• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଧର୍ମମାସ କାର୍ତ୍ତିକରେ ଅବଢ଼ା ଦର ଆକାଶଛୁଆଁ । ଆନନ୍ଦବଜାରରେ ଚଢ଼ା ଦରରେ ମହାପ୍ରସାଦ ବିକ୍ରିକୁ ନେଇ ବିମୁଖ ଭକ୍ତ । ପୂର୍ବରୁ ଅବଢ଼ା ଦର ନିଶ୍ଚିତ କରିବାକୁ ନମ୍ବରିଂ, ରେଟ୍ ଚାର୍ଟ ଆଦି କୌଣସି ନିଷ୍ପତ୍ତି କାର୍ଯ୍ୟକାରୀ ହୋଇପାରିନଥିବାରୁ ଭିଡ଼ ବେଳେ ପୁଣି ଠକାମୀର ଶିକାର ହେଉଛନ୍ତି ଶ୍ରଦ୍ଧାଳୁ । ଏପେଟ ଆନନ୍ଦ ବଜାରରେ ଅଣସୁପକାରଙ୍କ ଅବାଧ ପ୍ରବେଶ ଓ ଅଣମହାପ୍ରସାଦ ବିକ୍ରିକୁ ନେଇ ମଧ୍ୟ ବଢ଼ୁଛି ଉଦବେଗ ।

କାର୍ତ୍ତିକରେ ଆକାଶ ଛୁଆଁ ଅବଢ଼ା ଦର । ମହାପ୍ରସାଦ ଟିକେ ମନ ଭରି ଖାଇବାକୁ ଇଛା, ହେଲେ ଦର ଦେଖି କିଣିବାକୁ ଡର । ଏବେ ଧର୍ମମାସରେ ପୁରୀରେ ହବିଷ୍ୟାଳୀଙ୍କ ନାହିଁ ନଥିବା ଭିଡ଼ । ତା’ ସାଙ୍ଗକୁ ଅନ୍ୟଦିନ ଭଳି ଶ୍ରୀମନ୍ଦିରକୁ ଆସୁଛନ୍ତି ଅଗଣିତ ଭକ୍ତ । ଏ ଭିତରେ ମହାପ୍ରସାଦର ଅତ୍ୟଧିକ ଚାହିଦାକୁ ଦେଖି ଆନନ୍ଦବଜାରରେ ଅବଢ଼ାର ମନ ଇଛା ଦର ବୃଦ୍ଧି ।

ଭିଡ଼ ଭିତରେ ଅବଢ଼ା ପ୍ରତି ଶ୍ରଦ୍ଧାଳୁଙ୍କ ଭାବାବେଗକୁ କଷାଯାଉଛି ଦର । ଫଳରେ ଦୂର ଦୂରାନ୍ତରୁ ଆସିଥିବା ଭକ୍ତଟିଏ ମହାପ୍ରସାଦ ଟିକେ କିଣିବ କି ନାହିଁ, ତାକୁ ନେଇ ଦ୍ୱନ୍ଦ୍ୱରେ । ଏପଟେ ଏ ବିଭ୍ରାଟ ପୁଣି ସାମ୍ନାକୁ ଆସିବା ପରେ ଆଉ ଥରେ ଉଠିଛି ଆନନ୍ଦବଜାରରେ ମହାପ୍ରସାଦ ରେଟ୍ ଚାର୍ଟ ଲଗାଯିବା ପ୍ରସଙ୍ଗ । ଏ ନେଇ ଉଭୟ ଭକ୍ତ ଓ ସେବାୟତ ଶ୍ରୀମନ୍ଦିର ପ୍ରଶାସନକୁ ଆଡ଼କୁ ଅଙ୍ଗୁଳି ଉଠାଇ କୋହଳ ପ୍ରଶାସନିକ ଅନୁଶାସନ ବିରୋଧରେ ମୁହଁ ଖୋଲିଛନ୍ତି ।

