Advertisment

କୋହ ସମ୍ଭାଳି ପାରିଲେନି କୌପିନଧାରୀ ଅଲେଖ ସନ୍ୟାସୀ

ଯୋରନ୍ଦା ଗାଦିରେ ବୁଲଡୋଜର ବୁଲିବା ଘଟଣା ବେଶ୍ ବ୍ୟଥିତ କରିଛି ମହିମା ଧର୍ମାବଲମ୍ବୀଙ୍କୁ ଓ ସ୍ଥାନୀୟ ବାସିନ୍ଦାଙ୍କୁ।

author-image
Chandan Shishu
ଅଦ୍ୟତନ ହୋଇଛି
undefined

Demolition drive at Joranda Gadi in Dhenkanal

ଖଣ୍ଡ ଖଣ୍ଡ ହୋଇ ମାଟିରେ ମିଶୁଛି ଅଖଣ୍ଡ ବତୀ ମନ୍ଦିର। ବୁଲଡୋଜର ଆଞ୍ଚୁଡ଼ାରେ ଧୂଳିସାତ୍ ହେଉଛି ଧୂନି ଘର। ବିଶ୍ୱ ପ୍ରସିଦ୍ଧ ଢେଙ୍କାନାଳ ଜିଲ୍ଲା ର ଯୋରନ୍ଦା ଆଶ୍ରମରେ ଧରାଶାୟୀ ହୋଇଛି କୌପିନଧାରୀ ମହିମା ସନ୍ୟାସୀଙ୍କ ତପସ୍ୟାର ସ୍ଥଳୀ। ହାଇକୋର୍ଟଙ୍କ ନିର୍ଦ୍ଦେଶର ଅନୁପାଳନ ପୂର୍ବକ ଜିଲ୍ଲା ପ୍ରଶାସନ ପକ୍ଷରୁ ଦୁଇଟି ଜେସିବି ସହ ୫ ପ୍ଲାଟୁନ୍ ଫୋର୍ସଙ୍କ ଉପସ୍ଥିତିରେ ବିବାଦୀୟ ୨୮ ଡେସିମିଲ ଜାଗାକୁ ଖାଲି କରାଯାଇଛି। ଯେଉଁ ଘରେ ଦୀର୍ଘ ୯୫ବର୍ଷ ଧରି ଅଖଣ୍ଡ ଧୂନି ଜଳୁଥିଲା, ଆଜି ବୁଲଡୋଡର ମାଡ଼ରେ ମାଟିରେ ଲୋଟିଛି ଅହନ୍ନିଶି ଜଳୁଥିବା ନିଆଁ ସିନା ଲିଭିଛି, ହେଲେ ସିଦ୍ଧ ପୁରୁଷ କୃପାସିନ୍ଧୁ ବାବାଙ୍କ ଦ୍ୱାରା ପ୍ରତିଷ୍ଠିତ ଆରାଧନା ସ୍ଥଳୀର ଏ ବିଧ୍ୱଂସ ରୂପକୁ ଦେଖି କୋହ ସମ୍ଭାଳି ପାରିନାହାଁନ୍ତି କୌପିନଧାରୀ ଅଲେଖ ସନ୍ୟାସୀ।

Advertisment

ଅଧିକ ପଢ଼ନ୍ତୁ: ମହିମା ଗାଦି ପରିସରରେ ଚାଲିଲା ଜେସିବି ! ଧୂନି ଏବଂ ବତୀ ମନ୍ଦିର ଭାଙ୍ଗିଲା ପ୍ରଶାସନ

ଯୋରନ୍ଦା ଗାଦିର ଶୂନ୍ୟ ମନ୍ଦିରକୁ ଲାଗି କୌପିନଧାରୀଙ୍କ ତପସ୍ୟାସ୍ଥଳୀର ସ୍ଥଳୀକୁ ନେଇ ବକଳଧାରୀ ସନ୍ୟାସୀଙ୍କ ସହ ବିବାଦର ଇଏ ଶେଷ ପରିଣତି। ସ୍ବାଧୀନତା ପୂର୍ବରୁ ଅର୍ଥାତ୍ ୧୯୩୯ ମସିହାରୁ କୌପିନଧାରୀ ମହିମା ସମାଜ ପକ୍ଷରୁ ପ୍ରତିଷ୍ଠିତ ଧୂନି ମନ୍ଦିର, ଅଖଣ୍ଡବତୀ ମନ୍ଦିର, ଅମୂଣିଆ ମଣ୍ଡପ ସହ ଛୋଟ ଛୋଟ ମହିମା ଟୁଙ୍ଗିରେ ନିଇତି ଚାଲୁଥିଲା ଭଜନ କୀର୍ତ୍ତନ ସାଙ୍ଗକୁ ଅଖଣ୍ଡ ଧୂନି ପ୍ରଜ୍ୱଳନ। ଭକ୍ତମାନେ ଦେଉଥିବା ଘୃତରେ ବର୍ଷ ବର୍ଷ ଧରି ଜଳୁଥିଲା ବିଶ୍ୱ କଲ୍ୟାଣ ଉଦ୍ଦେଶ୍ୟରେ ଧୂନି। ତେବେ ମୁଖ୍ୟ ମନ୍ଦିରକୁ ଛାଡ଼ି ଏଭଳି ସ୍ଥାନରେ ପୂଜାର୍ଚ୍ଚନା ବେଆଇନ୍ ଦର୍ଶାଇ ୧୯୪୫ ମସିହାରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ବକଳଧାରୀ ମହିମା ସମାଜ।

