍ଡ ଭିଆଇଥିବା ଚର୍ଚ୍ଚା ଜୋର ଧରିଛି ।

ତେବେ ପ୍ରଶାସନର କହିବା କଥା ଦୁଇ ଦିନ ଭିତରେ ପ୍ରକୃତ ଦୋଷୀକୁ ଧରାଯିବ । ଏହାସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ପ୍ରଶାସନ ପକ୍ଷରୁ ଏଭଳି ବୟାନ ଶୁଣିବା ପରେ ଲୋକଙ୍କ ମନରେ ସନ୍ଦେହ ବଢ଼ିଛି । ସନ୍ଦେହ ବଢ଼ିବା ବି ସ୍ୱାଭାବିକ୍ । କାରଣ ଶ୍ରୀମନ୍ଦିରର ଚାରିଆଡ଼େ ଲାଗିଛି ସିସିଟିଭି । ଆଉ ଅଭିଯୁକ୍ତଙ୍କୁ ଧରିବାକୁ ହେଲେ ସିସିଟିଭି ଯାଞ୍ଚ ହିଁ ସବୁଠୁ ସହଜ ଉପାୟ । ହେଲେ ଘଟଣାକୁ ୨୪ ଘଶ୍ଟା ବିତିଯାଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ସିସିଟିଭି ଯାଞ୍ଚ କରାଯାଇନାହିଁ । ତେବେ କୁଆଡ଼େ ଗଲା ସିସିଟିଭି ଫୁଟେଜ୍‌ ? ଏହି ପ୍ରଶ୍ନ ମଧ୍ୟ ଏବେ ସମସ୍ତଙ୍କ ମନରେ ।

ପ୍ରଶାସନ ଅଭିଯୁକ୍ତ‌‌ଙ୍କୁ ଧରିବା ପାଇଁ କାହିଁକି ଦୁଇ ଦିନ ସମୟ ମାଗିଲା ? ଦୁଇ ଦିନ ଅର୍ଥାତ୍‌ ୪୮ ଘଣ୍ଟା । ଯାହାକି ଅଭିଯୁକ୍ତଙ୍କ ପାଇଁ ପ୍ରମାଣ ନଷ୍ଟ କରିବାକୁ ଯଥେଷ୍ଟ ସମୟ । ଏମିତିକି ଅଭିଯୁକ୍ତ ଓଡ଼ିଶା ଛାଡ଼ି ଅନ୍ୟ ରାଜ୍ୟକୁ ଫେରାର ହେବା ପାଇଁ ମଧ୍ୟ ଯଥେଷ୍ଟ । ତେବେ ପ୍ରଶାସନର ଏହି ଦୁଇ ଦିନ ସମୟ ଥିଓରୀ, ଅଭିଯୁକ୍ତଙ୍କୁ ଧରିବା ପାଇଁ ନାଁ ସେମାନଙ୍କୁ ଖସି ପଳାଇବା ପାଇଁ ସୁଯୋଗ ଦେଲା । ଏଭଳି ସନ୍ଦେହ ଏବେ ପ୍ରତ୍ୟେକ ଜଗନ୍ନାଥ ପ୍ରେମୀଙ୍କ ମନରେ ଘନିଭୂତ ହେଉଛି ।