• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଢେଙ୍କାନାଳ ର ପ୍ରସିଦ୍ଧ ମହିମା ଗାଦି ପରିସରରେ ଚାଲିଲା ଜେସିବି । ମହିମାପୀଠ ପରିସରରେ ଥିବା ବତୀ ମନ୍ଦିର ଓ ଧୂନିମନ୍ଦିରକୁ ଜେସିବି ସାହାଯ୍ୟରେ ମାଟିରେ ମିଶାଯାଇଛି । ଉଚ୍ଛେଦ ବେଳେ ମନ୍ଦିରରେ ୫ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ଉପଜିଲ୍ଲାପାଳ,ଏଏସପି ଘଟଣା ସ୍ଥଳରେ ଉପସ୍ଥିତ ଅଛନ୍ତି ।

ବତି ମନ୍ଦିର ଓ ଧୂନି ମନ୍ଦିରକୁ ନେଇ ଉଭୟ ବକ୍କଳଧାରୀ ମହିମା ସମାଜ ଓ କୌପିନଧାରୀଙ୍କ ମଧ୍ୟରେ ଦୀର୍ଘ ବର୍ଷ ହେବ ବିବାଦ ଲାଗି ରହିଥିଲା । ୧୯୪୫ ମସିହାରୁ ଏ ନେଇ ହାଇକୋର୍ଟରେ ମାମଲା ଚାଲିଥିଲା । ତେବେ, ଏହି ମନ୍ଦିରଗୁଡିକୁ କୌପିନଧାରୀ ମହିମା ସମାଜ ବ୍ୟବହାର କରୁଥିଲେ । ବକ୍କଳଧାରୀ ମହିମା ସମାଜ ପକ୍ଷରୁ ଏହି ଜାଗାକୁ ନେଇ କୋର୍ଟରେ କେସ୍ କରାଯାଇଥିଲା । ପରବର୍ତ୍ତୀ ମୁହୂର୍ତ୍ତରେ ଏହି ଜାଗାକୁ ଖାଲି କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିବା କହିଛନ୍ତି ଉପଜିଲ୍ଲାପାଳ ।

କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ବିବାଦୀୟ ଜାଗାକୁ ଖାଲି କରାଯାଉଛି । ଏଥିପାଇଁ ଆଜି ୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇ ବତୀ ମନ୍ଦିର ଓ ଧୂନି ମନ୍ଦିରକୁ ମାଟିରେ ମିଶାଯାଇଛି । ବର୍ତ୍ତମାନ ଗାଦି ମନ୍ଦିର ଚାରିପାଖେ ବ୍ୟାରିକେଡ୍ ଲଗାଯାଇ ସାଧାରଣ ଲୋକଙ୍କୁ ଭିତରକୁ ପ୍ରବେଶ ବାରଣ କରାଯାଇଛି ।

ତେବେ ଆଖି ସାମ୍ନାରେ ମନ୍ଦିର ଭଙ୍ଗା ହେଉଥିବା ଦେଖି କୌପିନଧାରୀ ଅଲେଖ ବାବା କୋହ ସମ୍ଭାଳି ପାରି ନଥିଲେ । ଜଣେ କୌପିନଧାରୀ ବାବା ରଘୁନାଥ ଦାସ କହିଛନ୍ତି, ଆମେ ଦୁର୍ବଳ । ଆମ ପାଖରେ କେସ୍‌ ଲଢ଼ିବାକୁ ଅର୍ଥ ନାହିଁ। ୯୫ ବର୍ଷ ହେଲାଣି ଭକ୍ତଙ୍କ ମଙ୍ଗଳ ପାଇଁ ଏଠାରେ ଅଖଣ୍ଡ ଜାଳୁଛୁ । ହେଲେ ଆମ ତପସ୍ୟା ଭୂମିକୁ ଏବେ ଉଚ୍ଛେଦ କରାଯାଉଛି । ନିମିଷେକ ମଧ୍ୟରେ ଆମ ଉପାସନା ପୀଠକୁ ମାଟିରେ ମିଶାଇ ଦେଲେ । ନିରୁପାୟ ହୋଇ ଦେଖିବା ଛଡ଼ା ଆମ ପାଖରେ ଆଉ କିଛି ବାଟ ନାହିଁ ।