/odishatv-khabar/media/post_attachments/uploadimage/library/16_9/16_9_0/DGP_1708439824.jpg)
DGP
ଓଡ଼ିଶାରେ ପୂର୍ଣ୍ଣକାଳୀନ ଡିଜିପି ନିଯୁକ୍ତି ନିୟମରେ ବ୍ୟତିକ୍ରମକୁ ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟର ଅସନ୍ତୋଷ । ଖାଲି ଓଡ଼ିଶା ନୁହେଁ ୟୁପି, ପଶ୍ଚିମବଙ୍ଗ ଭଳି ମୋଟ ୭ ରାଜ୍ୟକୁ ଚିଠି ଲେଖି ତାଗିଦ୍ କରିଛି ମନ୍ତ୍ରାଳୟ । ଏଥିସହ ୨୦୦୬ ମସିହାରେ ପୋଲିସ ସଂସ୍କାର ନେଇ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶର ଖୋଲାଖୋଲି ଉଲ୍ଲଂଘନ ବୋଲି କହିଥିବା ଜାତୀୟ ଗଣମାଧ୍ୟମରେ ଖବର ପରେ ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।
ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ, କେନ୍ଦ୍ରର ବି ତାଗିଦ୍ । ତା’ ସତ୍ତ୍ୱେ ପୂର୍ଣ୍ଣକାଳୀନ ଡିଜିପି ନିଯୁକ୍ତି ନିୟମକୁ ଓଡ଼ିଶା ସହ ୭ ରାଜ୍ୟ କରିଛନ୍ତି ଫୁ । କାହିଁକି ହେଉଛି ରାଜ୍ୟ ପୋଲିସ ମୁଖିଆ ଭଳି ଅତି ଗୁରୁତ୍ୱପୂର୍ଣ୍ଣ ପଦବୀରେ କାମଚଳା ନିଯୁକ୍ତି ? ଓଡ଼ିଶା ସମେତ ୟୁପି, ଆନ୍ଧ୍ର, ତେଲେଙ୍ଗାନା, ପଂଜାବ, ଉତ୍ତରାଖଣ୍ଡ ଓ ପଶ୍ଚିମବଙ୍ଗର ମୁଖ୍ୟଶାସନ ସଚିବଙ୍କ ପାଖକୁ ଚିଠି ଲେଖି ଅସନ୍ତୋଷ ବ୍ୟକ୍ତ କରିଛି କେନ୍ଦ୍ର ଗୃହ ମନ୍ତ୍ରାଳୟ । ଯାହାକୁ ନେଇ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି ଖବର । ଏମିତିକି ୨୦୦୬ ମସିହାରେ ସୁପ୍ରିମକୋର୍ଟଙ୍କ ଏ ସମ୍ପର୍କିତ ନିର୍ଦ୍ଦେଶର ଅବମାନନାକୁ ନେଇ ଖପ୍ପା ହୋଇଛି ସ୍ୱରାଷ୍ଟ୍ର ମନ୍ତ୍ରାଳୟ ।
ଯେହେତୁ ଓଡ଼ିଶାରେ କାମଚଳା ଡିଜିପି ଭାବେ ଅରୁଣ ଷଡ଼ଙ୍ଗୀଙ୍କୁ ନିକଟରେ ରାଜ୍ୟ ସରକାର ନିଯୁକ୍ତି ଦେଇଛନ୍ତି । ତେଣୁ ଏଠି ବି ସୁପ୍ରିମକୋର୍ଟଙ୍କ ନିୟମର ଖୋଲାଖୋଲି ଉଲ୍ଲଂଘନ ହୋଇଛି । ନିୟମ ଅନୁସାରେ- ଜଣେ ଡିଜିପି ଅବସର ନେବାର ୩ମାସ ପୂର୍ବରୁ ତାଙ୍କ ସ୍ଥାନରେ ଅନ୍ୟଜଣଙ୍କୁ ନିଯୁକ୍ତି ପାଇଁ ବରିଷ୍ଠ ଆଇପିଏସ୍ଙ୍କ ନାଁ ରାଜ୍ୟ ସରକାର ୟୁପିଏସସିକୁ ପଠାଇବା କଥା ।
