Advertisment

ମାତିଛନ୍ତି ମଣିଷ ଖିଆ ମଗର, ୩ ମାସରେ ନେଲେଣି ୩ ଜୀବନ

ମାତିଛି ମଣିଷ ଖିଆ ମଗର । ନଇ କୂଳିଆ ଲୋକଙ୍କୁ ଏବେ ଘାରିଛି କୁମ୍ଭୀର ଭୟ । ୧୨ ବର୍ଷ  ଭିତରେ ଶିକାର କରିଛି ୨୬ ଜଣଙ୍କୁ । ବିରଳ ବଉଳା କୁମ୍ଭୀରଙ୍କ ଏନ୍ତୁଡିଶାଳ ଭିତରକନିକା ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Crocodile

Crocodile

କେନ୍ଦ୍ରାପଡ଼ା (ରିପୋର୍ଟ-ପ୍ରବୀର କୁମାର ନାୟକ): ମାତିଛି ମଣିଷ ଖିଆ ମଗର । ନଇ କୂଳିଆ ଲୋକଙ୍କୁ ଏବେ ଘାରିଛି କୁମ୍ଭୀର ଭୟ । ୧୨ ବର୍ଷ  ଭିତରେ ଶିକାର କରିଛି ୨୬ ଜଣଙ୍କୁ । ବିରଳ ବଉଳା କୁମ୍ଭୀରଙ୍କ ଏନ୍ତୁଡିଶାଳ ଭିତରକନିକା । ଭାରତର ସବୁଠୁ ଅଧିକ ବଉଳା କୁମ୍ଭୀର ଭିତରକନିକାରେ ଦେଖିବାକୁ ମିଳେ । କୁମ୍ଭୀର ସଂଖ୍ୟା ବୃଦ୍ଧି ନେଇ ବନବିଭାଗ ଖୁସି ବ୍ୟକ୍ତ କରୁଥିବା ବେଳେ ସ୍ଥାନୀୟ ଅଂଚଳବାସୀ କିନ୍ତୁ ଭୟରେ ଜୀବନ ବିତାଉଛନ୍ତି । ଗତ ୧୨ ବର୍ଷ  ଭିତରେ କୁମ୍ଭୀର ନେଲେଣି ୨୬ ଜଣଙ୍କ ଜୀବନ । ପ୍ରତିବର୍ଷ କୁମ୍ଭୀର ଆକ୍ରମଣରେ ଲୋକଙ୍କ ଜୀବନ ଯାଉଥିବାବେଳେ ବନବିଭାଗର ନିରବତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସ୍ଥାନୀୟ ଲୋକେ ।

Advertisment

କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର, ପଟ୍ଟାମୁଣ୍ଡାଇ, ମହାକାଳପଡ଼ା ପ୍ରଭୃତି ଅଂଚଳରେ ଏବେ କୁମ୍ଭୀର ଆତଙ୍କକୁ ନେଇ ଚିନ୍ତାରେ ନଇ କୂଳିଆ ଲୋକେ । ପ୍ରତିବର୍ଷ କୁମ୍ଭୀର ଆକ୍ରମଣରେ ସ୍ଥାନୀୟ ଲୋକଙ୍କ ଜୀବନ ଯାଉଛି । ଗତ ୩ ମାସ ଭିତରେ ତିନି ଜଣଙ୍କୁ ଟାଣିନେଇଛି କୁମ୍ଭୀର । ଜୁନ୍ ୧୨ରେ ଭିତରକନିକାରେ ନଦୀକୁ ମାଛ ଧରିବାକୁ ଯାଇଥିବାବେଳେ ଜଣଙ୍କୁ, ଜୁନ୍ ୧୪ରେ ପଟ୍ଟାମୁଣ୍ଡାଇ ବ୍ଲକ ଜଗନ୍ନାଥପୁର ଗାଁର ଜଣକୁ ନଦୀରେ ଗାଧୋଉଥିବା ବେଳେ ଏବଂ ଅଗଷ୍ଟ ୬ରେ ଶ୍ରୀରାମପୁର ଗାଁର ଜଣକୁ ନଦୀ କୂଳରେ ଗାଇ ଚରାଉଥିବା ବେଳେ ଟାଣିନେଇଥିଲା କୁମ୍ଭୀର । କେତେବେଳେ ପାଣିରେ ମାଛ ଧରିବାବେଳେ ଆକ୍ରମଣ କରୁଛି, ତ କେତେବେଳେ ଗାଁରେ ପଶି ଲୋକଙ୍କୁ ଲହୁଲୁହାଣ କରୁଛି କୁମ୍ଭୀର । ଫଳରେ କୁମ୍ଭୀର ଭୟରେ ଲୋକେ ଆତଙ୍କିତ ଅବସ୍ଥାରେ ଥିବାବେଳେ ନିରବଦ୍ରଷ୍ଟା ସାଜିଛି ବନ ବିଭାଗ ।

Advertisment

ସରକାରୀ ନିୟମ ମୁତାବକ କୁମ୍ଭୀର ଆକ୍ରମଣରେ ମୃତ୍ୟୁବରଣ କଲେ ୪ ଲକ୍ଷ ଏବଂ ଗୁରୁତର ଆହତ ହେଲେ ୧ ଲକ୍ଷ ଟଙ୍କାର ସହାୟତା ରାଶି ଦିଆଯିବା କଥା । ମାତ୍ର ଜାତୀୟ ଉଦ୍ୟାନ ଭିତରେ କୁମ୍ଭୀର ଆକ୍ରମଣରେ ମୃତ୍ୟୁବରଣ କଲେ ବା ଶବ ମିଳିଲେ ବନବିଭାଗ ପକ୍ଷରୁ କୌଣସି କ୍ଷତିପୂରଣ ଦିଆଯାଉନଥିବା ଅଭିଯୋଗ ରହିଛି । ସେପଟେ ଏନେଇ ରାଜନଗର ବନଖଣ୍ଡ ଅଧିକାରୀ କହିଛନ୍ତି, ଅନେକ ସ୍ଥାନରେ ସରକାରଙ୍କ ତରଫରୁ ଗାଧୁଆ ଘାଟକରାଯିବା ସହ ଲୋକଙ୍କୁ ଅଧିକ ସଚେତନ କରିବା ପାଇଁ ଚେଷ୍ଟା କରାଯାଉଛି ।

Bhitarkanika Crocodile
Advertisment
Advertisment