• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ସିକ୍କିମ୍ ଆଖିରୁ ଶୁଖୁନି ଲୁହ । ପ୍ରଳୟର ତିନିଦିନ ପରେ ବି ପଙ୍କମିଶା ଧ୍ୱଂସ ସ୍ତୁପ ତଳୁ ଜୀବନ ଖୋଜୁଛି ଏହି ବନ୍ୟା ପୀଡ଼ିତ ଉତ୍ତର ପୂର୍ବାଞ୍ଚଳ ରାଜ୍ୟ । କେଉଁଠି ଜୀବନର ସନ୍ଧାନ ମିଳୁଛି, ଆଉ କେଉଁଠି ସୀମାହୀନ ଯନ୍ତ୍ରଣାର ଚିତ୍ର। ଏ ଭିତରେ ମୃତ୍ୟୁ ସଂଖ୍ୟା ୪୦ ଟପିଥିବା ବେଳେ, ଏବେ ବି ମିଳିନି ନିଖୋଜ ୧୭ ଯବାନଙ୍କ ପତ୍ତା । ଫସିଥିବା ପର୍ଯ୍ୟଟକଙ୍କୁ ଏୟାରଲିଫ୍ଟ ପାଇଁ ତୟାର ହେଉଛି ସେନା । ଏପଟେ ନୀଳଗିରିର
ଜଣେ ଯୁବ ଇଞ୍ଜିନିୟରଙ୍କ ସିକ୍କିମରୁ ଫେରିବା ବାଟକୁ ଅଖଣ୍ଡ ଦୀପ ଜାଳି ଚାହିଁ ବସିଛନ୍ତି ପରିବାର ।

ପାଣିର ଗର୍ଜନ ଶାନ୍ତ ପଡ଼ିବା ପରେ, କାନରେ ବାଜିଲା କୁନି ପିଲାର କଇଁ କଇଁ କାନ୍ଦ । ଜରାଜୀର୍ଣ୍ଣ ଘରର ଲୁହା ଝରକା କାଟି, ନିଷ୍ପାପ ଜୀବନଟିକୁ ଛାତିରେ ଜାବୁଡ଼ି ଧରିଲେ ଦେବଦୂତ । କାଠପଟା ଓ ବାଉଁଶ ଉପରେ ପାଦ ଥାପି ଦଉଡ଼ି ଧରି ଧରି ପାରି ହେଉଛନ୍ତି ପଙ୍କକାଦୁଅର ଚୋରାବାଲି । ୩-୪ ବର୍ଷର ଅବୋଧ ଶିଶୁଟି ବି ସବୁ ବଳ ଖଟାଇ ଉଦ୍ଧାରକାରୀଙ୍କୁ ଜାବୁଡ଼ି ଧରିଛି ନିଜ କୁନି ହାତ ପାପୁଲିରେ ।

ଅଶାନ୍ତ ତିସ୍ତା ଶାନ୍ତ ପଡ଼ିବା ପରେ, ଆଖିର ଲୁହ ପୋଛି ଧୀରେ ଧୀରେ ପ୍ରକୃତିସ୍ଥ ହେଉଛି ସିକ୍କିମ । ଅବଶୋଷର ଦୀର୍ଘ ନିଶ୍ୱାସ ଛାଡ଼ି, ଅବଶେଷ ସାଉଁଟୁଛି ସିକ୍କିମ । ଚାରିଆଡ଼େ ମାଟିମଟାଳ ଘେରା ଧ୍ୱଂସସ୍ତୁପ । ଘର ବାହାରେ, ଘର ଭିତରେ ପରସ୍ତ ପରସ୍ତ ପଟୁ । କେଉଁଠି ଜୀବନର ଆଶା ଜାଗୁଛି, ତ ଆଉ କେଉଁଠି ମାଟିତଳୁ ବାହରୁଛି ନିସ୍ତେଜ ଶରୀର। ହେଲେ ଏଠି କିନ୍ତୁ, ଏବେବି କଢ଼ା ଚାଲିଛି କୁଢ଼ କୁଢ଼ ଅନିଶ୍ଚିତତା । ଇଏ ସେଇ ସ୍ଥାନ ଯେଉଁଠି ୨୩ ଯବାନଙ୍କୁ ଗିଳି ଦେଇଥିଲା ତିସ୍ତାର ବନ୍ୟା । ଘଟଣାକୁ ୩ ଦିନ ବିତିଯାଇଥିବା ବେଳେ, ଏବେବି ପ୍ରାୟ ଅଧାରୁ ଅଧିକଙ୍କ ପତ୍ତା ମିଳୁନି। ୫-୬ଟି ଜେସିବି ଅହରହ ଅଣ୍ଡାଳି ଚାଲିଥିଲେ ବି, ସମୟ ଗଡ଼ିବା ସହ ଆଶା ବି ମଉଳି ମଉଳି ଯାଉଛି ।