Advertisment

ସେବେଠୁ ବକଳଧାରୀ ଓ କୌପିନଧାରୀଙ୍କ ମଧ୍ୟରେ ଲାଗି ରହିଥିଲା ବିବାଦ ବହୁବାର ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ହୋଇଛି, ସଂଘର୍ଷ ହି ଘଟିଛି। କୋର୍ଟ ମଧ୍ୟ ବିବାଦୀୟ ସ୍ଥାନରୁ ଉକ୍ତ ନିର୍ମାଣ ସବୁକୁ ହଟାଇବାକୁ ଆଦେଶ ଦେଇଥିଲେ। ଯାହାର ଅନୁପାଳନ ସ୍ୱରୂପ ଆଗୁଆ ୧୪୪ ଧାରା ଜାରି କରି ତାକୁ ଶେଷରେ କାର୍ଯ୍ୟକାରୀ କରିଛି ଜିଲ୍ଲା ପ୍ରଶାସନ। ଯାହାକୁ ସ୍ବାଗତ କରିଛି ବକଳଧାରୀ ମହିମା ସମାଜ।

ଯୋରନ୍ଦା ଗାଦିରେ ବୁଲଡୋଜର ବୁଲିବା ଘଟଣା ବେଶ୍ ବ୍ୟଥିତ କରିଛି ମହିମା ଧର୍ମାବଲମ୍ବୀଙ୍କୁ ଓ ସ୍ଥାନୀୟ ବାସିନ୍ଦାଙ୍କୁ। ଯେଉଁ ସ୍ଥାନରେ ଭକ୍ତଙ୍କ ଦାନ ଅର୍ଘ୍ୟରେ ଅଖଣ୍ଡ ଧୂନି ଜଳୁଥିଲା ଓ ନିତ୍ୟ ଭଜନକୀର୍ତ୍ତନ ଚାଲୁଥିଲା। ସେଠାରୁ ଏକାଧିକ ମହିମା ଟୁଙ୍ଗିଗୁଡ଼ିକୁ ମାଟିରେ ମିଶାଯିବାକୁ ସହଜରେ ଗ୍ରହଣ କରିପାରି ନାହାନ୍ତି। କହିଛନ୍ତି- ସାଧୁସନ୍ଥଙ୍କ ମଧ୍ୟରେ ବିବାଦର ଅନ୍ତ କୋର୍ଟ ପରିବର୍ତ୍ତେ ଆପୋଷ-ବୁଝାମଣାରେ ହୋଇଥିଲେ ସମାଜକୁ ଏକ ସୁସ୍ଥ ବାର୍ତ୍ତା ଯାଇଥାନ୍ତା। ସେହିପରି ଉଚ୍ଛେଦ ପୂର୍ବରୁ କୌପିନଧାରୀ ସନ୍ୟାସୀଙ୍କ ଥଇଥାନ ସହ ସେମାନଙ୍କ ପାଇଁ ସ୍ୱତନ୍ତ୍ର ପୂଜାର୍ଚ୍ଚନା ବ୍ୟବସ୍ଥା କରିବାକୁ କୋର୍ଟଙ୍କ ନିର୍ଦ୍ଦେଶର ବି ଅନୁପାଳନ ହୋଇନଥିବା କହିଛନ୍ତି ପ୍ରତିପକ୍ଷଙ୍କ ଓକିଲ।

(ଢେଙ୍କାନାଳରୁ ରାଜଶ୍ରୀ ଶତପଥୀଙ୍କ ରିପୋର୍ଟ)

Demolition Drive
Advertisment
Advertisment