• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭରା ନଈରେ ଦେଶର ଭବିଷ୍ୟତଙ୍କ ବିପଜ୍ଜନକ ଯାତ୍ରା । ଏଭଳି ଚିନ୍ତାଜନକ ଦୃଶ୍ୟ ଗଂଜାମ ପାତ୍ରପୁର ବ୍ଲକ ବୁରାତାଲ ପଞ୍ଚାୟତରେ ଦେଖିବାକୁ ମିଳିଛି । ମୌସୁମୀ ବର୍ଷା ପରେ ମହେନ୍ଦ୍ରତନୟା ନଦୀର ଜାମୁଗଣ୍ଡ ଉପରେ ସେତୁ ନଥିବାରୁ ହଠାତ୍ ନଈ ଉଛୁଳିଛି । ଗତ ଶୁକ୍ରବାର ବୁଲତାଲ ପଞ୍ଚାୟତର ୧୫ ଖଣ୍ଡ ଗାଁ ବିଛିନ୍ନ ହୋଇଥିଲା । ତାମଧ୍ୟରେ ଥିଲା କମଳାଖତ ନୂଆସାହି । ଏଇ ଗାଁର କୁନି କୁନି ସ୍କୁଲ ପିଲା ସେଦିନ ବହିବସ୍ତାନି ଧରି ପାଖ ପୁରିଆସାହି ଗାଁ ସ୍କୁଲକୁ ପଢ଼ିବାକୁ ଯାଇଥିଲେ । ହେଲେ ଫେରିଲା ବେଳକୁ ନଇର ପ୍ରଖର ରୂପ ଦେଖି ଡରି ଯାଇଥିଲେ ।

ପରେ ଗାଁ ଲୋକଙ୍କ ସହାୟତରେ ଖଣ୍ଡେ ରଶିକୁ ଧରି ବିପଦପୂର୍ଣ୍ଣ ଭାବେ କେଉଁଠି ଛାତିଏ ତ କେଉଁଠି ଅଣ୍ଟାଏ ପାଣିରେ ପାର୍ ହୋଇ ଘରକୁ ଫେରିଥିଲେ । ଆଉ ଏମିତି ପରିସ୍ଥିତିରେ ନଈ ପାର ହେଉଥିଲେ ଯେ, ଟିକିଏ ଅସାବଧାନ ହେଲେ ଅଘଟଣ ଘଟିବା ସୁନିଶ୍ଚିତ । ନଈ ପାରବେଳେ କେହି କେହି ପିଲା ବସ୍ତାନିରେ ପୋଷାକ ଓ ଚପଲ ବି ବାନ୍ଧି ଦେଇଥିଲେ । ପ୍ରତି ବର୍ଷ ବର୍ଷାଦିନ ଆସିଲେ ଖାଲି ଏହି ଗାଁର ସ୍କୁଲ ପିଲା ନୁହଁନ୍ତି, କମଳାଖତ ଭଳି ବିଲୁଗାଁ, ବାତ୍ରାସାହି ଓ ମୁଣ୍ଡେଇସିଙ୍ଗି ସହ ୧୫ଟି ଗାଁର ଲୋକଙ୍କୁ ବି ଜୀବନ ବାଜିରେ ଲଗାଇ ନଦୀ ପାର ହେବାକୁ ପଡ଼ିଥାଏ । ପୋଲଟିଏ ପାଇଁ ଅଞ୍ଚଳବାସୀଙ୍କ କେତେ ଗୁହାରି, କେତେ କାକୁତିମିନତୀ କଲେଣି ହେଲେ ନେତାଙ୍କଠୁ ପ୍ରଶାସନ ସମସ୍ତେ କୁମ୍ଭକର୍ଣ୍ଣ ନିଦରେ ଶୋଇଛନ୍ତି ।

ତେଣେ ସ୍କୁଲ ପିଲାଙ୍କ ଏ ବିପଜ୍ଜନକ ନଈ ପାର୍ ଦୃଶ୍ୟ ଗଣମାଧ୍ୟମରେ ପ୍ରସାରିତ ହେବା ପରେ ସୃଷ୍ଟି ହୋଇଛି ହଇଚଇ । ଗଂଜାମ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ପଚାରିବାରେ ସେ କହିଛନ୍ତି ଘଟଣା ତାଙ୍କ ନଜରକୁ ଆଗରୁ କେବେ ଆସିନଥିଲା । ଏବେ ଗଣମାଧ୍ୟମ ପ୍ରତିନିଧିଙ୍କଠାରୁ ଜାଣିବା ପରେ ନିଶ୍ଚେ ତଦନ୍ତ ହେବ । ଗଣଶିକ୍ଷାମନ୍ତ୍ରୀ ବି ସମାନ କଥା କହିଛନ୍ତି । ସେ ଏ ସମ୍ପର୍କରେ ଡିଇଓଙ୍କ ସହ ଆଲୋଚନା କରିବେ ଓ ସ୍ଥାନୀୟ ବିଧାୟକଙ୍କୁ ସମସ୍ୟାର ଶୀଘ୍ର ସମାଧାନ ପାଇଁ ଅବଗତ କରିବେ ।