Advertisment

କେବେ ଖୋଲିବ ଶ୍ରୀମନ୍ଦିରର ସବୁ ଦ୍ୱାର ? ଗର୍ଜିଲେଣି ସେବାୟତ

ଶ୍ରୀମନ୍ଦିର ପ୍ରଶାସନ କର୍ମଚାରୀଙ୍କ ବିରୋଧରେ ଶୋଷଣ ଅଭିଯୋଗ ଆଣି ଗର୍ଜିଛନ୍ତି ସୁଆର ମହାସୁଆର ନିଯୋଗର ପୂର୍ବ ସଭାପତି ଦାମୋଦର ମହାସୁଆର ।

author-image
Tanmay Kumar Mahalik
ଅଦ୍ୟତନ ହୋଇଛି
undefined

shree mandira

ବିତିଗଲା ୩ ବର୍ଷ । ସାଧାରଣ ଭକ୍ତ ଓ ପୁରୀବାସୀଙ୍କ ପ୍ରବେଶ ପାଇଁ ଫିଟିପାରିଲା ନାହିଁ ଶ୍ରୀମନ୍ଦିରର ସମସ୍ତ ଦୁଆର। କେବଳ ସିଂହଦ୍ୱାର ଦେଇ ପ୍ରବେଶ ବ୍ୟବସ୍ଥା ଯୋଗୁଁ ରୁନ୍ଧି ହେଉଛନ୍ତି ଭକ୍ତ ଓ ପୁରୀ ବାସିନ୍ଦା । ଏହାକୁ ନେଇ ଭକ୍ତଙ୍କ ଅସନ୍ତୋଷ ପରେ ଏବେ ଖଡଗହସ୍ତ ସେବାୟତ । କହିଛନ୍ତି, ଶ୍ରୀମନ୍ଦିର ଭିତରେ ପୁଳାପୁଳା ଅସାଧୁ କର୍ମଚାରୀ ଟଙ୍କା ନେଇ ଭକ୍ତଙ୍କୁ ଘଣ୍ଟିଦ୍ୱାର ଦେଇ ଛାଡୁଛନ୍ତି । ତେବେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି, ତୁରନ୍ତ ଏହାର ଅନୁଧ୍ୟାନ କରିବା ସହ ଚଳିତ ମାସ ଶେଷ ସୁଦ୍ଧା ଚାରି ଦୁଆର ଦେଇ ଦର୍ଶନ ବ୍ୟବସ୍ଥା ନେଇ ପଦକ୍ଷେପ ନିଆଯିବ ।

Advertisment

କେବେ ଖୋଲିବ ଶ୍ରୀମନ୍ଦିରର ୪ ଦୁଆର ? କେବେ ବନ୍ଦ ହେବ ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ଯାଇ ମହାପ୍ରଭୁଙ୍କୁ ଦର୍ଶନ ବ୍ୟବସ୍ଥା ? କାହା ସ୍ୱାର୍ଥରେ ଭକ୍ତଙ୍କ ପାଇଁ ୩ ଦୁଆର ବନ୍ଦ କରିଛି ଶ୍ରୀମନ୍ଦିର ପ୍ରଶାସନ ? ଭକ୍ତଙ୍କ ସୁରକ୍ଷା ନା ଶ୍ରୀମନ୍ଦିରର କିଛି ଅସାଧୁ କର୍ମଚାରୀଙ୍କ ସ୍ୱାର୍ଥରେ ? ଏଭଳି ପ୍ରଶ୍ନ ଉଠାଇ ଏବେ ଖଡଗହସ୍ତ ସେବାୟତ ।

ଗତ ଦୁଇ ଦିନ ତଳେ ଛତିଶା ନିଯୋଗ ବୈଠକ ବସିଥିଲା । ଶ୍ରୀମନ୍ଦିର ପ୍ରଶାସନ କର୍ମଚାରୀଙ୍କ ବିରୋଧରେ ଶୋଷଣ ଅଭିଯୋଗ ଆଣି ଗର୍ଜିଛନ୍ତି ସୁଆର ମହାସୁଆର ନିଯୋଗର ପୂର୍ବ ସଭାପତି ଦାମୋଦର ମହାସୁଆର । କହିଛନ୍ତି, କିଛି ଅସାଧୁ କର୍ମଚାରୀ ଭକ୍ତଙ୍କ ଠାରୁ ଟଙ୍କା ନେଇ ଘଣ୍ଟିଦ୍ୱାର ପଟେ ପ୍ରବେଶ କରି ଦର୍ଶନ କରାଉଛନ୍ତି ।

