• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଜଗା ଦର୍ଶନାର୍ଥୀଙ୍କୁ କଲବଲ କଲାଣି ବ୍ୟାରିକେଡ୍ ଯନ୍ତ୍ରଣା । ସିଂହଦ୍ୱାର ଆଗରେ ଘଣ୍ଟା ଘଣ୍ଟା ଧରି ବ୍ୟାରିକେଡ୍ ରେ ରହି ଭକ୍ତ ଅତିଷ୍ଠ ହୋଇ ପଡୁଥିଲେ ବି ପୁରୀ ପ୍ରଶାସନ କି ମନ୍ଦିର ପ୍ରଶାସନ କାହାକୁ ଫରକ ପଡୁନି । ପଞ୍ଚୁକ ପୂର୍ବରୁ ଆଜିର ପୁଣି ଦେଖିବାକୁ ମିଳିଥିଲା ଅସମ୍ଭାଳ ସ୍ଥିତି । ଭକ୍ତ କହିଲେଣି ଆଉ ପୁରୀ ଆସିବୁନି, ତେଣେ ଚାରିଦ୍ୱାର ଖୋଲାଯାଉନଥିବାରୁ ବର୍ଷିଲେଣି ପୁରୀ ବାସିନ୍ଦା ଓ ବୁଦ୍ଧିଜୀବୀ ।

ନିଇତି ଦୁଃସ୍ଥିତି ଦେଖି ବି ନିଦାବିଷ୍ଣୁ ପ୍ରଶାସନ । ଏଣେ ଯମ ଯନ୍ତ୍ରଣା ହେଲାଣି ଜଗା ଦର୍ଶନ । ଛୋଟ ପିଲା, ମହିଳା, ଦିବ୍ୟାଙ୍ଗ ଅବା ବୃଦ୍ଧ । କାହାରିକୁ ବି ନାହିଁ ବ୍ୟାରିକେଡ୍ ଯନ୍ତ୍ରଣାରୁ ତ୍ରାହି । କାଳିଆ ଦର୍ଶନାତୁର ଏ ଭକ୍ତମାନେ କେମିତି ଶ୍ରୀମନ୍ଦିର ସମ୍ମୁଖରେ ଘଣ୍ଟା ଘଣ୍ଟା ଧରି ଭୋକ-ଶୋଷ, ଆଣ୍ଠୁ ଯନ୍ତ୍ରଣା ଓ ଝାଡ଼ା-ପରିସ୍ରା ଭଳି ସମସ୍ୟାରେ ଜର୍ଜରିତ ହୋଇ ବ୍ୟାରିକେଡ୍ ଯନ୍ତ୍ରଣାରେ କଲବଲ ହେଉଛନ୍ତି ଜଗା ଦର୍ଶନାର୍ଥୀ ।

ହାରମଣୀ ଦେବୀ, ବୟସ ୭୦, ଘର କେନ୍ଦୁଝର ଫକୀରପୁର । କାର୍ତ୍ତିକରେ କାଳିଆକୁ ଟିକେ ଦର୍ଶନ ପାଇଁ ସକାଳ ପହରୁ ଲାଇନରେ ଥିଲେ । ହେଲେ ୪ ଘଣ୍ଟା ପରେ ଆଉ ସମ୍ଭାଳି ପାରିଲେନି, ବ୍ୟାରିକେଡ୍ ଭିତରୁ ଥାଇ ଭୋ ଭୋ କାନ୍ଦିଲେ, କେହି ତାଙ୍କୁ ମୁକ୍ତ କର ବୋଲି ଗୁହାରି କରୁଥିଲେ । ଓଟିଭିରେ ଏ ଦୃଶ୍ୟ ଲାଇଭ୍ ଚାଲିଥିଲା, ସାରା ଓଡ଼ିଶା ବି ଦେଖୁଥିଲା ।

ଉପରୁ ନିର୍ଦ୍ଦେଶ ଆସିବା କ୍ଷଣି ସୁରକ୍ଷା ଦାୟିତ୍ୱରେ ଥିବା ପୋଲିସ କର୍ମଚାରୀ ବୃଦ୍ଧାଙ୍କୁ ବ୍ୟାରିକେଡରୁ ମୁକ୍ତ କରି ମନ୍ଦିରକୁ ଜଗାଦର୍ଶନ ପାଇଁ ନେଇଥିଲେ । ତେବେ ଭକ୍ତଙ୍କ ବ୍ୟାରିକେଡ୍ ଯନ୍ତ୍ରଣା ଏଇଠି ସରିନି, ଧାଡ଼ିରେ ଛିଡ଼ା ହୋଇଥିବା ଜଣେ ଯୁବତୀ ଅଣନିଃଶ୍ୱାସୀ ହୋଇ ବେହୋସ୍ ହୋଇଗଲେ । ତାଙ୍କୁ ସ୍ୱାଭାବିକ କରିବାକୁ ନାନା ଚେଷ୍ଟା ସତ୍ତ୍ୱେ ଶେଷରେ ଆମ୍ବୁଲାନ୍ସରେ ମେଡିକାଲ ପଠା ଯାଇଥିଲା । ସେମିତି ପିଲାଛୁଆ ଧରି ଦର୍ଶନ ପାଇଁ ଆସିଥିବା ବାପା-ମାଆଙ୍କ ଅବସ୍ଥା ତ କହିଲେ ନସରେ ।

ରାଜ୍ୟ ହୁଅନ୍ତୁ କି ରାଜ୍ୟ ବାହାର ଭକ୍ତ, ଭିଡ଼ରେ କଲବଲ ହେବା ପରେ କହୁଛନ୍ତି ଆଉ ପୁରୀ ଆସିବୁନି । କେହି କେହି ବ୍ୟାରିକେଡ୍ ପାଖରୁ ଠାକୁରଙ୍କୁ ମୁଣ୍ଡିଆ ମାରି ଭଗ୍ନ ମନରେ ଫେରି ଯାଉଛନ୍ତି । ସେପଟେ ଜଗନ୍ନାଥ ଭକ୍ତଙ୍କ ଦର୍ଶନ ଯନ୍ତ୍ରଣାର ଏ ବିକଳ ଚିତ୍ର ଦେଖି ବୁଦ୍ଧିଜୀବୀ, ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନକୁ ସିଧା ନିଶାନା କଲେଣି ।

କାଲି ଅଁଳା ନବମୀ ଓ ଆଗକୁ ପଞ୍ଚୁକ ବ୍ରତ । ଆହୁରି ଭକ୍ତ ଆସିବେ, ତେଣୁ ବ୍ୟବସ୍ଥା ନସୁଧୁରିଲେ ସ୍ଥିତି ଆହୁରି ସାଂଘାତିକ ହେବ । ଏଣେ ଶ୍ରୀମନ୍ଦିର ପ୍ରଶାସନର ସେଇ ପୁରୁଣା ଘୋଷାଧରି ବସିଛି, ଦର୍ଶନ ଓ ନୀତିକାନ୍ତି ସବୁ ଶୃଙ୍ଖଳିତ ଢଙ୍ଗରେ ଚାଲିଛି ।

  • Reported by:
  • DEBASHISH MOHANTY , MADHUSUDAN MISHRA