ସେଥିରୁ ଜଣକୁ ୟୁପିଏସସି ହାଇଲେବଲ ଚୟନ କମିଟି ବାଛିବେ । ଉକ୍ତ କମିଟିରେ କେନ୍ଦ୍ର ଗୃହ ସଚିବଙ୍କ ସହ ରାଜ୍ୟ ମୁଖ୍ୟ ସଚିବ ଓ ଡିଜିପି ସଦସ୍ୟ ଭାବେ ଥାନ୍ତି । ତେବେ ପୂର୍ବତନ ଡିଜିପି ସୁନୀଲ ବଂଶଲ ଡିସେମ୍ବର ୩୧ରେ ପଦରୁ ଅବସର ନେବା କଥା ରାଜ୍ୟ ସରକାର ବହୁ ଆଗରୁ ଜାଣିଥିଲେ ବି, କାହିଁକି ଏହି ପଦ ପାଇଁ ଉପଯୁକ୍ତ ଥିବା ବହୁ ସିନିୟର ଆଇପିଏସଙ୍କ ନାଁ ପଠାଇଲେନି ବୋଲି ଉଠିଛି ପ୍ରଶ୍ନ ।
ପୋଲିସ ସଂସ୍କାର ଉଦ୍ଦେଶ୍ୟରେ ୟୁପିର ପୂର୍ବତନ ପୋଲିସ ଡିଜି ପ୍ରକାଶ ସିଂହଙ୍କ ଆବେଦନ କ୍ରମେ ୨୦୦୬ ମସିହାରେ ସୁପ୍ରିମକୋର୍ଟ ଉଭୟ କେନ୍ଦ୍ର ଓ ରାଜ୍ୟମାନଙ୍କୁ ଦେଇଥିଲେ ୭ ବଡ଼ ନିର୍ଦ୍ଦେଶ । ଯାହା ଅନୁସାରେ ବିଶେଷ ପରିସ୍ଥିତିକୁ ଛାଡ଼ି ଦେଲେ ଅନ୍ୟ କୌଣସି ସମୟରେ ରାଜ୍ୟ ସରକାର କାମଚଳା ଡିଜିପି ନିଯୁକ୍ତି ଦେଇ ପାରିବେ ନାହିଁ । ତା’ ସହ ଉଦ୍ଦେଶ୍ୟମୂଳକ ନିଯୁକ୍ତି, ମନଇଚ୍ଛା ବଦଳି ଓ ତଦନ୍ତକୁ ମଧ୍ୟ ରାଜନୈତିକ ହସ୍ତକ୍ଷେପରୁ ମୁକ୍ତ ରଖାଯିବା ସହ ଡିଜିପିଙ୍କୁ ଅତିକମରେ ୨ବର୍ଷ ପଦରେ ରଖିବା ନିୟମ ରହିଛି ।
ହେଲେ ଓଡ଼ିଶା ସମେତ ଆଉ ୭ ରାଜ୍ୟରେ ସୁପ୍ରିମକୋର୍ଟ ନିର୍ଦେଶର ଉଲ୍ଲଂଘନ ହୋଇଥିବା ଦର୍ଶାଇଛି ଗୃହ ମନ୍ତ୍ରାଳୟ । ଯାହା ଓଡ଼ିଶାରେ ବି ପ୍ରତିଫଳିତ ହୋଇଥିବା କହିଛନ୍ତି ପୂର୍ବତନ IPS ଅଧିକାରୀ । ତେବେ ଓଡ଼ିଶା ସରକାର କେନ୍ଦ୍ର ଗୃହମନ୍ତ୍ରାଳୟରୁ ଏ ସମ୍ପର୍କିତ ଚିଠି ପାଇଛନ୍ତି କି ନାହିଁ ସେକଥା ଜାଣିବାକୁ ମୁଖ୍ୟ ଶାସନ ସଚିବଙ୍କୁ ଯୋଗାଯୋଗ କରାଯାଇଥିଲେ ବି କୌଣସି ଉତ୍ତର ମିଳିନାହିଁ । ଏବେ ଅପେକ୍ଷା, ଓଡ଼ିଶାରେ କେବେ ନିଯୁକ୍ତ ହେଉଛନ୍ତି ପୂର୍ଣ୍ଣକାଳୀନ ଡିଜିପି ।
ଭୁବନେଶ୍ବରରୁ କ୍ୟାମେରାପର୍ସନ ବିଭୁଙ୍କ ସହ ଲକ୍ଷ୍ମୀନାରାୟଣ କାନୁନଗୋ, ଓଟିଭି
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)