Advertisment

ଏପରିକି ଶ୍ରୀମନ୍ଦିର ଭିତରେ ବ୍ୟାରିକେଡ ଥିଲେ ବି କିଛି କର୍ମଚାରୀ ଏବଂ ଜେଟିପି ଟଙ୍କା ନେଇ ବେଆଇନ ଭାବେ ବଡ଼ ଅଫିସର ଏବଂ ବ୍ୟବସାୟୀଙ୍କୁ ଅଲଗା ଛାଡୁଛନ୍ତି। ଅନ୍ୟ ସେବାୟତ ବି ସମସ୍ତ ଦୁଆର ଖୋଲୁନଥିବାରୁ ଏବଂ ପୁରୀ ବାସିଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ନଥିବାରୁ ଅସନ୍ତୋଷ ଝାଡ଼ିଛନ୍ତି । ସେବାୟତଙ୍କ ଦାବି, ତୁରନ୍ତ ଆଧାର କାର୍ଡ ଦେଖାଇ ଚାରି ଦ୍ୱାର ଦେଇ ପୁରୀ ବାସୀଙ୍କ ପାଇଁ ଦର୍ଶନ ବ୍ୟବସ୍ଥା କରାଯାଉ ।

କରୋନା ପରଠୁ ଶ୍ରୀମନ୍ଦିରର ୩ ଦ୍ବାର ବନ୍ଦ କରାଯାଇ କେବଳ ସିଂହଦ୍ୱାର ବାଟେ ପ୍ରବେଶ ନିୟମ କରାଯାଇଛି । ଫଳରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଘଣ୍ଟା ଘଣ୍ଟା ଧରି ଧାଡ଼ିବାନ୍ଧି ଯାଉଛନ୍ତି ଶ୍ରୀମନ୍ଦିରକୁ । ପର୍ବପର୍ବାଣୀ ହେଉ କି ଅନ୍ୟ କୌଣସି ସାଧାରଣ ଦିନ, ସବୁବେଳେ ଲାଗିରହୁଛି ପ୍ରବଳ ଜନସମାଗମ । ବର୍ତ୍ତମାନ ତ ଗ୍ରୀଷ୍ମ ଛୁଟି ଚାଲିଛି । ଏଭଳି ସ୍ଥିତିରେ ଅସହ୍ୟ ଗରମ ଏବଂ ଗୁଳୁଗୁଳିରେ ଭକ୍ତଙ୍କ ଅବସ୍ଥା କହିଲେ ନସରେ । ଗତକିଛି ଦିନ ତଳେ ମହାପ୍ରଭୁଙ୍କ ନୀତିକାନ୍ତିରେ ବିଭ୍ରାଟ ପାଇଁ ଅସମ୍ଭାଳ ଭିଡ଼କୁ ବି ଦାୟୀ କରିଥିଲା ଶ୍ରୀମନ୍ଦିର ପ୍ରଶାସନ । ଅଥଚ ବର୍ତ୍ତମାନ ଯାଏଁ ୪ ଦ୍ୱାର ଦେଇ ଦର୍ଶନ ବ୍ୟବସ୍ଥା ସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଉନଥିବାବେଳେ କିଛି ଅସାଧୁ କର୍ମଚାରୀ ଓ ଜେଟିପି ଏହାର ଫାଇଦା ନେଉଥିବା ସେବାୟତ ଅଭିଯୋଗ ଆଣିଛନ୍ତି ।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି, ଆସନ୍ତା ୩୦ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଆଉଟର୍ ଆକ୍ସେସ୍ ରୋଡ ହସ୍ତାନ୍ତର ପରେ ୪ ଦୁଆର ଖୋଲିବା ନେଇ ପଦକ୍ଷେପ ନିଆଯିବ। ତା’ସହ ଭକ୍ତଙ୍କଠୁ ଟଙ୍କା ନେଇ କିଏ ଏଭଳି କାର୍ଯ୍ୟ କରୁଛି, ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ।

Puri Srimandir
Advertisment
Advertisment