ଏପଟେ ଖାଲି ଅବଢ଼ାର ଦରକୁ ନେଇ ଅସନ୍ତୋଷ ନୁହେଁ, ଆନନ୍ଦବଜାର ଏବେ ଅଣସେବାୟତଙ୍କ କବଜାକୁ ଆସି ଯାଇଥିବା ନେଇ ବି ଆରୋପ ଉଠିଛି । ଆନନ୍ଦ ବଜାରରେ କେବଳ ମହାପ୍ରଭୁଙ୍କ ମହାପ୍ରସାଦ ବିକ୍ରିର ନିୟମ ଥିବାବେଳେ ଏବେ କିଛି ବ୍ୟବସାୟୀ ରାବିଡ଼ି, ଖୁଆପେଡ଼ା, ଖୀରା ଟଙ୍କ ତୋରାଣି ମଧ୍ୟ ବିକ୍ରି କରୁଛନ୍ତି । ଏସବୁକୁ ଆନନ୍ଦବଜାରରେ ବିକ୍ରିର କୌଣସି ବିଧି ନଥିବାବେଳେ ବେଧଡ଼କ ଭାବେ ଏ ବେପାର ଚାଲିଛି । ଯାହା କେବଳ ଆନନ୍ଦବଜାର ପରିବେଶକୁ କ୍ଷତି ପହଞ୍ଚାଉନି, ବରଂ ଅଣ ସେବାୟତଙ୍କ ଅଯଥା ଭିଡ଼, ଭକ୍ତମାନେ ଠକାମୀର ଶିକାର ହେବାର ସୁଯୋଗ ଏବଂ ପରିସ୍କାର ପରିଚ୍ଛନ୍ନତା ପ୍ରତି ମଧ୍ୟ ଚ୍ୟାଲେଞ୍ଜ୍ ସୃଷ୍ଟି ହେଉଛି ।

ତେଣୁ ଏ ସମସ୍ୟାକୁ ନେଇ ଖପ୍ପା ସୁଆର ଓ ମହାସୁଆର ନିଯୋଗ । ନିଯୋଗ କହିଛି, ଆନନ୍ଦ ବଜାରରେ ପୂର୍ବରୁ କେବଳ ସୁପକାର ସେବାୟତ ମହାପ୍ରସାଦ ବିକିବେ ଏବଂ ଅଣସୁପକାରଙ୍କୁ ତଡ଼ିବାକୁ ନିଷ୍ପତ୍ତି ହୋଇଥିଲା । ସେହିଭଳି ଗତ ଜୁଲାଇରେ ଆନନ୍ଦ ବଜାର ସ୍ଥିତି ସୁଧାର ପାଇଁ ୨୦ଟି ପ୍ରସଙ୍ଗରେ ନିଷ୍ପତ୍ତି ନେଇଥିଲା ଶ୍ରୀମନ୍ଦିର ପ୍ରଶାସନ । ଏହାକୁ କାର୍ଯ୍ୟକାରୀ କରିବାକୁ ଏକ ସବ୍ କମିଟି ବି ଗଠନ ହୋଇଥିଲା । କିନ୍ତୁ ସେ ସବୁ ନିଷ୍ପତ୍ତି କେବଳ କାଗଜକଲମରେ । ଶ୍ରୀମନ୍ଦିର ପ୍ରଶାସନ ଏକଥାକୁ ଗୁରୁତ୍ୱ ନଦେଲେ ଆଗକୁ ମହାପ୍ରସାଦ ରନ୍ଧା ବନ୍ଦ କରିବାକୁ ଧମକ ଦେଇଛି ସୁଆର ମହାସୁଆର ନିଯୋଗ । ସେପଟେ ଆନନ୍ଦବଜାରକୁ ବ୍ୟବସ୍ଥିତ କରିବାକୁ ପଦକ୍ଷେପ ନିଆଯାଉଥିବା କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।

ଏବେ କାର୍ତ୍ତିକରେ ଶ୍ରୀମନ୍ଦିରକୁ ପ୍ରବଳ ଜନସମାଗମ ଭିତରେ ସମସ୍ୟା କେବଳ ଆନନ୍ଦବଜାରରେ ନୁହେଁ। ଅବଢ଼ା ବାହାରିବା ସମୟରେ ଉତ୍ତର ଓ ଦକ୍ଷିଣ ଦ୍ୱାର ଆଗରେ ପ୍ରବଳ ଭିଡ଼ ଦେଖାଦେଉଛି । ଉଭୟ ଦ୍ୱାରକୁ ସଂଯୋଗ କରୁଥିବା ରାସ୍ତାକୁ ବହୁ ସଂଖ୍ୟାରେ ଉଠାଦୋକାନୀ କବଜା କରୁଥିବାରୁ ଘଣ୍ଟ ଘଣ୍ଟା ଧରି ସୃଷ୍ଟି ହେଉଛି ଭୀଷଣ ଟ୍ରାଫିକ ସମସ୍ୟା ।

  • Reported by:
  • PRADEEP MAHANTY , MADHUSUDAN MISHRA