• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଡେଙ୍ଗୁକୁ ହାତ ଠାରି ଡାକୁଛି ସ୍ମାର୍ଟ ସିଟି । ଭୁବନେଶ୍ୱରର ୩ ନମ୍ବର ଓ୍ୱାର୍ଡର ରାସ୍ତାରେ ଭାସୁଛି ନଳା ପାଣି । ଯେଉଁଠି ମଶା ମାଛିଙ୍କ ଉପଦ୍ରବ ବଢିଚାଲିଛି । ଆଉ ଡମଣା ଗାଁ ଭିତରର ଗାଁ ପୋଖରୀ ହେଉଛି ଡେଙ୍ଗୁ ମଶାଙ୍କ ଗନ୍ତାଘର । ଗାଁର ମୁଖ୍ୟ ରାସ୍ତା ହେଉ ଅବା ଘର ସାମ୍ନା । ସବୁଠି ଅଳିଆ ଆବର୍ଜନା । ସ୍ଥାନୀୟ ଲୋକଙ୍କ ଅଭିଯୋଗ, ଗାଁରେ ଡ୍ରେନ ନଥିବାରୁ ଅସରାଏ ବର୍ଷା ହେଲେ ନଳା ପାଣି ରାସ୍ତାରେ ଭାସୁଛି । ମଶା ମାଛିଙ୍କ ଉପଦ୍ରବ ସାଙ୍ଗକୁ ବିଏମସିର ବେପାରୁଆ ମନୋଭାବ ଯୋଗୁଁ ଏହି ଅଞ୍ଚଳରେ ଘରେ ଘରେ ଡେଙ୍ଗୁ ରୋଗୀ ।

ନା ମଶା ଧୂଆଁ ଗାଡି ବୁଲୁଛି ନା ଯେଉଁ ସ୍ଥାନରେ ଡ୍ରେନ ଅଛି ସେଗୁଡିକ ସଫା ହେଉଛି । ସମାନ ଦଶା ହେଉଛି ଚନ୍ଦ୍ରଶେଖରପୁର, ଶୈଳଶ୍ରୀବିହାର, ନିଳାଦ୍ରୀବିହାର, ପଟିଆ ଓ ଶ୍ରୀବିହାରର । ଯେଉଁଠି କାୟା ବିସ୍ତାର କରିବାରେ ଲାଗିଛି ଡେଙ୍ଗୁ । ଆଜି ଭୁବନେଶ୍ୱର ମେୟର ଏସବୁ ଅଞ୍ଚଳ ବୁଲି ସ୍ଥିତି ପରଖିଛନ୍ତି । ତେବେ ରାଜଧାନୀରେ ଏବେ ମୋଟ୍ ୨ ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା କହିଛନ୍ତି ମେୟର ।  

ସେପଟେ ଗତକାଲି ଡେଙ୍ଗୁରେ ଚଳିତବର୍ଷର ପ୍ରଥମ ମୃତ୍ୟୁ ହୋଇଛି । ଜଣେ ଅବସରପ୍ରାପ୍ତ ପୋଲିସ ଅଧିକାରୀ ଡେଙ୍ଗୁରେ ଆକ୍ରାନ୍ତ ହୋଇ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତେଣୁ ସରକାରୀ ଭାବରେ ଏହାକୁ ଡେଙ୍ଗୁ ମୃତ୍ୟୁ ବୋଲି ଘୋଷଣା କରାଯାଇ ନଥିଲେ ମଧ୍ୟ ତଦନ୍ତ ପାଇଁ ସ୍ୱାସ୍ଥ୍ୟ ବିଭାଗ ଟିମ ପଠାଇଥିବା ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ବର୍ତ୍ତମାନ ଡେଙ୍ଗୁ ସିଜିନ ଆରମ୍ଭ ହୋଇଥିବାରୁ ଲୋକମାନଙ୍କୁ ସଚେତନ କରାଯାଉଛି । ଖୋର୍ଦ୍ଧାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, କ୍ୟାପିଟାଲ ହସ୍ପିଟାଲ, ଏମ୍‌ସ ଏବଂ RMRCକୁ ମିଶାଇ ୪ଟି ସେଣ୍ଟିନାଲ ସାଇଟ୍‌ ଅଛି । ଲୋକମାନେ ଏହି କେନ୍ଦ୍ର ଗୁଡ଼ିକରେ ଯାଇ ଟେଷ୍ଟ କରିବାକୁ ଅପିଲ କରିଛି ଜନସ୍ୱାସ୍ଥ୍ୟ ବିଭାଗ ।

 

ସରକାରୀ ତଥ୍ୟ କହୁଛି ଗତକାଲି ସୁଦ୍ଧା ରାଜ୍ୟରେ ୭୬ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ତେବେ ଚଳିତ ବର୍ଷ ଡେଙ୍ଗୁରେ ପ୍ରଥମ ମୃତ୍ୟୁ ହୋଇସାରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ନିଦ ଭାଙ୍ଗୁନି ଉଭୟ ବିଏମସି ଓ ସ୍ୱାସ୍ଥ୍ୟ ବିଭାଗର ।