ବିପତ୍ତିର ଦିନ ଶୀଘ୍ର ଟଳିଯାଉ, ଭଗବାନଙ୍କୁ ସେଇ ପ୍ରାର୍ଥନା କରୁଛନ୍ତି ସିକ୍କିମବାସୀ । ଘର ସିନା ନାହିଁ, ହେଲେ ଈଶ୍ୱରଙ୍କ ଉପରୁ ଆସ୍ଥା ଛାଡ଼ିନାହାନ୍ତି ଲୋକେ । ରାସ୍ତା କଡ଼ରେ ଚାଲିଛି ପୂଜା ଆରାଧନା । ଆଉ ଏପଟେ ସିକ୍କିମଠୁ ହଜାରେ କିଲୋମିଟର ଦୂର, ବାଲେଶ୍ବର
ନୀଳଗିରିରେ ବି ଜଳୁଛି ଅଖଣ୍ଡ ଦୀପ । ଚାଲିଛି ପୂଜାର୍ଚ୍ଚନା । ନୀଳଗିରି ଗୋପୀନାଥପୁରର ସତ୍ୟ ସୁନ୍ଦର ବାରିକ ଇଞ୍ଜିନିୟର ଅଛନ୍ତି ସିକ୍କିମ ନାମଥଙ୍ଗ୍ ଅଞ୍ଚଳର ଏକ କଂପାନୀରେ । ଖବର ଦେଇଥିଲେ ଯେ, ବନ୍ୟା ଆସିବା ପରେ ୩ ଦିନ ହେବ ଶୁଖିଲା ଖାଦ୍ୟ ଖାଇ ଖାଇ ସେଇଠି ଫସିରହିଛନ୍ତି । ହେଲେ ଏବେ କୌଣସି ଯୋଗାଯୋଗ ହୋଇପାରୁନଥିବାରୁ ଅଖଣ୍ଡ ଦୀପ ଜାଳି ତାଙ୍କ ଫେରିବା ବାଟ ଚାହିଁବସିଛନ୍ତି ପୂରା
ପରିବାର ।

ସିକ୍କିମ ବନ୍ୟାରେ ମୃତ୍ୟୁ ସଂଖ୍ୟା ୪୦ ଟପିଲାଣି । ଖାଲି ତୀସ୍ତା ନଦୀରୁ ମିଳିଲାଣି ୨୦ରୁ ଅଧିକ ମୃତଦେହ । ପ୍ରାୟ ୩ ହଜାର ପର୍ଯ୍ୟଟକ ବୁଲିବାକୁ ଯାଇ ଫସିରହିଛନ୍ତି ବିଭିନ୍ନ ଅପହଞ୍ଚ ଇଲାକାରେ । ରାଜଧାନୀ ଗ୍ୟାଙ୍ଗଟକ୍ ସମେତ ବହୁ ପର୍ଯ୍ୟଟନ ସ୍ଥଳ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଥିବାରୁ, ପାଗ ସୁଧୁରିଲେ ହେଲିକପ୍ଟର ଯୋଗେ ବିପନ୍ନଙ୍କୁ ଏୟାରଲିଫ୍ଟ କରିବାକୁ ଯୋଜନା କରୁଛି ସେନା

  • Reported by:
  • Biswambar Das