Advertisment

ବୋଝ ଉପରେ ନଳିତା ବିଡ଼ା ପାଲଟିବନି ତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ?

ରଥ ଗଡ଼ିବାରେ ସମସ୍ୟା ଦେଖାଦେଇପାରେ ବୋଲି ମଧ୍ୟ ଆଶଙ୍କା କରିଛନ୍ତି ବରିଷ୍ଠ ସେବାୟତ।

author-image
Chandan Shishu
Srimandir Heritage Corridor

Srimandir Heritage Corridor

ରାସ୍ତା ଉପରେ ଭାସିଯାଉଥିବା ନଳାପାଣି... ଠାଏଁ ଠାଏଁ ଅଧାଖୋଳା, ହୁଗୁଳା-ମୁକୁଳା ଡ୍ରେନ୍। ବାଟ ଓଗାଳୁଥିବା ଏକାଧିକ ବାଉଁଶ ବାଡ଼ ଓ ବ୍ୟାରିକେଡ୍। ଗଦା 
ହୋଇଥିବା କଂକ୍ରିଟ୍ ଓ ପଥର ସ୍ଲାବ୍। ଏଣେତେଣେ ଛନ୍ଦାଛନ୍ଦି ହୋଇ ପଡ଼ିଥିବା ତାର ଓ ପାଇପ୍... ଇତ୍ୟାଦି ଇତ୍ୟାଦି...। ଆଉ ତାସହିତ ଚଳପ୍ରଚଳ ହେବାରେ
ନାହିଁନଥିବା ଅସୁବିଧା । ଏବର୍ଷ ରଥଯାତ୍ରା ଦେଖି ଘରକୁ ଫେରିବା ପରେ, ଶ୍ରୀକ୍ଷେତ୍ରର ଅନୁଭୂତିକୁ କିଛି ଏମିତି ବଖାଣିବେନି ତ ଅଗଣିତ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ? 
କାରଣ ସେବାୟତ ଓ ଶ୍ରୀକ୍ଷେତ୍ରବାସୀଙ୍କ ଅସନ୍ତୋଷର କାରଣ ପାଲଟିଛି ଅଧାପନ୍ତରିଆ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ।

Advertisment

ଜୁନ ୨୦ରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା ହେବାକୁ ଥିବା ବେଳେ, ତା ପୂର୍ବରୁ ପରିକ୍ରମା ପ୍ରକଳ୍ପ କାମ ସରିବ କି ନାହିଁ, ସେନେଇ ଆଶଙ୍କା ପ୍ରକାଶ ପାଇଛି। ସିଂହଦ୍ୱାର ସହ ଶ୍ରୀମନ୍ଦିର ଚତୁପାର୍ଶ୍ୱରେ ପରିକ୍ରମା ପ୍ରକଳ୍ପ ତଥା ରାସ୍ତାକାମ, ଡ୍ରେନେଜ୍ କାମ, ଇଲେକ୍ଟ୍ରି ସିଷ୍ଟମ, ପେଭର୍ ବ୍ଲକ୍ ଓ ସୌନ୍ଦର୍ଯ୍ୟକରଣ। ଓବିସିସି ଓ ଟାଟା କନଷ୍ଟ୍ରକସନ୍ ପକ୍ଷରୁ ଚାଲିଥିବା ଅଧିକାଂଶ କାମ ଅଧାପଡ଼ିଛି।

ଆଉ ପ୍ରାୟ ୨ମାସ ପରେ ଘୋଷଯାତ୍ରା ଉପଲକ୍ଷେ ପୁରୀରେ ଦେଶ ବିଦେଶରୁ ଲକ୍ଷ ଲକ୍ଷ ଲୋକଙ୍କ ସମାଗମ ହେବାକୁ ଥିବା ବେଳେ, ଏହା ଗତକାଲି ଅନୁଷ୍ଠିତ ପ୍ରଥମ ରଥଯାତ୍ରା ସମନ୍ବୟ କମିଟି ବୈଠକରେ ଆଲୋଚନାର ପ୍ରମୁଖ ପ୍ରସଙ୍ଗ ପାଲଟିଥିଲା।

Advertisment

ରାଜ୍ୟ ସରକାର ଏଥିପ୍ରତି ଗୁରୁତ୍ବ ନଦେଲେ ରଥ ପୂର୍ବରୁ କାମ ସରିନପାରେ ବୋଲି ମତ ପ୍ରକାଶ ପାଇଥିବାବେଳେ; ଶେଷ ମୁହୂର୍ତ୍ତରେ ବଡ଼ଦାଣ୍ଡର କାର୍ଯ୍ୟ ତରବରିଆ ଭାବେ କରାଗଲେ, ରଥ ଗଡ଼ିବାରେ ସମସ୍ୟା ଦେଖାଦେଇପାରେ ବୋଲି ମଧ୍ୟ ଆଶଙ୍କା କରିଛନ୍ତି ବରିଷ୍ଠ ସେବାୟତ।

ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ମଧ୍ୟ ଏହି ପ୍ରସଙ୍ଗକୁ ନେଇ ସଂଶୟ ପ୍ରକାଶ କରିଛନ୍ତି। ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରାନଗଲେ ଗଡ଼ନ୍ତି ଛକରୁ ଦୋଳବେଦୀ, 
କାକୁଡ଼ି ଛକରୁ ଗାଣ୍ଡୁଆ ଚଉରା ଛକ ପର୍ଯ୍ୟନ୍ତ କାମ ରଥଯାତ୍ରା ଆଗରୁ ସରିନପାରେ ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ରଥଯାତ୍ରା ସମନ୍ୱୟ 
ବୈଠକରେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ କହିଛନ୍ତି ଯେ, ସ୍ନାନପୂର୍ଣ୍ଣିମା ପୂର୍ବରୁ ସରିଯିବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ।

ଅଧାପନ୍ତରିଆ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ
ରଥଯାତ୍ରା ଆଗରୁ କାମ ସରିବା ନେଇ ସଂଶୟ
ଅଧାଖୋଳା ଡ୍ରେନ୍ ଓ ଅଧପନ୍ତରିଆ ରାସ୍ତା
ସ୍ନାନଯାତ୍ରା ଆଗରୁ କାମ ସରିବ: କେନ୍ଦ୍ରାଞ୍ଚଳ RDC

Jagannath Temple ShreeMandir
Advertisment
Advertisment